ରାଉରକେଲା: ଟିମ୍ବରକଲୋନିରୁ ନିଖୋଜ ଯୁବକଙ୍କ ଶବ କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ସାକିଡି ଛକ ରାସ୍ତାପାର୍ଶ୍ବ ନାଳ ପାଖରୁ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ରାଜା ଘଡାଇ (୨୭)। ଏହି ଘଟଣାରେ ପ୍ଲାଣ୍ଟସାଇଟ୍ ଥାନା ମୃତ ରାଜାର ସାଙ୍ଗ କାଳିଆକୁ ଅଟକ ରଖିଛି। ଅନ୍ୟ ଜଣେ ସାଙ୍ଗ କାର୍ ସହ ଫେରାର ଥିବା ଜଣାପଡ଼ିଛି। ଆଜି ପରିବାର ଲୋକ ପ୍ଲାଣ୍ଟସାଇଟ୍ ଥାନାରେ ପହଞ୍ଚି ରାଜାକୁ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି। ସେପଟେ କୋରାପୁଟ ପଟାଙ୍ଗି ଥାନା ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହତ୍ୟା କରାଯାଇଛି କି ନାହିଁ ଜଣାପଡ଼ିବ ବୋଲି ପଟାଙ୍ଗି ପୁଲିସ୍ କହିଛି।
ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଉଭୟ ପ୍ଲାଣ୍ଟସାଇଟ୍ ଓ ପଟାଙ୍ଗି ପୁଲିସ ଘଟଣାର ତଦନ୍ତ ଚଳାଇଛନ୍ତି। ମିଳିଥିବା ସୂଚନା ମୁତବାକ ଗତ ସେପ୍ଟେମ୍ବର ୨୬ରେ ରାଜା, କାଳିଆ ଓ ସେମାନଙ୍କ ଅନ୍ୟ ଜଣେ ସାଙ୍ଗ କାର୍ ଯୋଗେ ଘରୁ ବାହାରି ଯାଇଥିଲେ। ସେହିଦିନ ରାତି ସୁଦ୍ଧା ରାଜା ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ନ ପାଇବାରୁ ପରଦିନ ଅର୍ଥାତ୍ ୨୭ରେ ପ୍ଲାଣ୍ଟସାଇଟ୍ ଥାନାରେ ରାଜାଙ୍କ ନିଖୋଜ ଅଭିଯୋଗ କରିଥିଲେ। ସେହିଦିନ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପରଜାପୁଙ୍ଗାର ସାକିଡି ଛକ ନାଳ ନିକଟରେ ଜଣେ ଅଚିହ୍ନା ଯୁବକର ଶବ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଶବ ଜବତ କରି ସ୍ଥାନୀୟ ଡାକ୍ତରଖାନାକୁ ପଠାଇଥିଲା। ହେଲେ ଯୁବକଙ୍କ ପରିଚୟ ମିଳିପାରି ନଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ପଠାଇଥିଲା। ସୁନାବେଡା ଏସ୍ଡିପିଓ ମନୋଜ କୁମାର ବେହେରା, ଥାନା ଅଧିକାରୀ ଚତୁର୍ଭୁଜ ନାୟକ ଘଟଣାର ତଦନ୍ତ କରିଥିଲେ। ତିନିଦିନ ପରେ ମଙ୍ଗଳବାର ଟିମ୍ବରକଲୋନିର ପରିବାର ଲୋକ କୌଣସି ସୂତ୍ରରୁ ଖବର ପାଇ କୋରାପୁଟ ଯାଇଥିଲେ। ସେମାନେ ଶବ ଦେଖିବା ପରେ ତାହା ରାଜାଙ୍କର ବୋଲି ଚିହ୍ନଟ କରିଥିଲେ।