ଜଗତସିଂହପୁର: କଇଁଛଙ୍କ ଅଣ୍ଡାଦାନ ଋତୁ ପାଇଁ ସମୁଦ୍ରରେ ଟ୍ରଲରେ ମାଛଧରା ଉପରେ ଲାଗିଥିବା କଟକଣା ପ୍ରହସନର ପର୍ଦ୍ଦାଫାସ ହୋଇଛି। ବେଆଇନ ମାଛଧରା ବେଫିକର ଜାରି ରହିଥିବା ସଂପର୍କରେ ବିଭିନ୍ନ ସମୟରେ ଯେଉଁ ଅଭିଯୋଗ ହୋଇ ଆସୁଥିଲା, ପାରାଦୀପ କୂଳରେ ତାହାର ପ୍ରମାଣ ମିଳିଛି। ପାରାଦୀପ ସମୁଦ୍ର ବେଳାଭୂମିରେ ପୁଳାପୁଳା ମୃତ ଅଲିଭ୍ ରିଡ୍‌ଲେ କଇଁଛ ପଡ଼ି ରହିବା ଘଟଣା ଏବେ ଉଦ୍‌ବେଗର କାରଣ ହୋଇଛି। ଏହାକୁ ଲୁଚାଇବା ପାଇଁ ଏବେ ବିଳମ୍ବିତ ରାତିରୁ ଭୋର ପର୍ଯ୍ୟନ୍ତ ଏହି ମୃତ କଇଁଛଙ୍କୁ ପୋତି ଦିଆଯାଉଛି। ପାରାଦୀପ ବେଳାଭୂମି, ନେହରୁ ବଙ୍ଗଳା ଆଖପାଖ ଅଞ୍ଚଳରେ ଏଭଳି ମୃତ କଇଁଛ ଦେଖିବାକୁ ମିଳୁଛି। ମିଳିଥିବା ସୂଚନା ଅନୁସାରେ, ଗଲା କିଛି ଦିନ ହେଲା ପାରାଦୀପ ବେଳାଭୂମିରେ ଏଭଳି ମୃତ କଇଁଛଙ୍କ ପୋତା ଚାଲିଛି। ମୃତ କଇଁଛଙ୍କ ପିଠିରେ ଟ୍ରଲର୍‌ କିମ୍ବା ମୋଟରଚାଳିତ ବୋଟ୍‌ର ପଙ୍ଖା ମାଡ଼ ଚିହ୍ନ ଦେଖିବାକୁ ମିଳୁଛି। କଇଁଛଙ୍କ ମୃତଦେହରୁ ରକ୍ତ ବାହାରୁ ଥିବାରୁ ଗତକାଲି ସନ୍ଧ୍ୟାରୁ ରାତି ଭିତରେ ହିଁ ଟ୍ରଲର୍‌ ମାଡ଼ ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି।

Advertisment

ନଭେମ୍ବର ଓ ଡିସେମ୍ବରରୁ ଅଲିଭ୍ ରିଡଲେ କଇଁଛଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇ ଅଣ୍ଡାଦାନ ପ୍ରକ୍ରିୟାକୁ ପ୍ରାୟ ୪୫ରୁ ୬୦ ଦିନ ପର୍ଯ୍ୟନ୍ତ ଲାଗେ। କେତେକ କ୍ଷେତ୍ରରେ ମିଳନ ପ୍ରକ୍ରିୟା ଆଉ କିଛି ଦିନ ବିଳମ୍ବ ହେଲେ ମାର୍ଚ୍ଚ ପର୍ଯ୍ୟନ୍ତ ମଧ୍ୟ ଅଣ୍ଡାଦାନ ହୁଏ। ଅଣ୍ଡାଦାନ ପୂର୍ବରୁ କଇଁଛ ବେଳାଭୂମିରେ ସୁରକ୍ଷିତ ସ୍ଥାନ ଓ ପ୍ରକୃତ ସମୟକୁ ଅପେକ୍ଷା କରିଥାନ୍ତି। ଏହା ପୂର୍ବରୁ ସେମାନେ ସମୁଦ୍ର ବେଳାଭୂମିରୁ ପ୍ରାୟ ୧୫ରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଘୂରି ବୁଲନ୍ତି। ଓଡ଼ିଶାର ଋଷିକୂଲ୍ୟା, ଗହୀରମଥା ଓ ଦେବୀ ମୁହାଣ ଅଞ୍ଚଳରେ ଗଣ ଅଣ୍ଡାଦାନ ହେଉଥିବାରୁ ସେଠାରେ କଡ଼ା କଟକଣା ଜାରି କରାଯାଇ ଥାଏ। ଏହା ବାଦ୍ ପୁରୀ, କୋଣାର୍କ, ଶିଆଳି, ରାମତରା, ପେଣ୍ଠ, ପାରାଦୀପ ଭଳି କେତେକ ଅଞ୍ଚଳରେ ମଧ୍ୟ କଇଁଛ ଅଣ୍ଡାଦାନ କରିଥାନ୍ତି। ପରିବେଶକର୍ମୀ ସୌମ୍ୟରଞ୍ଜନ ବିଶ୍ବାଳଙ୍କ କହିବା ଅନୁସାରେ, କଟକଣା ସମୟରେ ମଧ୍ୟ ଅବାଧ ଓ ବେଆଇନ ଭାବେ ମାଛଧରା ଟ୍ରଲର, ମୋଟରଚାଳିତ ବୋଟ୍, ଡଙ୍ଗା ସମୁଦ୍ର ମଧ୍ୟକୁ ଯାଇ ମାଛ ମାରିଥାନ୍ତି। ଯାହାର ଫଳସୂରୂପ କଇଁଛଙ୍କର ମୃତ୍ୟୁ ହୋଇଥାଏ। ବିଶେଷ କରି ନିଷିଦ୍ଧାଞ୍ଚଳ ପାଇଁ ଭାରତୀୟ ବନ୍ୟପ୍ରାଣୀ ଆଇନ-୧୯୭୨ ଓ ଓମଫ୍ରା(ଓଡ଼ିଶା ମେରାଇନ ଫିସିଂ ରିଜଲ୍ୟୁସନ ଆକ୍ଟ) ଆଇନ ରହିଥିଲେ ମଧ୍ୟ ତାହା କଡ଼ାକଡ଼ି ପାଳନ କରାଯାଉ ନାହିଁ। ବନ୍ୟ ଓ ମତ୍ସ୍ୟ ଦୁଇ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ କଇଁଛ ବଳି ପଡ଼ୁଛନ୍ତି। ଏ ସମ୍ପର୍କରେ କୁଜଙ୍ଗ ବନଖଣ୍ଡ ରେଞ୍ଜର ରଞ୍ଜନ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ପାରାଦୀପ ଅଞ୍ଚଳରେ କୌଣସି ବେଆଇନ ମାଛଧରା ଟ୍ରଲର ଚଳାଚଳ କରୁନାହିଁ। ମତ୍ସ୍ୟ ବିଭାଗ, ବନ ବିଭାଗ, ମେରାଇନ ପୁଲିସ, କୋଷ୍ଟଗାର୍ଡ ପକ୍ଷରୁ ରାତିରେ କଡ଼ା ପାଟ୍ରୋଲିଂ କରାଯାଉଛି। ବେଳାଭୂମିରେ ଲାଗୁଥିବା ମୃତ କଇଁଛ କେଉଁଠୁ ଭାସି ଆସୁଛନ୍ତି ସେ ସମ୍ପର୍କରେ ଆମକୁ ଜଣାନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି।