ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନ୍ ନିକଟରେ ଥିବା ଆହାରକେନ୍ଦ୍ରରେ ଗତକାଲି ପରସା ଯାଇଥିବା ଡାଲମାରେ ମଲା ମୂଷା ବାହାରିଥିବା ଜଣାପଡ଼ିଛି। ଯାହା ଥାଳିରେ ଏହି ମଲାମୂଷା ବାହାରିଥିଲା, ତାଙ୍କ ସାଙ୍ଗ ଏହାର ଭିଡିଓ ଉତ୍ତୋଳନ କରି ସେଠାରେ ଥିବା ଆହାର କେନ୍ଦ୍ର କର୍ମଚାରୀଙ୍କୁ ଅବଗତ କରାଇଥିଲେ। ଟିକେଟ୍ କାଟୁଥିବା ଜଣେ କର୍ମଚାରୀ ଆସି ସେହି ଥାଳିକୁ ନେଇ ଡଷ୍ଟ୍ବିନ୍ରେ ଖାଦ୍ୟ ସହ ମଲାମୂଷାକୁ ପକାଇ ଦେଇଥିଲେ। କିନ୍ତୁ ବଳକା ଡାଲିକୁ ଫିଙ୍ଗିବା ପରିବର୍ତ୍ତେ ଲୋକମାନଙ୍କୁ ପରସା ଯାଇଥିଲା। ସେ ଉତ୍ତୋଳନ କରିଥିବା ଭିଡିଓରେ ଏହା ଦେଖିବାକୁ ମିଳୁଛି। ଗରିବଙ୍କୁ ୫ଟଙ୍କାରେ ଭାତ ଡାଲମା ଯୋଗାଇ ଦିଆଯାଉଥିବା ଦର୍ଶାଇ ରାଜ୍ୟ ସରକାର ବାହାବା ନେଉଥିବା ବେଳେ ରୋଷେଇବେଳେ ସର୍ବନିମ୍ନ ସତର୍କତା ଅବଲମ୍ବନ କରାଯାଉନଥିବାରୁ ଏଭଳି ଘଟିଥିବା ଅଭିଯୋଗ ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗକାରୀ ସୁନିଲ୍ ବେହେରାଙ୍କ କହିବା ଅନୁଯାୟୀ ସେ ଓ ତାଙ୍କ ସାଙ୍ଗ ଏକ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାପାଇଁ ଭୁବନେଶ୍ବର ଯାଇ ଗତକାଲି ମଧ୍ୟାହ୍ନରେ ବ୍ରହ୍ମପୁର ରେଳଷ୍ଟେସନ୍ରେ ଓହ୍ଲାଇଥିଲେ। ଭୋକ ଲାଗିବାରୁ ସେଠାରେ ଥିବା ଆହାର କେନ୍ଦ୍ରକୁ ଖାଇବାକୁ ଯାଇଥିଲେ। କାଉଣ୍ଟର୍ରୁ ଟିକେଟ୍ କାଟି ଧାଡ଼ିରେ ଠିଆ ହୋଇ ଖାଦ୍ୟ ଥାଳି ଆଣିଥିଲେ। ତାଙ୍କ ସାଙ୍ଗ ଧରିଥିବା ଥାଳିରେ ପରସା ଯାଇଥିବା ଡାଲିରେ ମଲା ମୂଷା ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେହି ଥାଳିକୁ ନେଇ ସେଠାରେ ଥିବା କର୍ମଚାରୀଙ୍କୁ ଦେଖାଇଥିଲେ। କର୍ମଚାରୀମାନେ ଏହାକୁ ଗୁରୁତ୍ବ ଦେବା ପରିବର୍ତ୍ତେ ଜଣେ ତୁରନ୍ତ ସେହି ଖାଦ୍ୟକୁ ନେଇ ଡଷ୍ଟବିନ୍ରେ ପକାଇ ଦେଇଥିଲେ। ଏହାପରେ ଯଥାବତ୍ ଖାଦ୍ୟ ପରସିଥିଲେ। ସୁନିଲ୍ ଏବଂ ତାଙ୍କ ସାଂଗ ଏନେଇ ସେଠାରେ ଖାଦ୍ୟ ଥାଳି ପାଇଁ ଧାଡ଼ି ଲମ୍ବାଇଥିବା ଉପସ୍ଥିତ ଲୋକଙ୍କୁ ମଧ୍ୟ ଜଣାଇଥିଲେ। କିନ୍ତୁ କେହି ତାଙ୍କ ସହ ସ୍ବର ଉତ୍ତୋଳନ କରିବାକୁ ସାହାସ କରିନଥିଲେ। ଏହାପରେ ତାଙ୍କ ସାଂଗ ମଧ୍ୟ ତୁରନ୍ତ ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ। ସୁନିଲ୍ ଚୁପ୍ ବସିବା ପରିବର୍ତ୍ତେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏସମ୍ପର୍କରେ ଖବର ଦେବାକୁ ଉଚିତ୍ ମଣିଥିଲେ। ଚୀନ୍ରେ ଯେପରି ବାଦୁଡ଼ି ମାଂସ ଖାଇ କରୋନା ଭୂତାଣୁ ଦ୍ବାରା ଲୋକମାନେ ସଂକ୍ରମିତ ହୋଇଛନ୍ତି, ଏବଂ ଏହା ଏବେ ମହାମାରୀର ରୂପ ନେଇଛି, ଯଦି ସେହିପରି ମଲାମୂଷା ପଡ଼ିଥିବା ଆହାର ଖାଦ୍ୟ ଖାଇ କୌଣସି ରୋଗ ବ୍ୟାପେ ସେଥିପାଇଁ କିଏ ଦାୟୀ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ଗରିବ ଲୋକଙ୍କ ଜୀବନ ସହ ନଖେଳି ଏହି ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।