ବାତ୍ୟା ‘ୟାସ’ର ପ୍ରଭାବ! ପୁରୀ ବେଳାଭୂମିରେ କୁଢ଼ କୁଢ଼ ମୃତ ଜେଲିଫିସ୍‌

ମାଛ ପରେ ଜେଲିଫିସ୍‌ ମଡ଼କ, ମତ୍ସ୍ୟ ବିଜ୍ଞାନୀଙ୍କ ନମୁନା ସଂଗ୍ରହ

ପୁରୀ : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ୟାସ’ର ପ୍ରଭାବ ସାମୁଦ୍ରିକ ଜୀବଙ୍କ ଉପରେ ପଡ଼ିଛି। କିଛିଦିନ ତଳେ ପୁରୀ ବେଳାଭୂମିରେ ବହୁ ସଂଖ୍ୟାରେ ମାଛ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ସୋମବାର ଶହ ଶହ ସଂଖ୍ୟାରେ ଜେଲିଫିସ୍‌ ‌ପୁରୀ ବେଳାଭୂମିରେ ମରିପଡ଼ିଥିବା ଦେଖିବାକୁ ମିଳିଛି। ଏହି ଅଭାବନୀୟ ଘଟଣା ପରେ ଆଜି ପୁରୀ ସାମୁଦ୍ରିକ ମତ୍ସ୍ୟ ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନେ ମଲା ମାଛ, ଜେଲିଫିସ୍‌ ସହ ସମୁଦ୍ର ଜଳର ନମୁନା ସଂଗ୍ରହ କରିଛନ୍ତି। ତଥାପି ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ସାମୁଦ୍ରିକ ମତ୍ସ୍ୟ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଓ ମତ୍ସ୍ୟଜୀବୀମାନେ ଅନୁମାନ କରୁଛନ୍ତି।

ଗତ କିଛିଦିନ ହେବ ପେଣ୍ଠକଟାଠାରୁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ବେଳାଭୂମିରେ ହଜାର ହଜାର ସଂଖ୍ୟାରେ ସାମୁଦ୍ରିକ ମାଛ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। କିଛି ସମୁଦ୍ର ଜଳରେ ମରି ଭାସୁଥିବାବେଳେ ଆଉ କିଛି ବେଳାଭୂମିରେ ମରି ପଡ଼ିଥିଲେ। ଏବେ ବି ମାଛ ମଡ଼କ ସମସ୍ୟା ଦୂର ହୋଇନଥିବାବେଳେ ଆଜି ଶହ ଶହ ସଂଖ୍ୟାରେ ଜେଲିଫିସ୍‌ ମରି ଭାସିବା ଚିନ୍ତାର କାରଣ ପାଲଟିଛି। ଏହା ଆତଙ୍କର ବାତାବରଣ ସୃଷ୍ଟି କରିଥିବାବେଳେ ସମୁଦ୍ର ଜଳରେ କିଛି ବିଷକ୍ରିୟା ହୋଇଥାଏ ପାରେ ବୋଲି ଆଶଙ୍କା ହେଉଛି।

ସୋମବାର ସକାଳୁ ଶହ ଶହ ସଂଖ୍ୟାରେ ଜେଲିଫିସ୍‌ ଲାଇଟ୍‌ ହାଉସ୍‌ଠାରୁ ପେଣ୍ଠକଟା ପର୍ଯ୍ୟନ୍ତ ପ୍ରାୟ ଦୁଇ କିଲୋମିଟର ବିସ୍ତୃତ ବେଳାଭୂମିରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ସମୁଦ୍ର ଜଳରେ ବି ବହୁ ସଂଖ୍ୟାରେ ଜେଲିଫିସ୍‌ ମରି ଭାସୁଥିବା ଦେଖିବାକୁ ମିଳିଥିଲା। ଗତକାଲି ମାଛ ମଡ଼କ ଉପରେ ଜିଲ୍ଲାପାଳ ସମର୍ଥ ବର୍ମା ତଦନ୍ତ ନିର୍ଦ୍ଦେଶ ଦେବେ ବୋଲି କହିଥିଲେ। ଏହାର ଦିନକ ପରେ ଏଭଳି ଅଭାବନୀୟ ଘଟଣା ଚିନ୍ତାର ବିଷୟ ପାଲଟିଛି।

ଏ ସଂପର୍କରେ ମତ୍ସ୍ୟଜୀବୀମାନେ କହିଛନ୍ତି କି ବାତ୍ୟା ‘ୟାସ’ ପ୍ରଭାବରେ ସମୁଦ୍ର କିଛିଦିନ ହେବ ଜୁଆରିଆ ଓ ଅଶାନ୍ତ ରହିଛି। ଯାହାର ପ୍ରଭାବ ସାମୁଦ୍ରିକ ମାଛ ଉପରେ ପଡ଼ିଛି ଏବଂ କିଛି ଦିନ ହେବ ମାଛ ଓ ଜେଲିଫିସ୍‌ ମରି ଭାସୁଛନ୍ତି।
ଓଡ଼ିଶାରେ ଏହାର ଚାହିଦା ନାହିଁ। ଏଗୁଡିକ କେରଳ ଓ ଚାଇନା ରପ୍ତାନୀ ହୋଇଥାଏ। ସେଠାରେ ଏହାର କିଲୋ ପ୍ରତି ଦର ୭ହଜାର ଟଙ୍କାରୁ ଅଧିକ। ଶୀତଦିନେ ଏମାନେ ବହୁଳ ମାତ୍ରାରେ ଜାଲରେ ପଡିଥାନ୍ତି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ଏହି ଘଟଣା ପରେ ଆଜି ସାମୁଦ୍ରିକ ମତ୍ସ୍ୟ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଦଳ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁ କାରଣରୁ ଜେଲିଫିସ୍‌ ସବୁ ମରି ପଡ଼ିଛନ୍ତି, ତା’ର ଅନୁସନ୍ଧାନ ଆରମ୍ଭ କରିଛନ୍ତି। ପୁରୀ ସାମୁଦ୍ରିକ ମତ୍ସ୍ୟ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଜ୍ଞାନରଂଜନ ମିଶ୍ର ଗଣମାଧ୍ୟମକୁ କହିଛନ୍ତି କି କେଉଁ କାରଣରୁ ମାଛ, ଜେଲିଫିସ୍‌ ମରୁଛନ୍ତି ଜଣାପଡ଼ି ନଥିଲେ ବି ସାମୁଦ୍ରିକ ଜଳବାୟୁରେ ପରିବର୍ତ୍ତନ ପାଇଁ ଏଭଳି ଘଟିଥିବା ଅନୁମାନ କରାଯାଉଛି। ତଥାପି ଆଜି ଆମେ ମାଛ, ଜେଲିଫିସ୍‌ ଓ ସମୁଦ୍ର ଜଳର ନମୁନା ସଂଗ୍ରହ କରିଛୁ। ପରୀକ୍ଷାଗାରରେ ପରୀକ୍ଷା ପରେ କାରଣ ସ୍ପଷ୍ଟ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର