ଭୁବନେଶ୍ବର: ରାଜ୍ୟରେ ଏବେ ଦିନକୁ ଦିନ ଅସ୍ବାଭାବିକ ମୃତ୍ୟୁ ବଢ଼ି ଚାଲିଛି। ଲୋକମାନେ ବାଟରେ ଘାଟରେ ହଠାତ୍ ଟଳି ପଡ଼ୁଛନ୍ତି। ହସ୍ପିଟାଲକୁ ଆଣିବା ବେଳକୁ ଡାକ୍ତର ମୃତ୍ୟୁ ଘୋଷଣା କରୁଛନ୍ତି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଏପରି ମୃତ୍ୟୁ ବଢ଼ି ଚାଲିଥିବା ବେଳେ ଏଥିରୁ ଅଧିକାଂଶଙ୍କର ମୃତ୍ୟୁ ଅଂଶୁଘାତଜନିତ ହେଉଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଖରା ଓ ଅସହ୍ୟ ଗୁଳୁଗୁଳି ରାଜ୍ୟବାସୀଙ୍କ ଜୀବନ ଦୁର୍ବିସହ କରିଦେଇଥିବା ବେଳେ ଅଂଶୁଘାତଜନିତ ମୃତ୍ୟୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଦେଲାଣି। ଗତ ଦେଢ଼ ଦଶନ୍ଧି ମଧ୍ୟରେ ରାଜ୍ୟରେ ଏପରି ଅଂଶୁଘାତ ଜନିତ ମୃତ୍ୟୁ ପ୍ରଥମ କରି ଦେଖା ଦେଇଥିବାରୁ ଏହାର କିପରି ମୁକାବିଲା କରାଯିବ, ସେନେଇ ସମସ୍ତେ ଦ୍ବନ୍ଦ୍ବରେ। ଏପରି ସ୍ଥିତିରେ ପାଣିପାଗ ବିଭାଗ ଆକଳନ କଲାଣି ଯେ ରାଜ୍ୟରେ ଆସନ୍ତା ସପ୍ତାହକ ମଧ୍ୟରେ ଗରମ ଓ ଗୁଳୁଗୁଳିରୁ ରକ୍ଷା ମିଳିବାର କୌଣସି ସମ୍ଭାବନା ନାହିଁ।

Advertisment

ଏସ୍‌ଆର୍‌ସିଙ୍କ ରିପୋର୍ଟ କହୁଛି ଯେ ଚଳିତ ଗ୍ରୀଷ୍ମ ଋତୁରେ (ଏପ୍ରିଲ ମାସରୁ ବର୍ତ୍ତମାନ ସୁଦ୍ଧା) ୧୪୧ଜଣଙ୍କର ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ଜିଲ୍ଲାପାଳମାନେ ରିପୋର୍ଟ କରିଥିଲେ। ଏଥିରୁ ୩୪ଜଣଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ୨୬ଜଣଙ୍କର ଅଂଶୁଘାତରେ ଏବଂ ୮ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ୧୦୭ଟି ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଏବେ ବିଚାରାଧୀନ ଅଛି।
ମେ’ ୩୦ରେ ସର୍ବାଧିକ ୪୨ଜଣଙ୍କର ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ଏଥିରୁ ୬ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ବାକି ୬ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ହୋଇଥିଲେ ମଧ୍ୟ ଏହା ଅନ୍ୟ କାରଣରୁ ହୋଇଥିବା କୁହାଯାଇଛି। ଅପରପକ୍ଷେ ଗତ ୭୨ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ୯୯ଜଣଙ୍କର ଅଂଶୁଘାତରେ ମୃତ୍ୟୁ‌ ହୋଇଥିବା ଜିଲ୍ଲାପାଳମାନେ ଜଣାଇଥିବା ବେଳେ ଏଥିରୁ ୨୦ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଯୁଗ୍ମ ତଦନ୍ତ ପରେ ସ୍ପଷ୍ଟ ହୋଇଛି। ୨ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇନଥିବା କୁହାଯାଇଛି।
ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁ ବଢ଼ି ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କୁହାଯାଇଛି ଯେ ଜରୁରୀ କାମ ନଥିଲେ ଲୋକମାନେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ନବାହାରନ୍ତୁ। ଯଦି ବାହାରକୁ ଯାଉଛନ୍ତି ତେବେ ପାଣି ବୋତଲ, ଓଦା ଟାୱେଲ୍ ନେଇ ଯିବାକୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ୧୯୯୮ ମସିହା‌ରେ ରାଜ୍ୟରେ ପ୍ରାୟ ୨ହଜାରରୁ ଅଧିକ ଲୋକଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ୨୦୦୫ରେ ୨୩୬ଜଣଙ୍କର ଅଂଶୁଘାତରେ ମୃତ୍ୟୁ‌ ହୋଇଥିବା ସରକାରୀ ରିପୋର୍ଟ କହୁଛି। ତେବେ ବେସରକାରୀ ଭାବେ ଏହି ମୃତ୍ୟୁ ୫୦୦ରୁ ଅଧିକ ଥିଲା। ଶେଷ ଥର ପାଇଁ ୨୦୦୯ରେ ପ୍ରାୟ ୧୫୦ଜଣଙ୍କର ଏପରି ମୃତ୍ୟୁ ହୋଇଥିଲା। ଏହାପରେ ନିୟମିତ ବ୍ୟବଧାନରେ ଅଂଶୁଘାତ ମୃତ୍ୟୁ ହେଉଥିଲେ ବି ଏତେ ସଂଖ୍ୟାରେ ଲୋକ କେବେ ମରି ନଥିଲେ।