ଜୀବନ ଦୁର୍ବିସହ ଲାଗୁଛି… ମୋତେ ଫୋନ୍‌ କରିବନି

୧୧ ଦିନ ପରେ ହାଇକୋର୍ଟର ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

କଟକ-ସିଡିଏ: ଜୀବନ ଦୁର୍ବିସହ ଲାଗୁଛି… ମୁଁ ଯାଉଛି… ମତେ କେହି ଫୋନ୍‌ କରିବ ନାହିଁ… ଏମିତି ୩/୪ ଧାଡ଼ି ଚିଠି ଲେଖି ଡିସେମ୍ବର ୩୧ ତାରିଖ ସକାଳେ ଘରୁ ବାହାରି ଯାଇଥିଲେ ହାଇକୋର୍ଟର ଅବସରପ୍ରାପ୍ତ କର୍ମଚାରୀ ପ୍ରଦୀପ ଚନ୍ଦ୍ର ପ୍ରଧାନ। ହେଲେ ୧୧ ଦିନ ପରେ ଆଜି ତାଙ୍କ ମୃତଦେହ କାଠଯୋଡ଼ି ନଦୀ କୂଳରୁ ଉଦ୍ଧାର ହୋଇଛି। ଲାଲବାଗ ଥାନା ଚାନ୍ଦିନୀଚୌକ ପ୍ରଧାନ ସାହି ଅଞ୍ଚଳର ପ୍ରଦୀପଙ୍କୁ ମାତ୍ର ୫୭ ବର୍ଷ ହୋଇଥିଲା। ୩ ମାସ ତଳେ ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। କିନ୍ତୁ ହଠାତ ସେ ଡିସେମ୍ବର ୩୧ ସକାଳେ ଘରୁ ବାହାରି ଯାଇଥିବା ବେଳେ ଘର ଲୋକଙ୍କ ପାଇଁ ଏକ ଚିଠି ଛାଡି ଯାଇଥିଲେ। ସଂଧ୍ୟାରେ ବି ପ୍ରଦୀପ ତାଙ୍କ ପୁଅଙ୍କୁ ଫୋନ କରି ସେ ଆଉ ବଂଚିବାକୁ ଚାହୁଁନାହାନ୍ତି। ତାଙ୍କୁ କେହି ଖୋଜିବେନି। ସମସ୍ତେ ଶାନ୍ତିରେ ରୁହ ବୋଲି କହିଥିଲେ। ଏଭଳି ଫୋନ ପାଇବା ପରେ ଘର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ସେଦିନ ରାତିରେ ସିଡିଏ ବିରେନ୍‌ ମିତ୍ର ପାର୍କ ନିକଟରୁ ତାଙ୍କ ସ୍କୁଟି ପାଇଥିଲେ। ଏ ସମ୍ପର୍କରେ ତାଙ୍କ ପୁଅ ସୁପିତ୍‌ କୁମାର ପ୍ରଧାନ ଲାଲବାଗ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ। କିନ୍ତୁ ଆଜି କାଠଯୋଡ଼ି ବନ୍ଧ ପାର୍ଶ୍ବ ବୁଦାରୁ ଏକ ମୃତଦେହ ମିଳିବା ପରେ ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା। ମୃତଦେହ ନିକଟରୁ ମିଳିଥିବା ମୋବାଇଲ୍ ଫୋନ, ଘଣ୍ଟା, ଚାବି ମର୍କତନଗର ଥାନା ପୁଲିସ ଜବତ କରିବା ପରେ ପ୍ରଦୀପଙ୍କ ପରିଚୟ ସ୍ପଷ୍ଟ ହୋଇଥିଲା। ମୃତଦେହ ନିକଟରୁ ଏକ ଲାଇଟର ବି ଜବତ କରାଯାଇଛି। ମୃତ ପ୍ରଦୀପଙ୍କର ପତ୍ନୀ ଓ ଦୁଇ ପୁଅ ଅଛନ୍ତି। ଲାଲବାଗ ଥାନା ଅଧିକାରୀ ବିଶ୍ବଜିତ ମହାନ୍ତି କହିବା ଅନୁଯାୟୀ ଶବର ଆଖପାଖ ବୁଦାରେ ନିଆଁ ଲାଗିଥିବାରୁ ପ୍ରଦୀପ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ସନ୍ଦେହ କରାଯାଉଛି। ନିଜର ଚାକିରିକୁ ନେଇ ପ୍ରଦୀପଙ୍କର ଅସନ୍ତୋଷ ରହିଥିଲା। ସେ ହୁଏତ ମାନସିକ ଭାରସାମ୍ୟ ହରାଇ ଏପରି କରିଥାଇ ପାରନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି। କିନ୍ତୁ ପ୍ରଦୀନ ନିର୍ଦ୍ଦିଷ୍ଟ ଭାବେ କିଭଳି ଜଳିଲେ, ତାହାକୁ ନେଇ ଏଯାଏ ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର