ଚନ୍ଦ୍ରଗିରି: ଗାଁକୁ ଶବ ହୋଇ ଫେରିଲେ ଦାଦନ ଶ୍ରମିକ। ସୁଦୂର କେରଳକୁ ଦାଦନ ଖଟିବାକୁ ଯାଇଥିବା ଗଜପତି ଜିଲ୍ଲା ମୋହନା ବ୍ଲକ୍ ଚନ୍ଦ୍ରଗିରି ଗ୍ରାମର ସନ୍ତୋଷ ସଭାନାୟକ(୩୭)ଙ୍କ ଶବ ଗ୍ରାମକୁ ଫେରିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗତ ୫ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ କେରଳରର ଏର୍ଣ୍ଣାକୁଲମ୍ ଜିଲ୍ଲା କାଲୁରୁ ଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ୮ ଦିନ ପରେ ଓଡ଼ିଶା ମୋ ପରିବାର ସହାୟତାରେ ଗତକାଲି ସନ୍ଧ୍ୟାରେ ମୃତଦେହ ଚନ୍ଦ୍ରଗିରି ଠାରେ ପହଞ୍ଚିବା ପରେ ଶବ ସତ୍କାର କରାଯାଇଛି। ମୃତ ସନ୍ତୋଷ ହେଉଛନ୍ତି ଚନ୍ଦ୍ରଗିରି ହରିଜନ ସାହିର ଅବଧୂତ ସଭାନାୟକଙ୍କ ବଡ଼ପୁଅ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସନ୍ତୋଷ ପ୍ରାୟ ୧୦ ବର୍ଷରୁ ଅଧିକ ହେଲା ଅନ୍ୟ ରାଜ୍ୟକୁ ଯାଇ କାମକରି ପରିବାର ଚଳାଉଥିଲେ।
ସୂଚନା ପ୍ରକାରେ ଚଳିତ ମାସ ୧ ତାରିଖରେ ସନ୍ତୋଷ ଗ୍ରାମର ଅନ୍ୟ ୫ଜଣଙ୍କ ସହିତ କେରଳକୁ ଏକ ହୋଟେଲରେ କାମ କରିବା ପାଇଁ ଯାଇଥିଲେ। ସେଠାରେ ପହଂଚିବା ପରେ ସନ୍ତୋଷ ନିଖୋଜ ହୋଇ ଯାଇଥିଲେ। ସହକର୍ମୀ ମାନେ ଖୋଜାଖୋଜି କରିବା ସହ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଥିଲେ। ଏବଂ ସେଠା ପୁଲିସ୍କୁ ମଧ୍ୟ ଅବଗତ କରାଇଥିଲେ। ୫ ତାରିଖରେ କେରଳ ପୁଲିସ୍ ପକ୍ଷରୁ ପରିବାରକୁ ଏକ ସଡ଼କ ଦୁର୍ଘଟଣାରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ଆସିଥିଲା। ତୁରନ୍ତ ପରିବାର ବର୍ଗ ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସଭ୍ୟ ସୁନୀଲ ବିଷୋୟୀଙ୍କୁ ଜଣାଇଥିଲେ।
ଜିଲ୍ଲା ପରିଷଦ ସଭ୍ୟ ମୋହନା ବିଡିଓ ତପସ୍ବିନୀ ହାଁସଦା ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ସେଠାରୁ ଓଡ଼ିଶା ମୋ ପରିବାର ସହାୟତାରେ ସନ୍ତୋଷର ମୃତଦେହକୁ କେରଳରୁ ବିମାନରେ ଭୁବନେଶ୍ବର ଓ ସେଠାରୁ ଆମ୍ବୁଲାନ୍ସ ଯୋଗେ ଚନ୍ଦ୍ରଗିରି ଅଣା ଯାଇଥିଲା। ମୋହନା ବ୍ଳକ୍ ଅଧ୍ୟକ୍ଷ ରଞ୍ଜିବ ଶବର, ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସଭ୍ୟ ସୁନିଲ ବିଷୋୟୀ, ଜିଲ୍ଲାର ବରିଷ୍ଠ ବିଜେଡି ନେତ୍ରୀ ନର୍ମଦା ଦଳାଇ, ସାଂସଦ ପ୍ରତିନିଧି ଭାସ୍କର ସାହୁ, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ବିପ୍ର ବଳିଆରସିଂ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି। ମୃତ ସନ୍ତୋଷଙ୍କ ବିଧବା ପତ୍ନୀ ଇଶ୍ବରୀ ସୋଭାନାୟକଙ୍କ ସମେତ ତିନି ଝିଅ ଅଛନ୍ତି। ଏହା ସହ ବୃଦ୍ଧ ବାପାମାଆ, ଦୁଇ ଭାଇ ଓ ଦୁଇ ଭଉଣୀ ରହୁଥିବା ବେଳେ ସନ୍ତୋଷ ପରିବାର ଏକମାତ୍ର ରୋଜଗାରିଆ ଥିଲେ। ତେଣୁ ପ୍ରଶାସନ ପକ୍ଷରୁ ଏହି ଅସହାୟ ପରିବାର ପ୍ରତି ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ପ୍ରଶାସନକୁ ନିବେଦନ କରିଛନ୍ତି।