ବାରବାଙ୍କି ଜଙ୍ଗଲରେ ମୃତହାତୀ

କେନ୍ଦୁଝର/ଘଟଗାଁ/ପଣ୍ଡାପଡା: କେନ୍ଦୁଝର ଜିଲ୍ଲା ଘଟଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଦେଓବନ୍ଧ ଫରେଷ୍ଟ ସେକ୍ସନର ବାରବାଙ୍କ ଜଙ୍ଗଲର ବଡ଼ଜିଉଳି ଗ୍ରାମଠାରୁ ପ୍ରାୟ ୪ କିମି ଦୂର ଘଞ୍ଚ ଜଙ୍ଗଲ ଭିତରେ ଏକ ହାତୀଛୁଆର ମୃତ୍ୟୁ ଘଟିଛି। ମୃତ ଦନ୍ତାହାତୀର ବୟସ ୩/୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ମୃତ ହାତୀର ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। କିନ୍ତୁ ପାଟିରୁ ରକ୍ତ ବାହାରୁଥିବା ଜଣାଯାଇଛି। କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

ସକାଳୁ ସ୍ଥାନୀୟ ଲୋକେ ଜାଳେଣି କାଠ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଡିଏଫ୍‌ ଏଚ୍‌ଡି ଧନରାଜ, ଏସିଏଫ୍ ଘନଶ୍ୟାମ ମହାନ୍ତ, ଏସିଏଫ୍ ଅଜୟ କୁମାର ସାହୁ, ଘଟଗାଁ ବନାଞ୍ଚଳ ଅଧିକାରୀ ପ୍ରଭାତ କୁମାର କୁଅଁର, ଦେଓବନ୍ଧ ବନପାଳ ପୁଷ୍ପଲତା ମହାନ୍ତ, ପ୍ରଦୀପ କୁମାର ସେଠୀ, ପଣ୍ଡାପଡ଼ା ପ୍ରାଣୀ ଚିକିତ୍ସକ ଡ. ତ୍ରିନାଥ ମହାନ୍ତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଓୟୁଏଟିର ଏକ ଟିମ୍‌ ମୃତହାତୀକୁ ବ୍ୟବ‌ଚ୍ଛେଦ କରୁଛନ୍ତି। ବ୍ୟବ‌ଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡିଏଫ୍‌ଓ ଶ୍ରୀ ଧନରାଜ କହିଛନ୍ତି।

ସମ୍ବନ୍ଧିତ ଖବର