ସୁନ୍ଦରଗଡ଼: ଖଣି ସମ୍ପଦ ଭରା ସୁନ୍ଦରଗଡ଼। ଏପଟେ ବିଶାଳ କୋଇଲା ଖଣି, ସେପଟେ ଲୁହାପଥର। ମଝିରେ ଇସ୍ପାତ ଶିଳ୍ପର ସହର। କିନ୍ତୁ ବିଡ଼ମ୍ବନା, ନିଯୁକ୍ତି ଓ ରୋଜଗାରର ଵିରାଟ ଭିତ୍ତିଭୂମି ଥିବା ସତ୍ତ୍ବେ ଜିଲ୍ଲାର ହଜାର ହଜାର ଯୁବକ, ଯୁବତୀଙ୍କ ହାତ ଖାଲି। ଯେଉଁଥିପାଇଁ ସେମାନେ ଆଜି ଦାଦନ ଶ୍ରମିକ। ରୋଜଗାର ଆଶାରେ କିଏ ସୁଦୂର ଗୋଆ, ମାଙ୍ଗାଲୋର, କେରଳରେ ମାଛଧରା ଡଙ୍ଗାରେ କିଏ ଆନ୍ଧ୍ରପ୍ରଦେଶର ଇଟାଭାଟିରେ। ଏହିକ୍ରମରେ ପେଟର ଭୋକ ଦୁଇ ପୁଅକୁ ଟାଣି ନେଇଥିଲା ସୁଦୂର ମାଙ୍ଗାଲୋର୍। ସେଠାରେ ମାଛ ଧରା ଡଙ୍ଗାରୁ ଖସି ପଡି ପ୍ରାଣ ହରାଇଛି ସାନ ପୁଅ।
ଆଜି ସାନ ପୁଅର ଶଵ ନେଇ ଘରକୁ ଫେରୁଛି ବଡ଼ ପୁଅ। ମୁଣ୍ଡ ପିଟି କାନ୍ଦୁଛନ୍ତି ଵୃଦ୍ଧ ବାପାମା ଓ ପତ୍ନୀ। ସୁନ୍ଦରଗଡ଼ ଜିଲ୍ଲା ଦାଦନପ୍ରବଣ ବାଲିଶଙ୍କରା ବ୍ଲକ୍ ଶାଗଵାହାଲ ପଞ୍ଚାୟତ ଅନ୍ତର୍ଗତ ଶଙ୍କରାବାହାଲର ଏ ମର୍ମନ୍ତୁଦ ଦାଦନ ଘଟଣା ସାରା ଗାଁରେ ଶୋକର ଛାୟା ଖେଳାଇ ଦେଇଛି। ଶଙ୍କରାବାହାଲର ହୀରାଲାଲ ଏକ୍କା ଙ୍କ ଦୁଇ ପୁଅ କିଶୋର ଏକ୍କା (୨୬) ଓ ସୁବାସ ଏକ୍କା (୨୩) ଗାଁରେ କାମଧନ୍ଦା ନମିଳିବାରୁ ଗତ ୨୦୨୧ ଅଗଷ୍ଟରେ ଅନ୍ଯ ଶ୍ରମିକଙ୍କ ସହ ମାଙ୍ଗାଲୋର ଯାଇଥିଲେ ଦାଦନ ଖଟି। ଘରେ ଵୃଦ୍ଧ ବାପାମା ଓ ପତ୍ନୀଙ୍କୁ ଛାଡି ଯାଇଥିଲେ। ସେଠାରେ ଦୁହେଁ ମାଛ ଧରିବା କାମରେ ନିୟୋଜିତ ହୋଇଥିଲେ। ଗତ ଜାନୁଆରି ୧୧ ତାରିଖରେ ସମୁଦ୍ରରେ ମାଛ ଧରୁଥିବା ବେଳେ ସୁଵାସ ଡଙ୍ଗାରୁ ଖସି ପଡିଥିଲେ। ଦିନକ ପରେ ତାଙ୍କ ମୃତଦେହ ମିଳିଥିଲା। ସେଠାକାର ଡାକ୍ତରଖାନାରେ ବ୍ଯବଚ୍ଛେଦ ପରେ କିଶୋର ମୃତଦେହକୁ ନେଇ ଗାଁକୁ ଫେରୁଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Hyderabad-Man-found-dead-in-house-in-Alwal.jpg)