କୁନିଝିଅର ଆଖି ତାଡ଼ିନେବା ଘଟଣାରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ତଦନ୍ତ : ‘ଆଖି ତଡ଼ା ହୋଇ ନାହିଁ, ମୂଷା ବି ଖାଇ ନାହିଁ’

ଅନୁଗୁଳ : ‘ଆଖି ତଡ଼ା ହୋଇ ନାହିଁ କି ମୂଷା ବି ଆଖି ଖାଇ ନାହିଁ।’ ଅନୁୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବଗୃହରୁ କୁନି ଝିଅର ଆଖି ତାଡ଼ି ନେବା ସଂକ୍ରାନ୍ତ ଅଭିଯୋଗର ପ୍ରାଥମିକ ତଦନ୍ତ ପରେ ଏଭଳି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡା. ଦିଲୀପ କୁମାର ଷଡ଼ଙ୍ଗୀ। ଡା. ଷଡ଼ଂଗୀଙ୍କ ଏଭଳି ସୂଚନା ବିବାଦକୁ ପ୍ରଶମିତ କରିବା ପରିବର୍ତ୍ତେ ଅଧିକ ରହସ୍ୟମୟ କରିଦେଇଛି। ଯଦି ଆଖି ତଡ଼ା ହୋଇନାହିଁ ବା ମୂଷା ବି ଖାଥ ନାହିଁ ତେବେ ଶବାଗାର ଭିତରୁ ଆଖି ଗଲା କୁଆଡ଼େ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନୁୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବାଗାରରେ ରଖା‌ଯାଇଥିବା ବଅଁରପାଳ ଥାନା ନୂଆହତା ଗାଁର ଚାରି ବର୍ଷର ଶିଶୁକନ୍ୟା ପ୍ରୀତି ଗୋଚ୍ଛାୟତର ଆଖି ତାଡ଼ି ନେଇଥିବାର ଅଭିଯୋଗ ଆସିବା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଡାକ୍ତରଖାନାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସାଂଗକୁ ଉତ୍ତ୍ୟକ୍ତ ଲୋକେ ଆଶୁଚିକିତ୍ସା ବିଭାଗ, ବହିର୍ବିଭାଗ ବନ୍ଦ କରି କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏହି ଘଟଣାକୁ ସରକାର ବେଶ୍‌ ଗୁରୁତ୍ବର ସହିତ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡା. ଷଡ଼ଙ୍ଗୀଙ୍କୁ ତଦନ୍ତ ଭାର ‌ଦେଇଥିଲେ। ଡା. ଷଡ଼ଂଗୀ ଆଜି ଦିନ ୧୨ଟା ୧୦ରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ସିଡିଏମ୍‌ଓ ପ୍ରତାପ ବେହେରା, ଏଡିଏମ୍ଓ(ମେଡିକାଲ) ଲକ୍ଷ୍ମୀନାରାୟଣ ବିଶୋଇଙ୍କ ସମେତ ଶବ ବ୍ୟବଚ୍ଛେଦ କରିଥିବା ଦୁଇ ଡାକ୍ତର ଓ ଅନ୍ୟମାନଙ୍କ ସହିତ ରୁଦ୍ଧଦ୍ବାର ବୈଠକ କରିଥିଲେ। ଅପରାହଣ ସାଢେ ଦୁଇଟା ପର୍ଯ୍ୟନ୍ତ ସେ ପ୍ରସଙ୍ଗ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରିବା ସାଙ୍ଗକୁ ଶବଗୃହ ନୀରିକ୍ଷଣ କରିଥିଲେ। ପରେ ଡା‌.ଷଡ଼ଙ୍ଗୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ ଶବାଗାରର ଫ୍ରିଜର କାର୍ଯ୍ୟକ୍ଷମ ଥିଲା। ସାମାନ୍ୟ ଫାଙ୍କା ମଧ୍ୟ ନ ଥିଲା। ତେଣୁ ଫ୍ରିଜର ଭିତରକୁ ମୂଷା ପଶିବା ଆଦୌ ସମ୍ଭବ ନୁହେଁ। ତେଣୁ ଝିଅର ଆଖି ତଡ଼ା ହୋଇ ନାହିଁ କି ମୂଷା ନେଇ ନାହାନ୍ତି। ଯାହା ଲାଗୁଛି, ଝିଅଟି ଅସୁସ୍ଥ ଥିଲା। ପ୍ରବଳ ଡିହାଇଡ୍ରେସନ ଥିଲା। ତେଣୁ ଆଖି କୋଟରଗସ୍ତ ହୋଇଯାଇଥିବ। ଆଖିପତା ବନ୍ଦ ହୋଇ ଧଳା ଦେଖା ଯାଉଥିବାରୁ ସାଧାରଣ ଲୋକଙ୍କୁ ଏହା ଚକ୍ଷୁକୁ ଆଖି ତାଡ଼ି ନେବା ଭଳି ଲାଗେ। ତେବେ ପ୍ରାଥମିିକ ତଦନ୍ତରୁ କ’ଣ ହୋଇଛି, ତାହା ଏବେ କହି ହେବ ନାହିଁ। ଅଧିକ ତଦନ୍ତର ଆବଶ୍ୟକତା ରହିଛି ବୋଲି ଡା. ଷଡ଼ଙ୍ଗୀ କହିଛନ୍ତି। ଏହି ଘଟଣାରେ ଯଦି କୌଣସି ମେଡିକାଲ କର୍ମଚାରୀଙ୍କ ଦୋଷତ୍ରୁଟି ଥିବ, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଗତକାଲି ସିଡିଏମ୍ଓ ଡା. ବେହେରା ଘଟଣାର ୨୪ ଘଣ୍ଟା ମଧ୍ୟରେ ତଦନ୍ତ ଶେଷ ହେବ ବୋଲି କହିଥିଲେ। ଏଭଳି ସ୍ଥିତିରେ ଲୋକେ ତଦନ୍ତ ରିପୋର୍ଟକୁ ଅପେକ୍ଷା କରି ରହିଛନ୍ତି। ସିଡିଏମ୍‌ଓ ଡା. ବେହେରାଙ୍କୁ ଆଜି ଘଟଣା ସଂକ୍ରାନ୍ତରେ ପଚାରିବାରୁ ସେ ବର୍ତ୍ତମାନ ସ୍ଥିତିରେ କୌଣସି ସୂଚନା ଦେଇ ପାରିବେ ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର