୮ ଘଣ୍ଟା ଅଟକି ରହିଲା ମୃତଦେହ : କ୍ଷତିପୂରଣ ଓ ନିଯୁକ୍ତି ପ୍ରତିଶ୍ରୁତି ପରେ ଶବ ଉଠିଲା, ସ୍ତ୍ରୀଙ୍କୁ ନିଯୁକ୍ତି ନେଇ ପ୍ରଶାସନ ଓ କଂପାନିର ଭିନ୍ନମତ

ଲାଞ୍ଜିଗଡ଼/ଭବାନୀପାଟଣା : ଗଣ୍ଡଗୋଳ ଆଶଙ୍କା କରି ଲାଞ୍ଜିଗଡ଼ ବେଦାନ୍ତ ପ୍ଲାଣ୍ଟ ଗେଟ୍‌ଠାରୁ ୨ କିଲୋମିଟର ପର୍ଯ୍ୟନ୍ତ ଜାରି ହୋଇଥିଲା ୧୪୪ ଧାରା। ୫ ଜଣରୁ ଅଧିକ ଲୋକ ଏକାଠି ଯିବା ଉପରେ ଲଗାଯାଇଥିଲା କଡ଼ା କଟକଣା। ସେଥିପାଇଁ ବୁର୍ଲା ମେଡିକାଲରେ ‌ମୃତ୍ୟୁବରଣ କରିଥିବା ବିଚାରାଧୀନ କଏଦୀ ପଟ୍ଟନାୟକ ହରିଜନଙ୍କ ଶବକୁ ତାଙ୍କ ଗାଁ ରେଙ୍ଗୋପାଲିକୁ ନିଆଯିବା ବାଟରେ ଦେଖା ଦେଇଥିଲା ଉତ୍ତେଜନା। ଶବକୁ ଲାଞ୍ଜିଗଡ଼ରେ ୮ ଘଣ୍ଟାରୁ ଅଧିକ ସମୟ ଅଟକାଇ ରଖିବାକୁ ପଡ଼ିଥିଲା। ଏହି ସମୟ ମଧ୍ୟରେ ପ୍ରଶାସନ ଉଦ୍ୟମରେ ସ୍ଥାନୀୟ ଗ୍ରାମବାସୀ, ପ୍ରଶାସନ ଓ ବେଦାନ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣା ବୈଠକ ଅନୁଷ୍ଠିତ ହୋଇଥିଲା। ମୃତ ଶ୍ରୀ ହରିଜନଙ୍କ ପରିବାରକୁ ସାଢ଼େ ଦଶ ଲକ୍ଷ ଟଙ୍କା, ସ୍ତ୍ରୀ ଓ ଝିଅଙ୍କୁ ଚାକିରି ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ଶବକୁ ନେଇ ଗାଁରେ ଶେଷକୃତ୍ୟ କରାଯାଇଥିଲା। ତେବେ ଏହି ଘଟଣାରେ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ପଚାରାଯିବାରୁ ଶ୍ରୀ ହରିଜନ ପ୍ଲାଣ୍ଟର ଯେଉଁ ଠିକା ସଂସ୍ଥାରେ କାମ କରୁଥିଲେ ସେହି ଠିକା ସଂସ୍ଥା ୧୦ ଲକ୍ଷ ଟଙ୍କା ଦେବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଲାଞ୍ଜିଗଡ଼ ବେଦାନ୍ତ କମ୍ପାନି ଗେଟ ସମ୍ମୁଖରେ ଗତ ମାର୍ଚ୍ଚ ୧୮ ତାରିଖରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ବେଦାନ୍ତ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ଓଆଇଏସ୍‌ଏଫ କର୍ମୀ ଓ ଛତ୍ରପୁର ଗ୍ରାମର ଦାନି ବାତ୍ରାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁଲିସ ୨୯ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନଙ୍କ ମଧ୍ୟରେ ଲାଞ୍ଜିଗଡ ବ୍ଲକ ରେଙ୍ଗୋପାଲି ଗ୍ରାମର ପଟ୍ଟନାୟକ ହରିଜନ(୪୫) ମଧ୍ୟ ଥିଲେ। ସେମାନଙ୍କୁ ବିଚାରାଧୀନ କଏଦୀ ଭାବେ ଭବାନୀପାଟଣା ଜେଲରେ ରଖାଯାଇଥିଲା। ତେବେ ଗୁରୁତର ଅସୁସ୍ଥ ହୋଇ ହରିଜନଙ୍କର ଶୁକ୍ରବାର ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ଶବକୁ ଗାଁକୁ ଅଣାଯିବା ବାଟରେ ପ୍ଲାଣ୍ଟ ଗେଟ୍‌ ପଡ଼ୁଥିବାରୁ କାଳେ ଗଣ୍ଡଗୋଳ ହେବ ସେ ଆଶଙ୍କାରେ ବେଦାନ୍ତ ଅଞ୍ଚଳର ୨ କିମି ପରିଧିରେ ୧୪୪ ଧାରା ଜାରି କରାଯାଇଥିଲା। ତେବେ ଶୁକ୍ରବାର ରାତି ପ୍ରାୟ ୨ଟାରେ ଶ୍ରୀ ହରିଜନଙ୍କ ମୃତଦେହ ଲାଞ୍ଜିଗଡ଼ ଥାନା ନିକଟରେ ପହଞ୍ଚିଥିଲା। ସେଠାରେ ପୁଲିସ ଆମ୍ବୁଲାନ୍ସ ସହିତ ମୃତଦେହକୁ ଅଟକାଇଥିଲା। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ମନାଇବାକୁ ପୁଲିସ ଓ ପ୍ରଶାସନ ଉଦ୍ୟମ କରିଥିଲା।

ଆଲୋଚନାରେ ଉପସ୍ଥିତ ଥିବା ପୁଲିସ ତଥା ପ୍ରଶାସନର ଅଧିକାରୀ କହିଛନ୍ତି ଯେ ମୃତକଙ୍କ ପରିବାରକୁ କମ୍ପାନି ପକ୍ଷରୁ ୧୦.୫ ଲକ୍ଷ ଟଙ୍କା ସହାୟତାର ପ୍ରତିଶ୍ରୁତି ଦିଆଯାଇଛି। ୫୦ ହଜାର ଟଙ୍କା ତୁରନ୍ତ ପ୍ରଦାନ କରାଯାଇଛି ୭ ଦିନ ମଧ୍ୟରେ ସାଢ଼େ ୭ ଲକ୍ଷ ଓ ୧୫ ଦିନ ମଧ୍ୟରେ ଅବଶିଷ୍ଟ ଅଢ଼େଇ ଲକ୍ଷ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏଥିସହ ମୃତ ଶ୍ରୀ ହରିଜନଙ୍କ ପତ୍ନୀଙ୍କୁ ବେଦାନ୍ତରେ ଦୁଇମାସ ମଧ୍ୟରେ ଚାକିରି ପାଇଁ ପ୍ରତିଶ୍ରୁତି ମିଳିଛି। ଏହାପରେ ଅପରାହ୍ନ ୨ଟାରେ ମୃତଦେହ ରେଙ୍ଗୋପାଲି ନିଆଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଅନ୍ୟପକ୍ଷରେ ବେଦାନ୍ତ ପକ୍ଷରୁ ଏହାର ମୁଖପାତ୍ର କହିଛନ୍ତି ଯେ ପ୍ରଶାସନ ଉଦ୍ୟମରେ ବେଦାନ୍ତରେ କାମ କରୁଥିବା ଏକ ସହଯୋଗୀ ସଂସ୍ଥା ମୃତକଙ୍କ ପରିବାରକୁ ମାନବିକତା ଆଧାରରେ ସହାୟତା ପ୍ରଦାନ କରିବାକୁ ସମ୍ମତି ଦେଇଛି। କଂପାନି ପକ୍ଷରୁ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରାଯାଉଛି। ତେବେ କଂପାନିର ଦିଲ୍ଲୀସ୍ଥିତ ଅଫିସ ପକ୍ଷରୁ କୁହାଯାଇଛି ଯେ ମୃତକଙ୍କ ସ୍ତ୍ରୀଙ୍କୁ ବେଦାନ୍ତରେ ନିଯୁକ୍ତି ନେଇ କୌଣସି ପ୍ରତିଶ୍ରୁତି ଦିଆଯାଇନାହିଁ।

ସମ୍ବନ୍ଧିତ ଖବର