ଅସ୍ତରଙ୍ଗ ବେଳାଭୂମିରେ ୪୮ ଫୁଟ୍‌ର ମୃତ ତିମି

ଅସ୍ତରଙ୍ଗ : ପୁରୀଜିଲ୍ଲା ଅସ୍ତରଙ୍ଗ ବେଳାଭୂମି ପୀରଜାହାନିଆ ନିକଟସ୍ଥ ଗୁଣ୍ଡଳବା ଗାଁ’ର ସମୁଦ୍ରକୂଳ ନିକଟରୁ ୪୮ଫୁଟ୍‌ର ଏକ ମୃତ ତିମିକୁ ଉଦ୍ଧାର କରାଯାଇଛି। ଟ୍ରଲର୍‌ ମାଡ଼ରେ ତିମିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଗୁଣ୍ଡଳବା ଗାଁ’ର ସମୁଦ୍ର କୂଳରେ ଏକ ମୃତ ତିମି ଲାଗିଥିଲା। ଏ ନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ରେଞ୍ଜର୍‌ ହ୍ୟୁମେନ ନାୟକ ଏକ ଟିମ୍ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ମୃତ ତିମିକୁ ଜେସିବି ସାହାଯ୍ୟରେ ପାଣିରୁ ଉଦ୍ଧାର କରିଥିଲେ। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଖବର ପାଇ ସେଠାରେ ପହଞ୍ଚି ତିମିର ମୃତ୍ୟୁର କାରଣ ସମ୍ପର୍କରେ ଅନୁସନ୍ଧାନ ମଧ୍ୟ କରିଥିଲେ। ତିମି ଶରୀରର ଅନେକାଂଶ ପଚି ଯାଇଥିବା ଦେଖିବାକୁ ମିଳିଛି। ଏହାର ଶରୀରରୁ ନମୁନା ସଂଗ୍ରହ କରାଯାଇ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ମୃତ ତିମିକୁ ବନ ବିଭାଗ ପକ୍ଷରୁ ପରେ ସମୁଦ୍ର ବାଲିରେ ପୋତି ଦିଆଯାଇଥିବା ବେଳେ ତାହାର ଲମ୍ବ ପ୍ରାୟ ୪୮ଫୁଟ୍ ହେବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ୨୦୧୪ ମସିହା ଡିସେମ୍ବର ୩ ତାରିଖରେ କେଳୁଣି ମୁହାଣ ନିକଟରେ ୩୨ ଫୁଟ୍‌ ଲମ୍ବ ଓ ୧୬ ଫୁଟ୍‌ ଗୋଲେଇର ସ୍ପର୍ମ ପ୍ରଜାତିର ତିମିର ମୃତଦେହ ମିଳିଥିଲା। ୧୯୯୯ ମସିହାରେ ଦେବୀ ମୁହାଣ ଠାରୁ ଦୂରରେ ଏକ ମୃତ ତିମି ମଧ୍ୟ ଲାଗିଥିଲା ।

ସମ୍ବନ୍ଧିତ ଖବର