ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ନୂତନ ଛାତ୍ରନିବାସରେ ଆଜି ଜଣେ ଛାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି। ମୃତ ଛାତ୍ରଜଣକ ହେଲେ ଆଇଆର୍‌ ଏଣ୍ଡ ପିଏମ୍‌ ବିଭାଗର ପ୍ରଥମ ବର୍ଷର ତାରିଣୀ ପ୍ରସାଦ ବିଶ୍ୱାଳ, ତାଙ୍କ ଘର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳର ବୋଲି ଜଣାପଡିଛି। ସେ ରୁମ୍‌ ନମ୍ବର ୧୦୨ରେ ରହୁଥିଲେ।

Advertisment

ଗତକ‌ାଲି ରାତିରେ ତାରିଣୀ ରହୁଥିବା ରୁମ୍‌ କବାଟ ବନ୍ଦ ରହିଥିଲା। କିଛି ଅନ୍ତେବାସୀ କବାଟ ପିଟି ଡାକିଥିବା ବେଳେ କବାଟ ‌ଖୋଲି ନଥିବା ଯୋଗୁଁ ସେ ଶୋଇ ପଡ଼ିଥିବେ ଭାବି ଚାଲି ଯାଇଥିଲେ। ଆଜି ଦିନତମାମ ବି ତାରଣୀଙ୍କୁ ଅନ୍ତେବାସୀମାନେ ଦେଖିନଥିବା କହିଛନ୍ତି। ମଧ୍ୟାହ୍ନରେ କିଛି ଅନ୍ତେବାସୀ ରୁମ୍‌ କବାଟ ପିଟିବା ପରେ ବି ସେ ଖୋଲି ନଥିଲେ। ରୁମ୍‌ ଭିତରୁ ଦୁର୍ଗନ୍ଧ ବାହାରୁଥିବା ଜାଣି ପଛପଟ ଝରକା ପଟୁ ଦେଖିବା ବେଳେ ତାରିଣୀ ଏକ ବେଡ୍‌ସିଟ୍‌କୁ ଫେନ୍‌ ହୁକ୍‌ରେ ବାନ୍ଧି ଝୁଲି ରହିଥିଲେ। ଏଥିନେଇ ଅନ୍ତେବାସୀମାନେ ହଷ୍ଟେଲ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଖବର ଦେଇଥିଲେ। ହଷ୍ଟେଲ୍‌ ୱାର୍ଡେନ୍‌ ପ୍ରଫେସର ସୁଶାନ୍ତ କୁମାର ବରାଳ, ସୁପରିଟେଣ୍ଟେଟ୍‌ ଡ. ପଦ୍ମନାଭ ସାମନ୍ତ, କୁଳସଚିବ ସଚ୍ଚିଦାନନ୍ଦ ନାୟକ ଘଟଣାସ୍ଥଳରେ ବିଭିନ୍ନ ବିଷୟରେ ପଚରାଉଚରା କରିବା ପରେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ତାରିଣୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ରହିଥିବା ବେଳେ ତାଙ୍କ ପରିବାରବର୍ଗ ପହଞ୍ଚିବା ପରେ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି। ଏଥିନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମୃତକଙ୍କ ପରିବାରବର୍ଗଙ୍କୁ ଖବର ଦେଇଛନ୍ତି। ଏଥିନେଇ ଗୋପାଳପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିଛି। ମୃତ ତାରିଣୀ ଜଣେ ବନ୍ଧୁବତ୍ସଳ, ମେଳାପୀ ଛାତ୍ର ଥିବା ବେଳେ ଭଲ ଗୀତକାର ଭାବେ ପରିଚିତ ଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅନ୍ତେବାସୀଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।