ଯୁବତୀଙ୍କ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା!

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ସାହୁପଡ଼ା ଗାଁରେ ଜଣେ ଯୁବତୀଙ୍କ ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହା ହତ୍ୟା ନା ଆତ୍ମହତ୍ୟା, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ଯୁବତୀଙ୍କ ସମେତ ପରିବାରର ୫ଜଣଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ଣରେ ସାହୁପଡ଼ା ଗାଁର ସୂର୍ଯ୍ୟକାନ୍ତ ବିଶ୍ୱାଳ(୨୪) ନିଜର ପ୍ରେମିକା ସ୍ବାଗତିକା ବେହେରାଙ୍କ ଘରକୁ ଯାଇଥିଲେ। କିନ୍ତୁ ସେଠାରୁ ନ ଫେରିବା ଦେଖି ବାଧ୍ୟ ହୋଇ ସୂର୍ଯ୍ୟକାନ୍ତଙ୍କ ପରିବାର ଲୋକେ ଶଙ୍କର ବେହେରାଙ୍କ ଘରକୁ ଯାଇଥିଲେ।ସେଠାରେ ରାତି ପ୍ରାୟ ୧୧ଟା ବେଳେ ସେମାନେ ସୂର୍ଯ୍ୟକାନ୍ତଙ୍କ ଝୁଲନ୍ତା ମୃତଦେହ ଦେଖି ବିସ୍ମିତ ହେବା ସହ ଥାନାକୁ ଖବର ଦେଇଥିଲେ। ତେବେ ସ୍ବାଗତିକା ବେହେରା, ତାଙ୍କ ବାପା ଶଙ୍କର ବେହେରା ଓ ମା’ ଫେରାର୍ ହୋଇଯାଇଥିଲେ।

ତେବେ ବ୍ରହ୍ମଗିରି ଥାନା ପୁଲିସ ଖୋଜାଖୋଜି କରି ସ୍ବାଗତିକା ବେହେରା, ତାଙ୍କ ବାପା ଶଙ୍କର ବେହେରା ଓ ମା’ଙ୍କୁ ଧରିଥିଲା ଏବଂ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଏହାଛଡ଼ା ସ୍ବାଗତିକାଙ୍କ ଜେଜେ ଓ ଜେଜେମା’ଙ୍କୁ ବି ଜେରା କରୁଥିବାର ସୂଚନା ମିଳିଛି। ଏହା ଏକ ପ୍ରେମଜନିତ ବ୍ୟାପାର ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର