ଭୁବନେଶ୍ବର: ରାଜ୍ୟର ଭିନ୍ନ ଭିନ୍ନ ଘଟଣାରେ ପ୍ରତିଦିନ ଅନେକ ଲୋକଙ୍କ ଜୀବନ ଯାଉଛି। ଗତକାଲି ରାଜ୍ୟରେ ହତ୍ୟା, ଆତ୍ମହତ୍ୟା, ଦୁର୍ଘଟଣା ଓ ସ୍ବାଭାବିକ ମୃତ୍ୟୁରେ ପ୍ରାୟ ୮ ଜଣଙ୍କ ଜୀବନ ଯାଇଛି। ସେସବୁ ଘଟଣା ବିଷୟରେ ନିମ୍ନରେ ଉଲ୍ଲେଖ କରାଯାଇଛି।

Advertisment

ବିଷ ଦେଇ ସ୍ତ୍ରୀକୁ ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ବରପାଲି: ବରଗଡ଼ ଜିଲ୍ଲା ସର୍କଣ୍ଡା ଗ୍ରାମର ହରିବୋଲ ବାଗଙ୍କ ଝିଅ ପୂଜା(୨୫)ଙ୍କୁ ବରପାଲି ଥାନା ଅନ୍ତର୍ଗତ ଚିକିଣିପାଲି ଗ୍ରାମର ବିଦ୍ୟାଧର ବର୍ଗେ ବୈଦିକ ରୀତିନୀତିରେ ୨ ବର୍ଷ ତଳେ ବାହା ଦେଇଥିଲେ। ତାଙ୍କର ଗୋଟିଏ ୮ମାସର ଶିଶୁ ଅଛି। ପୂଜା ଘରୋଇ କଳହରୁ ବିଷ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବରପାଲି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ୨୭ ତାରିଖ ଦିନ ଆଣିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସଂଧ୍ୟାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୂଜାଙ୍କ ବାପା ହରିବୋଲ ବାଗ ଝିଅକୁ ବିଷ ଦେଇ ହତ୍ୟା କରାଯାଇଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି। ଫଳରେ ପୁଲିସ୍‌ ପୂଜାଙ୍କ ସ୍ବାମୀ ବିଦ୍ୟାଧରଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା

ବରପାଲି: ବରପାଲି ଥାନା ଅନ୍ତର୍ଗତ ନେହରୁନଗର ବାସିନ୍ଦା ସତ୍ୟାନନ୍ଦ ବରିହା (୫୫) ଗୁରୁବାର ସକାଳୁ ଏକ ଗଛରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି।‌ ସତ୍ୟାନନ୍ଦ ଆଜି ଭୋର ୫ଟାରେ ପତ୍ନୀଙ୍କୁ ଶୌଚ ପାଇଁ ଯାଉଛି କହି ଘରୁ ବାହାରିଥିଲେ। ପରେ ନିଜ ବିଲ ନିକଟରେ ଏକ ଗଛରେ ଶାଢ଼ି ଲଗାଇ ଝୁୁଲି ପଡ଼ିଥିଲେ। ଏନେଇ ପଡ଼ୋଶୀ ଲୋକେ ଶୌଚ ଯିବାବେଳେ ଦେଖି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଖବର ପାଇ ତାଙ୍କ ପତ୍ନୀ ଓ ପୁଅ ଝିଅ ସମସ୍ତେ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ତୁରନ୍ତ ବରପାଲି ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ପୁୁଲିସକୁ ଖବର ଜଣାଇ ଦିଆଯାଇଥିଲା। ମାଜିଷ୍ଟେଟ ଭାବେ ବରପାଲି ତହସିଲଦାରଙ୍କ ଉପସ୍ଥିତିରେ ଶବକୁ ବ୍ୟବଛେଦ ପାଇଁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଡାକ୍ତର ହରିଶଙ୍କର ପଣ୍ଡାଙ୍କ ପରଲୋକ

ଭଟଲି: ଭଟଲି ଅଞ୍ଚଳର ଜଣାଶୁଣା ଚିକିତ୍ସକ ତଥା ପ୍ରକୃତି ବନ୍ଧୁ ଡା. ହରିଶଙ୍କର ପଣ୍ଡା (୭୨ ବର୍ଷ)ଙ୍କ ବୁଧବାର ରାତିରେ କୁସନପୁରୀସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ପଣ୍ଡା ଭଟଲି ଅଞ୍ଚଳବାସୀଙ୍କୁ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଯୋଗାଉଥିଲେ। ଏଥିସହ ଅଞ୍ଚଳର ବିଭିନ୍ନ ସାମାଜିକ ଅନୁଷ୍ଠାନ, ସ୍କୁଲ, କଲେଜର ଉନ୍ନତିରେ ତାଙ୍କ ପ୍ରତ୍ୟକ୍ଷ ଭୂମିକା ରହିଥିଲା। ବିୟୋଗ ଖବର ପାଇ ଭଟଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ। ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଦୁଇ ପୁଅ ଦେବଦତ୍ତ ଓ ପ୍ରିୟଦତ୍ତ ମୁଖାଗ୍ନି ଦେଇଥିଲେ।

ଛାତରୁ ପଡ଼ି ମହିଳା ମୃତ
ବ୍ରହ୍ମବରଦା: ଯାଜପୁର ବ୍ଲକ୍‌ ଝାଲପଡ଼ା ପଞ୍ଚାୟତ ନୀଳକଣ୍ଠପୁର ଗ୍ରାମର ସ୍ବର୍ଗତ ରଙ୍କନିଧି ସାହୁଙ୍କ ପତ୍ନୀ କ୍ଷୀର ସାହୁ(୬୫)ଙ୍କର ଛାତରୁ ପଡ଼ି ମୃତ୍ୟୁ ହୋଇଯାଇଛି। ଆଜି ଅପରାହ୍ଣରେ ଛାତରେ ଥିବା ଗୋଖାଦ୍ୟ (ବାଦାମ ବୋତି) ଆଣୁଥିବା ସମୟରେ ଅସାବଧାନତା ବଶତଃ ସେ ଛାତରୁ ତଳକୁ ଖସି ପଡ଼ିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ନେବାକୁ ଉଦ୍ୟମ ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

କେନାଲରେ ବୁଡ଼ି ଚାଷୀ ମୃତ
କାଳିଆପାଣି: ସୁକିନ୍ଦା ଥାନା ମଙ୍ଗଳପୁର ଗାଁର କୃଷକ ଅରୁଣ କୁମାର ନାୟକ (୫୮)ଙ୍କୁ ଆଜି ଗାଁ ପାଖ ରେଙ୍ଗାଲି ବାମ କେନାଲରେ ସଂଜ୍ଞାହୀନ ଅବସ୍ଥାରେ ଠାବ କରାଯାଇଥିଲା। ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂପର୍କରେ ପୁଲିସ ଏକ ଅପମୃତ୍ୟୁ ମାମଲା ୩୩/୨୩ ରୁଜୁକରି ଅଧିକ ତଦନ୍ତ କରୁଥିବା କହିଛି। ବାତରୋଗ ଥିବା ସ୍ବର୍ଗତ ନାୟକ ସ୍ନାନଶୌଚ ପାଇଁ କେନାଲ ଯାଇଥିବା ପରିବାର ପକ୍ଷରୁ କୁହାଯାଇଛି।

ରାସ୍ତା ପାର୍‌ ବେଳେ ଧକ୍କା ଦେଲା ବାଇକ୍, ଜଣେ ମୃତ

ଝାରସୁଗୁଡ଼ା: ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ଛକରେ ଆଜି ସନ୍ଧ୍ୟାରେ ସାଇକଲ ଯୋଗେ ରାସ୍ତାପାର୍‌ ହେଉଥିବା ଜଣେ ବୃଦ୍ଧଙ୍କୁ ଦ୍ରୁତ ଗତିରେ ଆସୁଥିବା ଜଣେ ବାଇକ (ଓଡି ୨୩ ପି ୬୮୩୨) ଚାଳକ ଧକ୍କା ଦେଇଥିଲେ। ଦୁର୍ଘଟଣା ପରେ ଉଭୟ ପଥଚାରୀ ଓ ବାଇକ୍‌ ଚାଳକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସୂଚନା ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ସାଇକଲ ଆରୋହୀଙ୍କୁ ମୃତ ଗ୍ରହଣ ଘୋଷଣା କରିଥିଲେ। ମୃତକ ହେଉଛନ୍ତି ପଞ୍ଚପଡ଼ାର ବସନ୍ତ ସାମଲ(୬୦)। ଏହି ଘଟଣାରେ ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଖବର ଲେଖାହେବା ଯାଏ ଆହତଙ୍କ ପରିଚୟ ମିଳିପାରି ନାହିଁ।

ପୋଖରୀରେ ବୁଡ଼ି ଯୁବକ ନିଖୋଜ

ଝାରସୁଗୁଡ଼ା: କୋଲାବିରା ଥାନା ରେଙ୍ଗାଲପାଲି ଗ୍ରାମର ପୋଖରୀରେ ଗୁରୁବାର ଜଣେ ବ୍ୟକ୍ତି ବୁଡ଼ି ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସୂଚନା ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ କୌଣସି ସନ୍ଧାନ ପାଇ ନଥିଲେ। ଶୁକ୍ରବାର ପୁଣି ଥରେ ପୋଖରୀରେ ଖୋଜାଯିବ ବୋଲି ଜଣାପଡ଼ିଛି।

ପୋଖରୀରେ ବୁଡ଼ି ବାଳକ ମୃତ

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ଥାନା ଜାମୁଯୋରୀ ଗ୍ରାମର ଅନାମ ମାଟିଆରୀଙ୍କ ପୁଅ ଡିଲେଶ୍ଵର ମାଟିଆରୀ (୫ ବର୍ଷ)ର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ଡିଲେଶ୍ବର ତା’ ସାଙ୍ଗମାନଙ୍କ ସହ ଘର ପଛପଟେ ଥିବା ଏକ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ବୁଡ଼ି ଯାଇଥିଲା। ଗ୍ରାମବାସୀଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଶିଶୁଟିକୁ ପୋଖରୀରୁ ଉଦ୍ଧାର କରି ତୁରନ୍ତ ନାକଟିଦେଉଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲ। ଖବର ପାଇ ନାକଟିଦେଉଳ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇ ଥିଲେ।