ସପ୍ତାହକ ମଧ୍ୟରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ, ପୋଡ଼ାଡିହା ରେଞ୍ଜରୁ ଦନ୍ତାର ମୃତଦେହ ଉଦ୍ଧାର

୩-୪ ମାସ ହେବ ହାତୀ ହାତୀ ଲଢ଼େଇରେ ରୋଗୀଣା ଥିବା କହି ଖସିଯିବାକୁ ବସିଛନ୍ତି ଉପନିର୍ଦ୍ଦେଶକ
ଜାଣିଥିଲେ ମାତ୍ର ବଞ୍ଚେଇପାରିଲେନି, ଟ୍ରାକିଂ କରୁ କରୁ ଚାଲିଗଲା ଦନ୍ତାର ପ୍ରାଣ

ବାରିପଦା : ୩-୪ ମାସ ହେବ ରୋଗୀଣା ଥିଲା। ହାତୀ ହାତୀ ଲଢ଼େଇ କାରଣରୁ ଆଘାତପ୍ରାପ୍ତ ହୋଇ ଅସୁସ୍ଥ ଥିଲା। ଆହତ ଅବସ୍ଥାରେ ଏଣେତେଣେ ବୁଲୁଥିଲା। ଆଜି ମୃତ୍ୟୁଖବର ମିଳିଛି। ଏହା ହେଉଛି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ(ଏସଟିଆର) ବାରିପଦା ଉପନିର୍ଦ୍ଦେଶକ ଯଞ୍ଜଦତ୍ତ ପତିଙ୍କ ଏକ ଦନ୍ତାହାତୀ ମୃତ୍ୟୁ ପରର ପ୍ରତିକ୍ରିୟା। ଆଜି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅନ୍ତର୍ଗତ ଦକ୍ଷିଣ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ପୋଡ଼ାଡ଼ିହା ରେଞ୍ଜରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଦନ୍ତାର ବୟସ ପ୍ରାୟ ୧୮ରୁ ଊର୍ଧ୍ବ ହେବବୋଲି ଜଣାପଡ଼ିଛି। ଗତ ୬ ତାରିଖରେ କପ୍ତିପଦା ରେଞ୍ଜ୍ ଶାରୀଶୁଆ ସେକ୍ସନ୍ରେ ଶିକାରୀମାନେ ଏକ ଦନ୍ତାହାତୀକୁ ମାରିବାର ମାତ୍ର ସପ୍ତାହେ ପୁରିନି ପୁଣି ଏକ ଦନ୍ତାର ମୃତ୍ୟୁ ଖବର ମିଳିଛି। ଯାହାକି ବିଭାଗୀୟ ଅଧିକାରୀଙ୍କ ବେପରୁଆ ମନୋଭାବ ଏବଂ ଦାୟିତ୍ବରୁ ଖସିଯିବାର ମାନସିକତାର ନଗ୍ନ ଉଦାହରଣ। ଉପନିର୍ଦ୍ଦେଶକ ଶ୍ରୀ ପତିଙ୍କ ଅନୁସାରେ ହାତୀଟି ପ୍ରାୟ ୩-୪ ମାସ ହେବ ରୋଗୀଣା ହୋଇପଡ଼ିଥିଲା। ତେବେ ତା’ର ଚିକିତ୍ସା ପାଇଁ କଣ ବ୍ୟବସ୍ଥା ହୋଇଥିଲା। କାହିଁକି ଉକ୍ତ ଦନ୍ତାକୁ ସୁସ୍ଥ କରିବାକୁ କୌଣସି ପଦକ୍ଷେପ ନିଆଗଲାନାହିଁ। ଏହାର କୌଣସି ଉତ୍ତର କିନ୍ତୁ ବିଭାଗ କିମ୍ବା ଅଧିକାରୀଙ୍କ ପାଖରେ ନାହିଁ।

ତେବେ ବିଭାଗ ପକ୍ଷରୁ ଉକ୍ତ ହାତୀକୁ ଟ୍ରାକିଂ କରାଯାଉଥିବା କୁହାଯାଇଛି। ଦନ୍ତାର ମୃତ୍ୟୁ ହେବାକୁ ବୋଧହୁଏ ବିଭାଗ ଟ୍ରାକିଂ କରୁଥିବା ଅଭିଯୋଗ ହୋଇଛି। କାରଣ ଆଜି ମୃତ୍ୟୁ ଖବର ମିଳିଥିବା ଉକ୍ତ ଦନ୍ତାର ରୋଗୀଣା ଅବସ୍ଥାର ଫଟୋ ବେଶ କିଛିଦିନ ଆଗରୁ ସମସ୍ତଙ୍କ ପାଖରେ ଅଛି। କିଛି ଦୂରରୁ ନିଆଯାଇଥିବା ଫଟୋରେ ଦନ୍ତାଟି ଅସୁସ୍ଥ ଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ମାତ୍ର ଏସ୍ଟିଆର ପକ୍ଷରୁ କିନ୍ତୁ ଚିକିତ୍ସା ପାଇଁ ସେପରି କୌଣସି ବ୍ୟବସ୍ଥା କରାଯାଇନଥିବା ଜଣାପଡ଼ିଛି। ମାତ୍ର ୫ ଦିନ ମଧ୍ୟରେ ଜିଲ୍ଲାରୁ ଦୁଇ ଦୁଇଟି ହାତୀ ମରିବାର ଖବର ପରେ ଅତ୍ୟନ୍ତ ଦାୟିତ୍ବହୀନ ମନ୍ତବ୍ୟ ଦେଇ କାମ ସାରିଦେବାକୁ ବସିଛନ୍ତି ବିଭାଗୀୟ ଅଧିକାରୀ। ସେହିପରି ପୂର୍ବ ଦନ୍ତା ଶିକାର ମୃତ୍ୟୁ ଘଟଣାରେ ଜଣେ ଫରେଷ୍ଟର ଏବଂ ଗାର୍ଡଙ୍କୁ ନିଲମ୍ବିତ କରି କାମ ସାରିଦେଇଛି ବାରିପଦା ବନଖଣ୍ଡ। ମାତ୍ର ଏପର୍ଯ୍ୟନ୍ତ ଶିକାରୀ ପାଖରେ ପହଞ୍ଚିପାରିନାହାନ୍ତି ଅଧିକାରୀ। ଆଜି ପୂର୍ବ ଦନ୍ତାର ମୁଣ୍ଡକଟା ଫଟୋ ସାମ୍ନାକୁ ଆସିଛି। ଯାହାକି ଅତ୍ୟନ୍ତ ହୃଦୟ ବିଦାରକ ଏବଂ ଦୁଃଖଦାୟକ। ଉକ୍ତ ଦନ୍ତା ମୃତ୍ୟୁରେ ପ୍ରଫେସନାଲ୍ ଶିକାରୀଙ୍କ ହାତ ଥିବା ବାରିପଦା ଡିଏଫ୍ଓ ସନ୍ତୋଷ ଯୋଶୀ ସୂଚନା ଦେଇଛନ୍ତି। ମାତ୍ର ବନକର୍ମଚାରୀଙ୍କ କର୍ତ୍ତବ୍ୟରେ ଅବହେଳା କାରଣରୁ ଏପରି ଶିକାର ହୋଇଥିବା ସେ ମାନିଛନ୍ତି। ତେବେ ଆଜିର ଦନ୍ତା ମୃତ୍ୟୁ ଘଟଣାରେ କାହାକୁ ଦାୟୀ କରାଯିବ ତାହା ଦେଖିବାକୁ ବାକି ରହିଲା। ଦନ୍ତା ରୋଗୀଣା ଥିବା ଟ୍ରାକିଂ କରାଯାଇପାରୁଛି। ଫଟୋ ମଧ୍ୟ ନିଆଯାଇପାରୁଛି। ମାତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇପାରୁନାହିଁ। ଏସ୍ଟିଆରର ଏପରି ଅବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ଶିକାରୀଙ୍କ ତୀରରେ ଆହତ ହୋଇଥିଲା ଦନ୍ତା !

ହାତୀ ହାତୀ ଲଢ଼େଇ କହି ବିଭାଗ ଲୁଚାଉଥିବା ଅଭିଯୋଗ
ଶିକାରୀଙ୍କ ଭୂସ୍ବର୍ଗ ପାଲଟିଛି ବାଲେଶ୍ବର, ମୟୂରଭଞ୍ଜ ଏବଂ କେନ୍ଦୁଝର ସୀମାବର୍ତ୍ତୀ ଜଙ୍ଗଲ ଅଞ୍ଚଳ
ଗତ ଦୁଇ ବର୍ଷରେ ମଲେଣି ୧୪ରୁ ଊର୍ଧ୍ବ ହାତୀ

ବାରିପଦା : ହାତୀ ହାତୀ ଲଢ଼େଇରେ ଦନ୍ତା ଆହତ ହୋଇଥିଲା। ରୋଗୀଣା ହୋଇ ମରିଗଲା। ଆଜି ପୋଡ଼ାଡ଼ିହା ରେଞ୍ଜରେ ଏକ ଦନ୍ତାହାତୀର ମୃତଦେହ ମିଳିବା ପରେ ବାରିପଦା ଏସ୍‌ଟିଆର ଉପନିର୍ଦ୍ଦେଶକଙ୍କ ଏହା ଥିଲା ପ୍ରତିକ୍ରିୟା। ମାତ୍ର ମିଳିଥିବା ସୂଚନା ଅନୁସାରେ ଶିକାରୀଙ୍କ ତୀର ମାଡ଼ରେ ହିଁ ଉକ୍ତ ଦନ୍ତା ଆହତ ହୋଇଥିଲା। ତୀରର ବିଷ ଫଳରେ ଦିନକୁ ଦିନ କ୍ରମଶଃ ରୋଗୀଣା ହୋଇପଡ଼ିଥିଲା ଦନ୍ତା। ଆଉ ଶେଷରେ ବିଭାଗ ଟ୍ରାକିଂ କରୁକରୁ ଜୀବନ ଛାଡ଼ିଲା। ହାତୀଙ୍କ ସୁରକ୍ଷା ଦିଗରେ ବିଭାଗ କିପରି ଦାୟିତ୍ବହୀନ ଆଜିର ଦନ୍ତାହାତୀ ମୃତ୍ୟୁ ହେଉଛି ଏକ ଜ୍ବଳନ୍ତ ଉଦାହରଣ। ତେବେ ଏହି ଦନ୍ତାର ଶବବ୍ୟବଚ୍ଛେଦ ରିପୋର୍ଟ କଣ ଆସିବ ତାହା ଅପେକ୍ଷା। ସେହିପରି ହାତୀ ସୁରକ୍ଷା ଏବଂ ଶିକାରୀଙ୍କୁ ରୋକ ଲଗାଇବା ନିମନ୍ତେ ବିଭାଗ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରାଯାଉନଥିବା ଅଭିଯୋଗ ହୋଇଛି।

ବାଲେଶ୍ବର ଜିଲ୍ଲାର କୁଲଡ଼ିହା, ଆନନ୍ଦପୁରର ହଦଗଡ଼ ଏବଂ ମୟୂରଭଞ୍ଜର ସୀମାବର୍ତ୍ତୀ ଜଙ୍ଗଲ ଅଞ୍ଚଳର ହାତୀମାନେ ବିଭିନ୍ନ ସ୍ଥାକୁ ଯିବାଆସିବା କରିଥାଆନ୍ତି। ଏହି ସବୁ ଅଞ୍ଚଳ ଦୁର୍ଗମ ହୋଇଥିବାରୁ ଏଠାରେ ଶିକାରୀ ସବୁବେଳେ ସକ୍ରିୟ ହୋଇ ରହିଥାଆନ୍ତି। ଏଠାରେ ନିୟୋଜିତ ହେଉଥିବା ବନକର୍ମଚାରୀଙ୍କୁ ଆବଶ୍ୟକ ତାଲିମ ଏବଂ ଅସ୍ତ୍ରଶସ୍ତ୍ର ଅଭାବରୁ ଶିକାରୀଙ୍କୁ ମୁକାବିଲା କରିବାରେ ପ୍ରାୟତଃ ବିଫଳ ହେଉଥିବା ଜଣାପଡ଼ିଛି। ଯାହାଫଳରେ ବନକର୍ମଚାରୀମାନେ ଦୁର୍ଗମ ଅଞ୍ଚଳକୁ ପାଟ୍ରୋଲିଂ କରିାପାରୁନାହାନ୍ତି। ତେଣୁ ଶିକାରୀଙ୍କ ଭୂସ୍ବର୍ଗ ପାଲଟିଛି ଏହି ଅଞ୍ଚଳ। ବନକର୍ମଚାରୀମାନେ କେବଳ ଠେଙ୍ଗା ଧରି ଏଠାରେ ପାଟ୍ରୋଲିଂ କରିଥାଆନ୍ତି। ମାତ୍ର ଶିକାରୀମାନଙ୍କ ନିକଟରେ ସବୁବେଳେ ଅସ୍ତ୍ରଶସ୍ତ୍ର ମହଜୁଦ୍ ଥାଏ। ଯାହାକି ପାଟ୍ରୋଲିଂରେ ବାଧକ ସାଜୁଥିବା ଜଣେ ବରିଷ୍ଠ ବନ ଅଧିକାରୀ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟଯେ ୨୦୧୫ ହାତୀଗଣନା ଅନୁସାରେ ୨୦୧୭ ହାତୀ ଗଣନାରେ ମୟୂରଭଞ୍ଜ ଜିଲ୍ଲାରେ ହାତୀ ସଂଖ୍ୟା କମିଥିବା ତତ୍କାଳୀନ ଜଙ୍ଗଲ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ବିଧାନସଭାରେ ସୂଚନା ଦେଇଥିଲେ। ୨୦୧୫ରେ ମୟୂରଭଞ୍ଜରେ ହାତୀ ସଂଖ୍ୟା ୬୪୯ ଥିବାବେଳେ ୨୦୧୭ରେ ଏହା ୬୩୫କୁ ଖସିଆସିଥିଲା। ସେହିପରି ଗତ ଦୁଇବର୍ଷ ମଧ୍ୟରେ ବାରିପଦା ବନଖଣ୍ଡ ଏବଂ ଏସ୍ଟିଆର(ଦକ୍ଷିଣ) ଅଧୀନରେ ପ୍ରାୟ ୧୪ରୁ ଊର୍ଧ୍ବ ହାତୀ ମରିଥିବା ସୂଚନା ମିଳିଛି। ଏହି ସଂଖ୍ୟା ଆହୁରି ଅଧିକ ହେବାନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର