ଜଗନ୍ନାଥପ୍ରସାଦ: ଅଲୋଡ଼ା ହୋଇଗଲେ ବୃଦ୍ଧା ମାଆ। ପକ୍ଷାଘାତ ରୋଗରେ ଆକ୍ରାନ୍ତ ୮୦ ବର୍ଷର ମାଆକୁ ଦେଖାଶୁଣା ତ କଲେନି, ଓଲଟି ଘରେ ଏକୁଟିଆ ଛାଡ଼ି ବାହାରୁ ତାଲା ପକାଇ ପଳାଇଲେ ଜନ୍ମ କଲା ଦୁଇ ପୁଅ। ଶେଯରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେବାସହ ଭୋକଶୋଷରେ ଦିନିଦିନ ଧରି ବନ୍ଦ କୋଠରିରେ ପଡ଼ିଥିଲେ। ଝାଡ଼ାପରିସ୍ରାରେ ଘାଣ୍ଟି ହୋଇ ପଡ଼ିଥିବା ବେଳେ ତାଲାବନ୍ଦ ଘରୁ ଦୁର୍ଗନ୍ଧ ବାହାରୁ ଥିବାରୁ ସନ୍ଦେହରେ ଗ୍ରାମବାସୀ କବାଟ ଭାଙ୍ଗି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ। ଏ ଅମାନବିକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଖମାରପଲ୍ଲୀ ପଞ୍ଚାୟତ ପଟାଧାର ଗ୍ରାମରେ। ବୃଦ୍ଧା ପଦ୍ମାବତୀ ନାୟକ ରୋଗଶଯ୍ୟାରେ ପଡ଼ି ଛଟପଟ ହେଉଥିବା ବେଳେ ଦୁଇ ରୋଜଗାରିଆ ପୁଅ ଶିବରାମ ନାୟକ ଓ ଅଶୋକ ନାୟକ ଘରେ ତାଲା ଠୁଙ୍କି କାହାକୁ ନଜଣାଇ ପଳାଇଛନ୍ତି।
ପଦ୍ମାବତୀଙ୍କ ସ୍ୱାମୀ ଭଗବାନ ନାୟକଙ୍କ ଚାରିବର୍ଷ ତଳୁ ମୃତ୍ୟୁ ଘଟିଥିବା ବେଳେ ସାନପୁଅ ଟ୍ରକ୍ ଡ୍ରାଇଭର ଭାବେ ଭଞ୍ଜନଗରରେ କାମ କରୁଛନ୍ତି। ବଡ଼ପୁଅ ଭୁବନେଶ୍ୱରରେ ଏକ ମେଡିକାଲରେ କାର୍ଯ୍ୟରତ। ସ୍ବାମୀଙ୍କ ମୃତ୍ୟୁପରେ ପକ୍ଷାଘାତରେ ଆକ୍ରାନ୍ତ ପଦ୍ମାବତୀଙ୍କୁ କେହି ଦେଖାଶୁଣା କଲେ ନାହିଁ। ଝିଅ ଗାୟତ୍ରୀ ମଧ୍ୟ ମାଆଙ୍କୁ ଅନେଇଲେ ନାହିଁ। ଛଟପଟ ହୋଇ ଶେଯରେ ପଡ଼ିଥିଲେ ବି କେହି ତାଙ୍କ ସେବା କରୁ ନଥିଲେ। ଦୁଇଭାଇ ଆସିଥିଲେ ଓ ମାଆର ଏ ଅବସ୍ଥା ଦେଖି ବାହାରୁ ତାଲା ପକାଇ ପଡ଼ୋଶୀ ଘରେ ଚାବି ଦେଇ ପଳାଇଥିଲେ। ଭିତରୁ ଦୁର୍ଗନ୍ଧ ଆସୁଥିବାରୁ ସନ୍ଦେହରେ ଗ୍ରାମବାସୀ ପ୍ରଥମେ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ପହଞ୍ଚି ତାଲା ଭାଙ୍ଗିବା ସହ ଗୋପବନ୍ଧୁ ଚାରିଟେବୁଲ୍ ଟ୍ରଷ୍ଟ ସଦସ୍ୟଙ୍କ ସହଯୋଗରେ ଫିନାଇଲ୍ ପକାଇ ଘର ସଫା କରିଥିଲେ। ପରେ ଅସହାୟ ବୃଦ୍ଧାଙ୍କ ସଫାସୁତୁରା କରିଥିଲେ। ତାଙ୍କର ଖାଦ୍ୟପାନୀୟ ବ୍ୟବସ୍ଥା କରିବା ସହ ପିନ୍ଧିବା ପାଇଁ ନୂଆଲୁଗା ଦେଇଥିଲେ। ଦୁଇପୁଅଙ୍କୁ ଯଥାଶୀଘ୍ର ଆସି ମାଆର ସେବାଯତ୍ନ କରିବା ନିମନ୍ତେ ଜଣାଇଥିଲେ।
ଆଗାମୀ ଦିନରେ ଯଦି ପୁଅମାନେ ଆସି ମାଆର ସେବାଯତ୍ନ ନ କରନ୍ତି, ତାହେଲେ ଟ୍ରଷ୍ଟ ସଦସ୍ୟ ଅସହାୟ ବୃଦ୍ଧା ମାଆଙ୍କ ପାଇଁ ଜରାନିବାସର ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ପୁଲିସ ବୃଦ୍ଧାଙ୍କ ପୁଅଝିଅଙ୍କୁ ଗ୍ରାମକୁ ଆସିବାକୁ କହିଥିବା ବେଳେ କେହି ଏ ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି। ତେବେ ବୃଦ୍ଧା ଜଣକ ସେବା ପାଇବା ସହ ଖାଦ୍ୟ ଖାଇବା ପରେ ସୁସ୍ଥ ଅନୁଭବ କରୁଥିବା ଓ କଥା ନକହି କେବଳ ଆଖିରୁ ଲୁହ ଗଡ଼ାଇ ଚାଲିଛନ୍ତି।