ସୁନାପୁର ବେଳାଭୂମିରେ ମୃତ ଡଲ୍‌ଫିନ

ଚିକିଟି : ଶୁକ୍ରବାର ସକାଳେ ଗଞ୍ଜାମ ଜ଼ିଲ୍ଲା ସୁନାପୁର ସମୁଦ୍ର ବେଳାଭୂମିରେ ଏକ ବିରଳ ମୃତ ଡଲ୍‌ଫିନ ଉଦ୍ଧାର କରାଯାଇଛି। ବଟଲ୍‌ ନୋଜ୍‌ ପ୍ରଜାତିର ଭଳି ଦେଖା ଯାଉଥିବା ଏହି ଡଲ୍‌ଫିନ ଶବ ପଚାସଢା ଅବସ୍ଥାରେ ପଡ଼ିଥିବା ଦେଖି କିଛି ଯୁବକ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଜଙ୍ଗଲ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଡଲ୍‌ଫିନଟିକୁ ଉଦ୍ଧାର କରିଥିଲେ। ପରେ ବ୍ୟବଚ୍ଛେଦ କରାଯାଇ ସମୁଦ୍ର ତଟରେ ପୋତି ଦିଆ ଯାଇଥିବା ସୂଚନା ମିଳିଛି। ଜଙ୍ଗଲ ବିଭାଗ କହିବା ପ୍ରକାରେ, ମୃତ ଡଲଫିନର ଓଜନ ପ୍ରାୟ ଦୁଇ କ୍ବିଣ୍ଟାଲରୁ ଅଧିକ ହୋଇଥିବା ବେଳେ ଲମ୍ବ ୫ଫୁଟ ୮ ଇଞ୍ଚ ଏବଂ ଗୋଲେଇ ୪ ଫୁଟ ୫ ଇଞ୍ଚ। ତେବେ ଡଲ୍‌ଫିନଟି ବଟଲ୍‌ ନୋଜ୍‌ ପ୍ରଜାତିର କି ଅନ୍ୟ କୌଣସି ପ୍ରଜାତିର ତାହା ପରୀକ୍ଷା ପାଇଁ ମୃତଦେହର କିଛି ଅଂଶକୁ ପରୀକ୍ଷାଗାରକୁ ପଠାଯାଇଛି।

ଅନ୍ୟପଟେ ପ୍ରତିଦିନ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାରୁ ଶହ ଶହ ଟ୍ରଲର୍‌ ଗଭୀର ସମୁଦ୍ରକୁ ମାଛ ମାରିବା ପାଇଁ ଯାଉଥିବାରୁ ଟ୍ରଲର୍‌ର ଫ୍ୟାନ୍‌ ମାଡ଼ରେ ବିରଳ ସାମୁଦ୍ରିକ ଡଲ୍‌ଫିନ, ସାର୍କ ମୃତ୍ୟୁବରଣ କରୁଛନ୍ତି। ଗତ ଜୁଲାଇ ୨୦୧୮ରେ ଏକ ବିରଳ ହ୍ୱେଲ୍‌ ସାର୍କ ସୁନାପୁର ସମୁଦ୍ର ପଠାରେ ପଡ଼ିଥିଲା। ସାର୍କଟି ଜୀବିତ ଥିବା ଜାଣି ସ୍ଥାନୀୟଯୁବକ ମାନେ ତାକୁ ଠେଲି ଠେଲି ସମୁଦ୍ର ଭିତରକୁ ଛାଡ଼ିଥିଲେ। ସୁନାପୁର ଓ ଗୋପାଳପୁର ଆଦି ଇଲାକାରେ ଡଲ୍‌ଫିନ ଓ ସାର୍କ ଭଳି ଅନେକ ବିରଳ ମାଛ ଦେଖାଯାଆନ୍ତି। ମାତ୍ର ସେମାନଙ୍କ ସୁରକ୍ଷା ଏବଂ ତଥ୍ୟ ସଂଗ୍ରହ ପାଇଁ ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର