ମରିଗଲା ମାନବିକତା: ଗାଁ ଦାଣ୍ଡରେ ୯ ଘଂଟା ପଡ଼ିରହିଲା ମୃତଦେହ

ଉତ୍ତେଜିତ ଲୋକଙ୍କ ଆଗରେ ପୁଲିସ, ମାଜିଷ୍ଟ୍ରେଟ ଅସହାୟ

ରାଜନଗର: ମାନବିକତା ମରିଯାଇଛି । ଗାଁ ଦାଣ୍ଡରେ ମୃତଦେହକୁ ୯ ଘଣ୍ଟା ଧରି ଅଟକାଇ ଦିଆଯାଇଛି । ଗାଁର ଏକ ଗୋଷ୍ଠୀ ରାସ୍ତାକୁ ବ୍ୟକ୍ତିଗତ ଦର୍ଶାଇ ବାଉଁଶ ବାନ୍ଧି ଶବକୁ ଅଟକାଇ ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଲା ଯେ, ପୁଲିସ ଓ ମାଜିଷ୍ଟ୍ରେଟକୁ ମଧ୍ୟ ଗାଁ ଲୋକେ ଖାତିର କରି ନାହାନ୍ତି । ଉତ୍ତେଜିତ ଲୋକେ ପୁଲିସକୁ କହିଛନ୍ତି, ଆମ ଜାଗାରେ ଗାଁ ରାସ୍ତା ହୋଇଛି। ରାସ୍ତାରେ ଶବ ଛାଡିବୁ ନାହିଁ କହି ଗଣ୍ଡଗୋଳକାରୀ ଠେଙ୍ଗାବାଡି ଓ ଇଟା, ପଥର ଧରି ପୁଲିସକୁ ପେଲି ଗଣ୍ଡଗୋଳ କରିଛନ୍ତି । କରୋନା ସମୟରେ ବିଭିନ୍ନ ସ୍ଥାନରେ ଅମାନବୀୟ କାର୍ଯ୍ୟର ଚିତ୍ର ଆସୁଥିବା ବେଳେ ରାଜନଗର ଥାନା ଅଂଚଳର ମାନବିକତା ମରିଯାଇଥିବାର ହୃଦୟ ବିଦାରକ ଚିତ୍ର ଆଲୋଡନ ସୃଷ୍ଟି କରିଛି ।

ସୂଚନା ଅନୁସାରେ କେନ୍ଦ୍ରାପଡ଼ାର ରାଜନଗର ବ୍ଲକ କୁରୁଂଟି ପଂଚାୟତ ଶିରିଗଡ ଗାଁର ସୁକଦେବ ସ୍ୱାଇଁ (୭୦ବର୍ଷ)ଙ୍କର ଆଜି ସକାଳ ୬ଟାରେ ବ୍ରେନଷ୍ଟ୍ରୋକ ଯୋଗୁଁ ମୃତ୍ୟୁ ଘଟିଥିଲା । ଦିନ ପ୍ରାୟ ୯ ଘଟିକା ସମୟରେ ଶବକୁ ପରିବାର ଲୋକେ କୋକେଇରେ ଗାଁ ମଶାଣିକୁ ନେଉଥିଲେ । ପରିବାର ଓ ବନ୍ଧୁ ପରିଜନ ତାଙ୍କ ପ୍ରିୟଜନଙ୍କୁ ହରାଇ ଦୁଃଖରେ ମିୟମ୍ରାଣ ହୋଇ ରାମ ନାମ ସତ୍ୟ ହେ କହି ଶବ ମଶାଣିକୁ ନେଉଥିଲେ । ଘରଠୁଁ ୨ଶହ ମିଟର ଯିବାପରେ ଗାଁ ଦାଣ୍ଡରେ ବାଉଁଶ ବାନ୍ଧି ଶବକୁ ଅଟକାଇ ଦିଆଯାଇଥିଲା । ଗାଁର ଏକ ଗୋଷ୍ଠୀ କହିଥିଲେ, ରାସ୍ତା ଆମର ବ୍ୟକ୍ତିଗତ ଜାଗାରେ ତିଆରି ହୋଇଛି । ଏହି ବାଟ ଦେଇ ଶବ ମଶାଣିକୁ ଯାଇପାରିବ ନାହିଁ। ଏହା କହି ସେମାନେ ଶବକୁ ରାସ୍ତା ଛାଡି ନ ଥିଲେ ।

ଦୀର୍ଘ ବର୍ଷ ହେଲା ଏହା ଗାଁ ରାସ୍ତା ଥିବାବେଳେ ସରକାରଙ୍କ ତରଫରୁ ଅର୍ଥ ଖର୍ଚ୍ଚ କରାଯାଇ ଗାଁ ଦାଣ୍ଡକୁ କଂକ୍ରିଟ କରାଯାଇଛି । ମାତ୍ର ମାନବିକତା ହରାଇଥିବା କିଛି ଲୋକ ଗାଁ ଦାଣ୍ଡରେ ଶବ ଛାଡିନଥିଲେ । ଅନ୍ୟ ଏକ ରାସ୍ତାରେ ଶାସନ, ଚନ୍ଦ୍ରଶିିଖର ଓ ନୋଧାବସନ୍ତ ୩ଟି ଗାଁ ପାରକରି ଶବ ନେବାକୁ ଶବ ଅଟକାଇଥିବା ଲୋକେ କହିଥିଲେ । ନିଜ ଗାଁ ଦାଣ୍ଡରେ ଶବ ଯାଇପାରିବ ନାହିଁ, ପାଖ ୩ଟି ଗାଁ ପାରକରି ଶବ କିପରି ଯିବ, ତାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏ ନେଇ ରାଜନଗର ଥାନାକୁ ଖବର ଦିଆଯାଇଥିଲା । ସାଢେ ଗୋଟାଏ ବେଳେ ପୁଲିସ ଘଟଣା ସ୍ଥଳରେ ପହଁଚିଥିଲା । ମାତ୍ର ଗାଁ ଦାଣ୍ଡରେ ଶବ ଛାଡୁନଥିବା ଲୋକେ ପୁଲିସକୁ ବି ନାଲିଆଖି ଦେଖାଇଥିଲେ ।

ଖବରପାଇ ତହସିଲଦାର ଭୋଳାନାଥ ସେଠୀ, ଆଇଆଇସି ତପନ କୁମାର ନାୟକ ଘଟଣାସ୍ଥଳରେ ପହଁଚିଥିଲେ । ଗାଁ ଦାଣ୍ଡରେ ଶବ ମଶାଣିକୁ ଯିବ ବୋଲି କହିବା ପରେ ଶବ ଅଟକାଇଥିବା ଲୋକେ ପୁଲିସ, ମାଜିଷ୍ଟ୍ରେଟଙ୍କୁ ଠେଲାପେଲା କରି ଗଣ୍ଡଗୋଳ କରିବାକୁ ଆଗେଇ ଆସିଥିଲେ । ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶବ ଅଟକାଇଥିବା ଲୋକେ ଠେଙ୍ଗା, ବାଡି ଓ ଇଟା, ପଥର ଧରି ଗଣ୍ଡଗୋଳ କରିଥିଲେ । ପୁଲିସ ପହଁଚିବା ପୂର୍ବରୁ ସାଢେ ୪ ଘଂଟା ଶବ ପଡି ରହିଥିବା ବେଳେ ପୁଲିସ ପହଁଚିବା ପରେ ମଧ୍ୟ ୪ ଘଂଟା ଧରି ଶବ ପଡି ରହିଥିଲା । ଗଣ୍ଡଗୋଳକାରୀଙ୍କ ଔଦ୍ଧତ୍ୟ ସାମ୍ନାରେ ପୁଲିସ ଓ ମାଜିଷ୍ଟ୍ରେଟ ଅସହାୟ ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ପୁଲିସ ଓ ମାଜିଷ୍ଟ୍ରେଟ ଯେତେ ବୁଝାଇଲେ ମଧ୍ୟ ଗାଁ ରାସ୍ତାରେ ବାଉଁଶ ବାନ୍ଧିଥିବା ଲୋକେ ଶବ ଛାଡିବାକୁ ରାଜି ହୋଇନଥିଲେ ।

ଗାଁରେ ଉତ୍ତେଜନା ବଢୁଥିବା ବେଳେ ଅନ୍ୟପଟେ ଗାଁ ଲୋକ ମାନବିକତା ହରାଇଥିବା ଘଟଣାକୁ ନେଇ ଆଲୋଡନ ସୃଷ୍ଟି ହୋଇଥିଲା । ଏସଡିପିଓ ରଂଜନ କୁମାର ଦେ ଘଟଣାସ୍ଥଳରେ ପହଁଚିବା ପରେ ଉଭୟ ପକ୍ଷର ମୁରବୀ, ସରପଂଚ ଜୁମର କୁମାର ସ୍ୱାଇଁ, ତହସିଲଦାର ଓ ପୁଲିସ ବସି ଆଲୋଚନା କରିଥିଲେ ।

ସମ୍ବନ୍ଧିତ ଖବର