ଗଞ୍ଜାମ : ବେଳାଭୂମିରୁ ବେଲିନ୍ ତିମିର ମୃତଦେହ ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅଧୀନ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ସ୍ଥିତ ବଟେଶ୍ୱର ସମୁଦ୍ର ବେଳାଭୂମିରୁ ଆଜି ଏକ ‘ବେଲିନ୍’ ପ୍ରଜାତି ତିମି ମାଛର ମୃତଦେହ ଉଦ୍ଧାର ହୋଇଛି। ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମିଳନ ପର୍ବ  ଚାଲିଥିବାବେଳେ ବନବିଭାଗ ବିଭାଗ ତରଫରୁ ବେଳାଭୂମିରେ ପଇଁତରା ଚାଲିଥିଲା। କର୍ମଚାରୀମାନେ ପ୍ରୟାଗି  ଯାଉଥିବା ବେଳେ ବଟେଶ୍ୱର ବେଳାଭୂମିର ଉତ୍ତର ପାର୍ଶ୍ବଠୁ ଏକ କିଲୋମିଟର ଦୂରରେ ଏକ ତିମି ମାଛର ଶବ ପଡ଼ିଥିବାର ଦେଖିବାକୁ ପାଇଥିଲେ। ତିମିର ମୃତଦେହଟି ପଚିସଢ଼ି ଯାଇଥିଲା। ବ୍ରହ୍ମପୁର ଡିଏଫ୍‌ଓ ଅମ୍ଲାନ୍ ନାୟକ, ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା ଓ ଫରେଷ୍ଟର ସୋମନାଥ ମଲ୍ଲିକ ପହଞ୍ଚି ଅନୁଧ୍ୟାନ କରିଥିଲେ। ଏହାପରେ  ପଶୁ ଡାକ୍ତର ବିଶେଷଜ୍ଞ ଟିମ୍ ଯାଇ ବ୍ୟ‌ବଚ୍ଛେଦ କରିଥିଲେ। ମୃତ ତିମିଟି ‌ପ୍ରାୟ ୨ ମାସ ତଳୁ ମରିଥିବା ଅନୁମାନ କରାଯାଉଛି। ଏହା ଲମ୍ବ ୨୩ ମିଟର ହୋଇଥିବା ବେଳେ ଏହା ବେଲିନ୍‌ ପ୍ରଜାତିର ବୋଲି ରେଞ୍ଜର ଶ୍ରୀ ମାର୍ଥା କହିଛନ୍ତି।

ସମ୍ବନ୍ଧିତ ଖବର