ରେଙ୍ଗାଲି: ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା ସ୍ଥିତ ଶାସନ କେନାଲକୁ ଏକ ବୋଲେରୋ ଗାଡ଼ି ଖସି ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଥିବା ଖବର ଚାଞ୍ଚଲ୍ୟ ଖେଳାଇଦେଇଛି। ୭ ମୃତକଙ୍କ ପରିଚୟ ମିଳିଛି। ଏହି ମୃତକମାନେ ହେଲେ ବଡ଼ଧରା ଗ୍ରାମର ସୁବଳ ଭୋଇ, ସୁମନ୍ତ ଭୋଇ, ସୂରଜ ସେଠ, ଦିବ୍ୟ ଲୁହା, ଅଜିତ ଖମାରି, ଶତ୍ରୁଘ୍ନ ଭୋଇ ଓ ରମାକାନ୍ତ ଭୟର। ଶତ୍ରୁଘ୍ନ ଭୋଇ ଗାଡ଼ିଚାଳକ ବୋଲି ଜଣାଯାଇଛି। ତେବେ ଦୁର୍ଘଟଣାଗ୍ରସ୍ତ ବୋଲେରୋ ଡ୍ରାଇଭରଙ୍କ ମୃତଦେହ ଡେରିରେ ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଏକ ବିବାହ ବରଯାତ୍ରୀ ଭାବେ ଯୋଗଦେବା ପାଇଁ ଝାରସୁଗୁଡ଼ା ଜ଼ିଲ୍ଲା କନକତୁରା ବଡ଼ଧରା ଅଞ୍ଚଳରୁ ପରମାଣପୁରକୁ ଆସିଥିଲେ l ହସଖୁସିରେ ବରଯାତ୍ରୀ କନ୍ୟା ଘରେ ପହଞ୍ଚିଥିଲେ ସମସ୍ତେ l ଏହା ପରେ ଭୋଜି ଖାଇ କନ୍ୟା ଘରୁ ବରଯାତ୍ରୀ ଯାଇଥିବା କିଛି ଲୋକେ ନିଜ ଘର ଝାରସୁଗୁଡ଼ା ଜ଼ିଲ୍ଲା କନକତୁରା ବଡ଼ଧରା ଗ୍ରାମକୁ ବାହାରିଥିଲେ l ଫେରିବା ବେଳକୁ ପ୍ରବଳ ବର୍ଷା ହେଉଥିଲା l ଏହି ସମୟରେ ଗୋଟିଏ ବୋଲେରୋ ରେ ୧୧ ଜଣ ବାହାରିଥିଲେ l ତେବେ ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା ବୁଲାଣିକୁ ପହଞ୍ଚିବା ମାତ୍ରେ ଭାରସାମ୍ୟ ହରାଇ ଗାଡ଼ିଟି ସିଧା ଶାସନ କେନାଲ ଭିତରକୁ ପଶି ଯାଇ ଓଲଟି ପଡ଼ିଥିଲା l
ଏହି ଘଟଣାଟି ରାତି ପ୍ରାୟ ୨ଟା ସମୟରେ ଘଟିଥିଲା l ଗାଡ଼ିଟି ଓଲଟି ପଡ଼ିବାରୁ ଗାଡ଼ି ଭିତରେ ଥିବା ଯୁବକମାନେ ସମସ୍ତେ ବାହାରି ପାରିନଥିଲେ l ତେବେ କୌଶଳକ୍ରମେ ଜଣେ ଯୁବକ ବାହାରି ତାଙ୍କ ସମ୍ପର୍କୀୟମାନଙ୍କୁ ଫୋନ କରିଥିଲେ। ଘଟଣାସ୍ଥଳରେ ସମସ୍ତେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେl ତେବେ ଗାଡ଼ିରୁ ୩ ଜଣ ବାହାରି ପାରିଥିଲେ ଆଉ ୬ ଜଣ ବାହାରି ପାରି ନଥିଲେl ଗାଡ଼ି ଚାଳକର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନଥିଲା l ତେବେ ଗାଡ଼ିରେ ପ୍ରକୃତରେ କେତେ ଜଣ ଥିଲେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ l ଏଥିରେ ମୃତକମାନେ ହେଲେ ବଡ଼ଧରା ଗ୍ରାମର ସୁବଳ ଭୋଇ, ସୁମନ୍ତ ଭୋଇ, ସୂରଜ ସେଠ, ଦିବ୍ୟ ଲୁହା, ଅଜିତ ଖମାର ଓ ରମାକାନ୍ତ ଭୟରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛିl