ବନ୍ଧୁଗାଁ: ପରମ୍ପରା ନାଁରେ ପ୍ରେମୀଯୁଗଳଙ୍କୁ ପୁଣି ବଳଦ ଦଣ୍ଡ। କାନ୍ଧରେ ଜୁଆଳି ପକାଇ ଗାଁ ଦାଣ୍ଡରେ ଟଣାଇଲେ ଲଙ୍ଗଳ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଏବଂ କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ୍ ପରେ ବନ୍ଧୁଗାଁ ବ୍ଲକ୍ରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପ୍ରେମୀଯୁଗଳ ଗୋଟିଏ ବଂଶର ହୋଇଥିବାରୁ ଗାଁ ମୁଖିଆଙ୍କ ଆଦେଶକ୍ରମେ ଏମିତି ନିଷ୍ଠୁର ତଥା ଅମାନବୀୟ କାଣ୍ଡ କରାଯାଇଛି। ଏହି ଘଟଣା ସାମନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୁସଂସ୍କାର ବିରୋଧରେ ସଚେତନ କରାଯାଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।
ବନ୍ଧୁଗାଁ ବ୍ଲକ୍ ଆଲମଣ୍ଡା ପଞ୍ଚାୟତ ଚିଡ଼ିବାଲସା ଗାଁର ୨୨ ବର୍ଷୀୟା ପ୍ରେମିକା ଓ ୨୫ ବର୍ଷୀୟ ପ୍ରେମିକ ପରସ୍ପରକୁ କିଛି ବର୍ଷ ହେଲା ଭଲ ପାଉଥିଲେ। ଦୁହେଁ ଗୋଟିଏ ବଂଶର ହୋଇଥିବାରୁ ଗାଁ ପରମ୍ପରା ଅନୁସାରେ ସେମାନଙ୍କର ବିବାହ ହୋଇ ପାରି ନ ଥାନ୍ତା। ତେଣୁ ପ୍ରେମିକାକୁ ନିଜ ଘରକୁ ନେଇ ଆସିଥିଲା ପ୍ରେମିକ। ତେବେ ଏହି ଘଟଣା ପ୍ରଘଟ ହେବା ପରେ ଗାଁ ମୁଖିଆ ଏବଂ ଭଦ୍ରବ୍ୟକ୍ତିଙ୍କୁ ନେଇ ବୈଠକ ହୋଇଥିଲା। ପରମ୍ପରାକୁ ଉଲ୍ଲଂଘନ କରିଥିବାରୁ ଦଣ୍ଡ ଭୋଗିବାକୁ ବାଧ୍ୟ ବୋଲି ବୈଠକରେ କୁହାଯାଇଥିଲା। ଏହି ନିଷ୍ପତ୍ତିକୁ ଗ୍ରାମବାସୀ ମଧ୍ୟ ସମର୍ଥନ କରିଥିଲେ। ତେଣୁ ରବିବାର ସକାଳେ ଗାଁ ମୁଖିଆ, ଦିଶାରୀ (କାଳସୀ)ଙ୍କ ଉପସ୍ଥିତିରେ ଗାଁ ଦାଣ୍ଡରେ ପ୍ରେମୀଯୁଗଳଙ୍କ ବେକରେ ଜୁଆଳି ବାନ୍ଧି ୩ ଘେରା ହଳ ବୁଲାଯାଇଥିଲା। ଦଣ୍ଡ ଭୋଗିବା ପରେ ଦୁହେଁ ଦମ୍ପତି ଭାବେ ଗୋଟିଏ ଘରେ ରହିବାକୁ ଅନୁମତି ମଧ୍ୟ ମିଳିଥିଲା।
ଗାଁ ମୁଖିଆଙ୍କ ଯୁକ୍ତି ହେଲା ମଣିଷ ବୁଦ୍ଧିମାନ ଏବଂ ଠିକ୍ ଭୁଲ ବିଚାର କରିପାରେ। ଯଦି ଗାଈଗୋରୁଙ୍କ ଭଳି ଚିନ୍ତା କରିବେ ତେବେ ସେହିଭଳି ଦଣ୍ଡ ବ୍ୟବସ୍ଥା ପୂର୍ବରୁ ପ୍ରଚଳିତ। ସମାଜର ନିଷ୍ପତ୍ତିକୁ ଉଲ୍ଲଂଘନ କରି ବହୁ ବର୍ଷ ତଳେ ଗାଁର ୪ ଜଣ ସମାନ ଦଣ୍ଡ ଭୋଗିଥିଲେ। ଗୋଟିଏ ବଂଶରେ କେହି ବିବାହ କରିପାରିବେ ନାହିଁ। ଯାହାକୁ ଦଣ୍ଡ ବୋଲି କୁହାଯାଉଛି ତାହା ଯୁବକଯୁବତୀଙ୍କ ପାଇଁ ଗୋଟିଏ ଶିକ୍ଷା।
ପ୍ରେମୀଯୁଗଳଙ୍କୁ ଦଣ୍ଡ ଖବର ପ୍ରଚାରିତ ହେବା ପରେ ତହସିଲଦାର ସୋନାଲି ପାତ୍ର, ଥାନା ଆଇଆଇସି ପ୍ରସନ୍ନ କୁମାର ମିଶ୍ର, ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ବିଡିଓ ମିନତି ଜଗଦ୍ଦେବ, ସିଡିପିଓ ଗୀତାଞ୍ଜଳି ମହାରଣା, ସରପଞ୍ଚ ଗୌରୀ ମେଲେକା ପ୍ରମୁଖ ଗାଁରେ ପହଞ୍ଚିଥିଲେ। ପ୍ରେମୀଯୁଗଳ, ୱାର୍ଡସଭ୍ୟ ବାଙ୍ଗୁରୁ କଲେକା, ଭଦ୍ରବ୍ୟକ୍ତି ବିନ୍ଦା ମାଣ୍ଡିଙ୍ଗି ଉପସ୍ଥିତିରେ ଗାଁ ଲୋକଙ୍କୁ ପ୍ରଶାସନିକ ଅଧିକାରୀମାନେ ବୁଝାଇଥିଲେ। ଏଭଳି ଦଣ୍ଡ ଦେବା ଆଇନ ଅନୁସାରେ ଦଣ୍ଡନୀୟ ଅପରାଧ। ଆଗକୁ ଯେମିତି ଏଭଳି ଘଟଣା ଘଟିବ ନାହିଁ, ସେ ଦିଗରେ ଯତ୍ନବାନ ହେବାକୁ ସଚେତନ କରିଥିଲେ। ଅନ୍ୟପଟେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଆଇଆଇସି କହିଛନ୍ତି।