ମାହାଙ୍ଗା: ମାହାଙ୍ଗା ନୁର୍ତ୍ତାଙ୍ଗରେ ବିବାହ ବେଦିରେ ବର-ବଧୂ କଉଡ଼ି ଖେଳିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବରର ମୃତ୍ୟୁ ଘଟିଛି। ଗତ ୭ତାରିଖ ବୁଧବାର ଦିନ ନୁର୍ତ୍ତାଙ୍ଗ ଗ୍ରାମର ସନ୍ତୋଷ କୁମାର ସାହୁଙ୍କ ଏକମାତ୍ର ପୁତ୍ର ସତମନୁ ସାହୁ (ଲିଟୁ)ଙ୍କର ଯାଜପୁର ଜିଲ୍ଲା ବରୀ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ବୈଦିକ ରୀତିରେ ବିବାହ ହୋଇଥିଲା। ଶୁକ୍ରବାର ସନ୍ଧ୍ୟାରେ ବିଧି ଅନୁଯାୟୀ ବେଦି ଉପରେ ବର-ବଧୂଙ୍କ କଉଡ଼ି ଖେଳ ଆରମ୍ଭ ହୋଇଥିଲା।
ଉଭୟ କଉଡ଼ି ଖେଳିବା ପାଇଁ ପଡ଼ିଥିବା ମସିଣା ଉପରେ ବସିଥିଲେ। କିନ୍ତୁ ମସିଣା ତଳେ ଏକ ଛିଣ୍ତା ବିଦ୍ୟୁତ୍ ତାର ପଡ଼ି ରହିଥିଲା। ଫଳରେ ପ୍ରଥମେ ସତମନୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିବା ବେଳେ ବୋହୂ ମଧ୍ୟ ସାମାନ୍ୟ ଆଘାତ ପାଇଥିଲେ। ସତମନୁଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କନ୍ୟାଘର ଲୋକ ନୁର୍ତ୍ତାଙ୍ଗରେ ପହଞ୍ଚି କନ୍ୟାକୁ ନେଇଯାଇଛନ୍ତି।