ପୁରୁଷୋତ୍ତମପୁର: ୩ ବର୍ଷ ହେଲା ଭୂତ ହିତାଧିକାରୀ ହାତେଇ ଚାଲିଛନ୍ତି ଭତ୍ତା। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅଧୀନ ବଡ଼ବରଗାଁ ପଞ୍ଚାୟତରୁ ଏଭଳି ଏକ ସଙ୍ଗିନ୍ ଅଭିଯୋଗ ଆଲୋଡ଼ନ ସୃଷ୍ଟି କରିଛି। ୨୦୧୭ରୁ ବିଭିନ୍ନ କାରଣରୁ ମୃତ୍ୟୁବରଣ କରିସାରିଥିବା ୩୫ଜଣ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କ ନାମରେ ଆଜି ପର୍ଯ୍ୟନ୍ତ ଭତ୍ତା ଟଙ୍କା ଉଠାଯାଉଛି।
ସୂଚନା ଅଧିକାର ଆଇନ୍ ବଳରେ ଏହି ତଥ୍ୟ ହସ୍ତଗତ ହେବା ପରେ ରାଣୀଗାଁ ଗ୍ରାମବାସୀ ମୃତ ହିତାଧିକାରୀଙ୍କ ବିଭିନ୍ନ ଦସ୍ତାବିଜ୍ ସହ ବିଡିଓ ବିଜୟ କୁମାର ବେହେରାଙ୍କୁ ଫେରାଦ୍ ହୋଇଛନ୍ତି। ମୃତ ହିତାଧିକାରୀଙ୍କ ନାମରେ ଭତ୍ତା ଦିଆଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରାଯାଉଛି। ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି। ସେହିପରି ଅଭିଯୋଗ ପତ୍ର ସହ ସମସ୍ତ ପ୍ରମାଣପତ୍ରର ନକଲକୁ ଗଞ୍ଜାମ ଜିଲ୍ଲାପାଳ, ପଞ୍ଚାୟତିରାଜ ମନ୍ତ୍ରୀ, ସଚିବ, ଗଞ୍ଜାମ ଏସ.ପି. ଓ ତହସିଲ ଅଧିକାରୀଙ୍କୁ ମଧ୍ୟ ପଠାଯାଇଛି।
ଅଭିଯୋଗ ଅନୁସାରେ, ବଡ଼ବରଗାଁ ପଞ୍ଚାୟତ ରାଣୀଗାଁର କିଛି ଗ୍ରାମବାସୀ ମୃତ ହିତାଧିକାରୀଙ୍କ ନାମରେ ଟଙ୍କା ଉଠୁଥିବା ନେଇ ସନ୍ଦେହ ପ୍ରକାଶ କରିଥିଲେ। ପରେ ହିତାଧିକାରୀଙ୍କ ମୃତ୍ୟୁ ପ୍ରମାଣପତ୍ର, ପଞ୍ଚାୟତରୁ ଭତ୍ତା ଖାତାର ନକଲ ଓ ରେଜିଷ୍ଟ୍ରାର୍ ଚେକ୍ କରିଥିଲେ। ପରେ ମୃତକଙ୍କ ନାମକୁ ହିତାଧିକାରୀଙ୍କ ତାଲିକାରୁ କଟାଯାଇଛି କି ନାହିଁ, ତାହା ଜାଣିବା ପାଇଁ ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ମଗାଇଥିଲେ। ହେଲେ ତଥ୍ୟ ଯାହା ଆସିଥିଲା, ଗ୍ରାମର ଲୋକଙ୍କୁ ତାହା ଆଚମ୍ବିତ କରିଦେଇଥିଲା।
ଜଣେ ନୁହେଁ କି ଦୁଇ ଜଣ ନୁହେଁ, ପଞ୍ଚାୟତର ୩ ବର୍ଷ ହେବ ମୃତ୍ୟୁବରଣ କରିସାରିଥିବା ୩୫ ଜଣ ଲୋକଙ୍କ ନାମରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଟଙ୍କା ଉଠାଉଥିବା ଜଣାପଡ଼ିଥିଲା। ସେହିପରି ୧୦ଜଣଙ୍କୁ ଆଇଜିଏନ୍ଓପି ଓ ଆଇଏନଜିଓଏପି ନାମରେ ଦୁଇଟି ଲେଖାଏଁ ଭତ୍ତା ମିଳୁଥିବା ଜଣାପଡ଼ିଥିଲା। ପରେ ଗ୍ରାମବାସୀ ତମାମ୍ ଦସ୍ତାବିଜକୁ ନେଇ ବିଡିଓ ବିଜୟ କୁମାର ବେହେରାଙ୍କୁ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ସହ ଏହି ସମୟ ଭିତରେ ରହି ଆସିଥିବା ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଅନୁରୋଧ କରିଥିଲେ।
ଘଟଣା ସଂପର୍କରେ ବିଡିଓ ଶ୍ରୀ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଦିନେ ଦୁଇ ଦିନ ମଧ୍ୟରେ ତଦନ୍ତ କରାଯାଇ ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ରିପୋର୍ଟ ପ୍ରେରଣ କରାଯିବ। ସେହିପରି ପୁରୁଷୋତ୍ତମ ବ୍ଲକରେ ଭତ୍ତା ପାଉଥିବା ମୋଟ ୧୪ ହଜାର ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ୍ ମାଧ୍ୟମରେ ଭତ୍ତା ପ୍ରଦାନ ପାଇଁ ବ୍ୟବସ୍ଥା ହେବ। ଘଟଣାର ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/IMG20201216135125.jpg)