ବ୍ରହ୍ମପୁର : ସଦ୍ୟ ଘୋଷିତ ମହିଳା ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ତାଲିକାରେ ସ୍ଥାନ ପାଇଛନ୍ତି ବ୍ରହ୍ମପୁର ସହରର ଟାଣୁଆ ନେତ୍ରୀ ସ୍ବର୍ଗତାଃ ମୀନାକ୍ଷୀ ମିଶ୍ର। ଏହାକୁ ନେଇ ଦଳ ଭିତରେ ଓ ବାହାରେ ଚର୍ଚ୍ଚା ଜୋର୍ ଧରିଛି। ସାଂଗଠନିକ ତାଲିକାରେ ଜଣେ ମୃତ ମହିଳାଙ୍କ ନାମ କିଭଳି ରହିଲା ଏବଂ ତାଲିକା ପ୍ରକାଶ ପୂର୍ବରୁ ଦଳ କିଭଳି ଜାଣିପାରିଲା ନାହିଁ, ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
୨ ବର୍ଷ ତଳେ ସେ ଆତ୍ମାହୁତି ଦେଇଥିଲେ
ପୁଅର ସୁରକ୍ଷା ଦାବି କରି ନିରାଶ ହୋଇଥିଲେ
ସ୍ଥାନ ପାଇଛନ୍ତି ବିଦେଶରେ ରହୁଥିବା ମହିଳା
୨୦୨୦ ଫେବ୍ରୁଆରି ୧୨ତାରିଖରେ ବିଜେଡିର ଏହି ଟାଣୁଆ ନେତ୍ରୀ ନ୍ୟାୟ ପାଇବା ପାଇଁ ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଦେଇଥିଲେ। ପୁଅର ସୁରକ୍ଷା ଦାବି କରିବା ସହ ବ୍ରହ୍ମପୁର ପୁଲିସର ଅପାରଗତାକୁ ନେଇ ଦଳୀୟ ନେତାଙ୍କ ସମେତ ବହୁ ପଦସ୍ଥ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ। ହେଲେ, ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଯେଉଁଥିପାଇଁ ସେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେଇଥିଲେ। ଯାହାକି, କେବଳ ବ୍ରହ୍ମପୁର କାହିଁକି ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ, ଏବେ ବିଜେଡିର ମହିଳା କର୍ମକର୍ତ୍ତାଙ୍କ ତାଲିକାରେ ସ୍ଥାନ ପାଇବା ପରେ ପୁଣିଥରେ ଚର୍ଚ୍ଚାକୁ ଫେରିଛନ୍ତି ଦିବଂଗତ ମୀନାକ୍ଷୀ। ତାଲିକାର ୧୯ନଂରେ ତାଙ୍କ ନାମ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି।
ଜୀବିତାବସ୍ଥାରେ ଦଳ ମୀନାକ୍ଷୀଙ୍କୁ ସୁରକ୍ଷା ଦେଇପାରିନଥିବା ବେଳେ ମୃତ୍ୟୁବରଣ କରିବାର ଦୁଇ ବର୍ଷ ପରେ କିପରି ମନେ ପକାଇଲା ତାକୁ ନେଇ ପ୍ରଶ୍ନ ଉଠିଛି। ପ୍ରକୃତରେ ମୀନାକ୍ଷୀଙ୍କ ମୃତ୍ୟୁ ସଂପର୍କରେ ସ୍ଥାନୀୟ ଦଳୀୟ ନେତା ରାଜ୍ୟକୁ ଅବଗତ କରାଇ ନାହାନ୍ତି ନା ଦଳ ପୁରୁଣା ତାଲିକାକୁ ପୁନରାବୃତ୍ତି କରିଛି ବୋଲି ଆଲୋଚନା ଜୋର୍ ଧରିଛି। କେବଳ ସେତିକି ନୁହେଁ, ଏହି କର୍ମକର୍ତ୍ତା ତାଲିକାରେ ଜଣେ ମହିଳାଙ୍କ ନାମ ରହିଥିବାବେଳେ ସେ ଅଧିକାଂଶ ସମୟରେ ବିଦେଶରେ ରହୁଛନ୍ତି। ସ୍ଥାନୀୟ ଅଞ୍ଚଳ ସହ ସଂପୃକ୍ତି ନଥିବା ଜଣେ ମହିଳାଙ୍କୁ ଦଳ କିଭଳି କର୍ମକର୍ତ୍ତା ତାଲିକାରେ ସ୍ଥାନ ଦେଇଛି, ସେଥିନେଇ ବି ସମାଲୋଚନା ଆରମ୍ଭ ହୋଇଯାଇଛି।
ଅନ୍ୟପକ୍ଷରେ, ‘ୱାନ୍ ମ୍ୟାନ୍ ୱାନ୍ ପୋଷ୍ଟ’ ବୋଲି କହୁଥିବା ବେଳେ ଏଥିରେ ବି ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଛି। ଯେଉଁ କିଛି ମହିଳା ନିର୍ବାଚନ ପ୍ରକ୍ରିୟାରେ ବିଜୟୀ ହୋଇ ପଦପଦବିରେ ରହିଛନ୍ତି , ସେମାନଙ୍କୁ ଦଳ ପୁଣି ସଂଗଠନରେ ଗୁରୁଦାୟିତ୍ବ ଦେଇଥିବା ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି।