ବ୍ରହ୍ମପୁର: ଅର୍ଥ ଅଭାବରୁ ହୋଇ ପାରୁନଥିଲା ଅସ୍ତ୍ରୋପଚାର, ‘ଓଡ଼ିଶା ମୋ ପରିବାର’ ସହାୟତାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଅସ୍ତ୍ରୋପଚାର ସଫଳ ହୋଇଥିଲା। କିନ୍ତୁ ଭାଗ୍ୟର ବିଡ଼ମ୍ବନା, ସବୁ ଚେଷ୍ଟା ସତ୍ତ୍ଵେ ରାମ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପର ମୁହୂର୍ତ୍ତରେ ପାର୍ଥିବଶରୀର ନିଜ ପୈତୃକ ଗ୍ରାମକୁ ଫେରିବା ପାଇଁ ଯାତାୟାତ ସହାୟତା ଯୋଗାଇ ଦେଲା ଓଡ଼ିଶା ମୋ ପରିବାର।
ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ଗୋଲନ୍ଥରା ଗ୍ରାମର ୪୬ ବର୍ଷିୟ ବାସିନ୍ଦା ଜି. ରାମମୂର୍ତ୍ତି ରେଡ୍ଡୀ ଗୁଜୁରାଟରେ ରହି କାମ କରୁଥିଲେ। ଗତ ଅଗଷ୍ଟ ୧ ତାରିଖରେ ତାଙ୍କର ବ୍ରେନ ଷ୍ଟ୍ରୋକ ହେବାରୁ ପରିବାର ସଦସ୍ୟ ତାଙ୍କୁ ଗୁଜୁରାଟସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରିବାରବର୍ଗ ଆର୍ଥିକ ଚାପରେ ଥିବାରୁ ରୋଗୀକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଚିକିତ୍ସା କରାଇବା ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ। ଦୁର୍ଭାଗ୍ୟବଶତଃ, ସମ୍ପୃକ୍ତ ହସ୍ପିଟାଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ନଥିବାରୁ ହସ୍ପିଟାଲରେ ତାଙ୍କୁ ପଇସା ମଗା ଯାଇଥିଲା। ପରିବାର ବର୍ଗ ଉପାୟଶୂନ୍ୟ ହୋଇ ଓଡ଼ିଶା ମୋ ପରିବାରର ସାହାଯ୍ୟ ଲୋଡିଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ଗୁଜୁରାଟରେ ଥିବା ଓଡ଼ିଶା ମୋ ପରିବାରର ସ୍ପକ ପ୍ରଦୀପ ସାହୁ ରୋଗୀକୁ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକୀୟ ସାହାଯ୍ୟ କରିଥିଲେ। ତାଙ୍କର ଚିକିତ୍ସା ଏବଂ ଅସ୍ତ୍ରୋପଚାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସଫଳ ହୋଇଥିଲା।
ଦୁର୍ଭାଗ୍ୟବଶତଃ, ତାଙ୍କୁ ବଞ୍ଚେଇ ରଖିବା ପାଇଁ ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ଵେ ସେ ଗତ ଅଗଷ୍ଟ ୧୬ ତାରିଖରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ଏହାପରେ ପରିବାର ସଦସ୍ୟ ରାମଙ୍କ ମରଶରୀରକୁ ଗଞ୍ଜାମସ୍ଥିତ ତାଙ୍କ ଗ୍ରାମକୁ ନେବାପାଇଁ ଯାତାୟାତ ସହାୟତା ଯୋଗାଇ ଦେବା ପାଇଁ ଓଡ଼ିଶା ମୋ ପରିବାରକୁ ଅନୁରୋଧ କରିଥିଲେ। ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ରାମଙ୍କ ମରଶରୀର ଗଞ୍ଜାମସ୍ଥିତ ତାଙ୍କ ଗ୍ରାମକୁ ଫେରିବା ପାଇଁ ଯାତାୟାତ ସହାୟତା ଯୋଗାଇ ଦିଆଯାଇଥିଲା। ପାର୍ଥିବଶରୀର ଗଞ୍ଜାମରେ ପହଞ୍ଚିବା ପରେ ଗଞ୍ଜାମ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ସୁବାସ ମହାରଣା ଉପସ୍ଥିତ ରହି ପରିବାର ସଦସ୍ୟଙ୍କୁ ଆଶ୍ଵାସନା ଦେବା ସହିତ ଶେଷକୃତ୍ୟ ସମ୍ପନ୍ନରେ ସାହାଯ୍ୟ କରିଥିଲେ।