ବିଦ୍ୟୁତ୍‌ ନେଲା ୭ ଜୀବନ

ଲୁଗା ଶୁଖାଇବା ବେଳେ ଚାଲିଗଲା ଦମ୍ପତିଙ୍କ ଜୀବନ, ଭଉଣୀକୁ ବଞ୍ଚାଇବାକୁ ଯାଇ ଭାଇର ଜୀବନ ଗଲା

ଡୁଡୁକା/ଭରସୁଜା/ମୁରିବାହାଲ/ ଗାଇସିଲାଟ୍‌/ପଦ୍ମପୁର/ଖାରି/ରଣପୁର : ଆ‌ଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଆଘାତ ଜନିତ ୫ଟି ଅଘଟଣ ଘଟି ମୋଟ ୭ ଜଣଙ୍କ ଜୀବନ ଯାଇଛି। କେଉଁଠି ଲୁଗା ଶୁଖାଇବାକୁ ଯାଇ ବିଦ୍ୟୁତ ଆଘାତରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି ତ ଆଉ କେଉଁଠି ଭଉଣୀକୁ ବଞ୍ଚାଇବାକୁ ଯାଇ ଭାଇର ଜୀବନ ଯାଇଛି।

ବଲାଙ୍ଗୀର ଜିଲ୍ଲାରେ ବିଦ୍ୟୁତ ଆଘାତ‌େର ଦୁଇଟି ଘଟଣାରେ ଦମ୍ପତିଙ୍କ ସମେତ ୩ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଆଗଲପୁର ବ୍ଲକ ଆଗଲପୁର ଗ୍ରାମରେ ଦୁଇ ଝିଅ ପ୍ରତୀକ୍ଷା(୬) ଏବଂ ସମୀକ୍ଷା(୩)ଙ୍କୁ ନେଇ ରହୁଥିଲେ ହେମନ୍ତ ନାଗ (୩୫) ଏବଂ ତାଙ୍କ ସ୍ତ୍ରୀ ରଜନୀ ନାଗ (୩୦)। ହେମନ୍ତଙ୍କ ନିଜ ଘର ବିନିକା ପାଖ କର୍ତ୍ତଙ୍ଗ ଗାଁରେ। ବୁଧବାର ସକାଳେ ପତ୍ନୀ ରଜନୀ ଗାଧୋଇ ସାରି ଘରେ ଓଦା କପଡ଼ା ଶୁଖାଉଥିବା ବେଳେ କୌଣସି କାରଣରୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ହେମନ୍ତ ଏହା ଦେଖି ଏକ ବାଡ଼ିରେ ତାରକୁ ପିଟି ଦେଇଥିଲେ। କିନ୍ତୁ ଦୁର୍ଯୋଗକୁ ତାରଟି ଛିଟିକି ଆସି ତାଙ୍କ ନିଜ ଦେହରେ ଲାଗି ଯାଇଥିଲା। ବିଦ୍ୟୁତ ଆଘାତରେ ଉଭୟେ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ଉଭୟଙ୍କୁ ଆଗଲପୁର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଦ୍ବିତୀୟ ଅଘଟଣ ଘଟିଥିଲା ମୁରିବାହାଲ ଥାନା ଗୋଇମୁଣ୍ଡ ପଞ୍ଚାୟତର ଗୁରୁଣ୍ଡା ଗାଁରେ। ଗଶେଶ ପୂଜା ପାଇଁ ଗାଁ ସାରା ଲିଚୁ ଲାଇଟ ଲଗା ଯାଇଥିଲା। ବୁଧବାର ସକାଳୁ ଗାଁର ଅଶ୍ୱିନୀ ସରାଫଙ୍କ ଝିଅ ପ୍ରେମଲତା(୧୭) ନିଜ ଘର ଅଗଣା ଓଳାଉଥିବା ବେଳେ ଲିଚୁ ଲାଇଟ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ବିଦ୍ୟୁତ ଆଘାତରେ ଭଉଣୀ ଛଟପଟ ହେଉଥିବା ଦେଖି ବଡ଼ଭାଇ କର୍ଣ୍ଣଦାନୀ(୧୯) ତାଙ୍କୁ ଛଡ଼ାଇବା ଉଦ୍ୟମ କରି ନିଜେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ଗୁରୁତର ଅବସ୍ଥାରେ ଭାଇ ଭଉଣୀଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ କର୍ଣ୍ଣଦାନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଅନ୍ୟ ଏକ ଘଟଣାରେ ବରଗଡ଼ ଜିଲ୍ଲା ଗାଇସିଲାଟ୍‌ ଥାନା ଅନ୍ତର୍ଗତ ଜନକେଡ଼ା ଗାଁରେ ଜନେକୖ ଯୁବକ ବୀରେନ୍ଦ୍ର ବରିହା (୨୬)ଙ୍କ ମୃତ୍ୟୁ ହୋଇଛି। ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଶୋଭାଯାତ୍ରା ପାଇଁ ଭରସୁଜାରୁ ଡିଜେ ସାଉଣ୍ଡ ଭଡ଼‌ାରେ ଅଣାଯାଇଥିଲା। ଶୋଭାଯାତ୍ରା ଚାଲୁଥିବା ସମୟରେ ବୀରେନ୍ଦ୍ର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯାଇଥିଲେ। ସେହିପରି ଆଜି ଭୋରରେ ବିଦ୍ୟୁତ ସଂସ୍ପର୍ଶରେ ଆସି ସୋନପୁର ଥାନା ହରଡଖୋଲ ଫାଣ୍ଡି ଅନ୍ତର୍ଗତ ବୁରୋମୁଣ୍ଡା ଗ୍ରାମର ଚିନ୍ତାମଣି ମହାନନ୍ଦଙ୍କ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ରଙ୍କଦେଉଳି ଗାଁରେ ବିଦ୍ୟୁତ ଆଘାତରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଜଣକ ଘରେ ବିଦ୍ୟୁତ୍ ମରାମତି କାମ କରୁଥିବା ବେଳେ ଅସବଧାନତା ହେତୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯିବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଲକ୍ଷ୍ମଣ ସାହୁ(୫୫) ଓ ରବି ପରିଡ଼ା (୪୫)। ଆଜି ମଧ୍ୟାହ୍ନ ସାଢ଼େ ୧୨ ଟାରେ ବିଦ୍ୟୁତ୍‌ ସଂଯୋଗ ଉଦ୍ଦେଶ୍ୟରେ ଲକ୍ଷ୍ମଣ ଏକ ତାରକୁ କଟର୍‌ ଯୋଗେ କାଟୁଥିବା ସମୟରେ ହଠାତ୍ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ପାଟି ଶୁଣି ନିକଟରେ ଥିବା ରବି ସେଠାରେ ପହଞ୍ଚିବା ମାତ୍ରେ ସେ ମଧ୍ୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ଆହତ ଦ୍ବୟଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଦର୍ପନାରାୟଣପୁର ପୁଲିସ୍‌ ହସ୍ପିଟାଲରେ ପହଞ୍ଚି ଶବ ଜବତ କରିଥିବା ଜଣାଯାଇଛି। ଏହି ଆକସ୍ମିକ ଦୁର୍ଘଟଣାରେ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର