କେରଳରେ କାନ୍ଥ ପଡ଼ି ଓଡ଼ିଆ ଶ୍ରମିକ ମୃତ; ଯୁକ୍ତ ଦୁଇ ପାଠ ଛାଡ଼ି ଦାଦନ ଯାଇଥିଲେ, ଶବ ହୋଇ ଫେରିଲେ 

ଓଡ଼ିଶା ‌ମୋ’ ପରିବାର ସହଯୋଗରେ ଆସିଲା ଶବ

ଭଞ୍ଜନଗର: ଦୁଇ ଭଉଣୀଙ୍କ ବାହାଘର ସରିବା ପରେ ବାପାଙ୍କ ମାନସିକ ଅବସ୍ଥା ଭଲ ରହୁ ନଥିବାରୁ ପରିବାରର ଏକ ମାତ୍ର ରୋଜଗାରିଆ ସାଜି ପ୍ରତିପୋଷଣ ପାଇଁ ଅଣ୍ଟା ଭିଡ଼ିଲେ। ଏଥିପାଇଁ ପାଠପଢ଼ାରେ ଡୋରି ବାନ୍ଧି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲେ। କିନ୍ତୁ ଦଇବ ଦାଉ ସାଧିଲା। କର୍ମକ୍ଷେତ୍ରରେ ସିମେଣ୍ଟ୍ କାନ୍ଥ ତଳେ ଚାପି ହୋଇ ପ୍ରାଣବାୟୁ ଉଡ଼ିଗଲା। ଆଉ ଦୀର୍ଘାୟୁ ହେବାର ଆଶୀର୍ବାଦ ନେଇ ଘରୁ ପାଦ କାଢ଼ିଥିବା ପୁଅର ଶବ ଭିଟାମାଟିକୁ ଫେରିବା ପରେ ବାପାମାଆଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ବଡ଼କୋଦଣ୍ଡା ଗ୍ରାମର ବନମାଳୀ ନାଇକ ଓ ଗୋଲାପଙ୍କ ଏକମାତ୍ର ପୁଅ ଭିକାରି (୨୧)ଙ୍କ ଏଭଳି ଦୁଃଖଦ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଓଡ଼ିଶା ମୋ’ ପରିବାର ସହଯୋଗରେ ଭିକାରିଙ୍କ ଶବ ଆଜି ଭିଟାମାଟିରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି।
ଭିକାରିଙ୍କ ପରିବାର କହିଲେ ବାପାମାଆଙ୍କ ସମେତ ତିନି ଭଉଣୀ। ଦୁଇଭଉଣୀଙ୍କ ବାହାଘର ସରିଥିବା ବେଳେ ବାପା ବନମାଳୀଙ୍କ ମାନସିକ ଅବସ୍ଥା ଠିକ୍ ରହୁ ନଥିବାରୁ ସେ ପରିବାରର ପ୍ରତିପୋଷଣ ଦାୟିତ୍ବ ଚିନ୍ତା ଘାରି ଥିଲା। ଦଶମ ପାସ୍ କରିବା ପରେ ଯୁକ୍ତଦୁଇରେ ଭିକାରି ନାମ ଲେଖାଇଥିଲେ। କିନ୍ତୁ କ‌ରୋନା ମହାମାରୀର ପ୍ରାଦୁର୍ଭାବ ହେତୁ ଭିକାରି ପାଠପଢ଼ା ଛାଡ଼ି କାମ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସ୍ଥାନୀୟ ଅଞ୍ଚଳ‌‌ରେ କିଛି କାମ ନ ମିଳିବାରୁ ରାଜ୍ୟ ବାହାରକୁ ଯାଇ ଦାଦନ ଖଟିବାକୁ ମନସ୍ଥ କରି ସେଠାରେ ରହୁଥିବା କିଛି ସାଙ୍ଗମାନଙ୍କ ସହ ଯୋଗାଯୋଗ କରିଥିଲେ। ୧୫ ଦିନ ତଳେ କେରଳର ମାଲା ପୁଲିସ ଥାନା ଅଧୀନ ଥ୍ରିସୁର୍ ଯାଇ ସେଠାରେ ଜଣେ ଠିକାଦାରଙ୍କ ଅଧୀନରେ ଘର ନିର୍ମାଣ କାମରେ ନିୟୋଜିତ ହୋଇଥିଲେ।

ଗତ ୧୬ ତାରିଖରେ କାମ କରୁଥିବା ସମୟରେ ହଠାତ୍ ଏକ ସିମେଣ୍ଟ୍ କାନ୍ଥ ଭିକାରିଙ୍କ ଉପରେ ପଡ଼ିଯିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ।  ସେଠାରେ ଥିବା ତାଙ୍କ ସଂର୍ପକୀୟ ମାମୁ ସୁଧୀର ନାଇକ ମାଲିକଙ୍କ ସହ ଯୋଗାଯୋଗ କରି ବିମାନ ଯୋଗେ ଶବକୁ ଭୁବନେଶ୍ବର ଆଣିଥିଲେ। ‌ଏହାପରେ ଓଡ଼ିଶା ମୋ’ ପରିବାର ସହଯୋଗରେ ଆଜି ଭିକାରିଙ୍କ ଶବ ବଡ଼କୋଦଣ୍ଡା ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁଅର ଶବକୁ ଦେଖି ମାଆ ଗୋଲାପଙ୍କ ପାଟିରୁ କଥା ବି ବାହାରୁ ନଥିଲା। ‌କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ିଥିଲା। ଭିକାରିଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଂପୂର୍ଣ୍ଣ ଭାବେ ‌ବେସାହାରା ପାଲଟିଛି। ସେମାନେ ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସହାୟତା ପ୍ରଦାନ ଦାବି ହୋଇଛି। ସୂଚନା ଥାଉକି, ମୃତ ଭିକାରି ନିଜ ଅଞ୍ଚଳରେ ଜଣେ ଭଲ କ୍ରିକେଟ୍ ଖେଳାଳି ଭାବେ ବି ପରିଚୟ ସୃଷ୍ଟି କରିଥିଲେ।

ସମ୍ବନ୍ଧିତ ଖବର