କାଠ କିଣିବାକୁ ଟଙ୍କା ନାହିଁ, ୫ ଘଣ୍ଟା ପଡ଼ିରହିଲା କରୋନା ଆକ୍ରାନ୍ତଙ୍କ ଶବ

ସମ୍ବଲପୁର: ସମ୍ବଲପୁର ରାଜଘାଟରେ ପୁଣି କାଠ ସଙ୍କଟ। କାଠ କିଣିବାକୁ ଟଙ୍କା ନଥିବାରୁ ଶବ ପୋଡ଼ିବା ପାଇଁ ସମସ୍ୟା ଉପୁଜୁଛି। ରବିବାର ସକାଳୁ ରାଜଘାଟକୁ ୨ଜଣ କରୋନା ମୃତକଙ୍କ ଶବ ପହଞ୍ଚିବା ପରେ କାଠ ନଥିବାରୁ ୫ ଘଣ୍ଟା ଶବ ପଡ଼ି ରହିଥିଲା। ରବିବାର ଭିମ୍‌ସାରର ଆକାଉଣ୍ଟସ ବିଭାଗ ମଧ୍ୟ ବନ୍ଦ ରହିଥିବାରୁ ଟଙ୍କା ଉଠାଣ ସମ୍ଭବ ନଥିଲା। ଶେଷରେ ଭିମ୍‌ସାର ଷ୍ଟିୱାର୍ଡ ନିଜେ ୨ ଜଣ ମୃତକଙ୍କ ଶବ ଦାହ ପାଇଁ ଟଙ୍କା ଆଣି ଦେବା ପରେ କାଠ କିଣି ଅଣାଯାଇଥିଲା ଓ ଶବ ପୋଡ଼ାଯାଇଥିଲା। ବାରମ୍ବାର ରାଜଘାଟରେ ଏଭଳି ସମସ୍ୟା ଦେଖାଦେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ସମାଧାନ କରାଯାଉନି। ଏନେଇ ରାଜଘାଟ କର୍ତ୍ତୃପକ୍ଷଙ୍କୁ ପଚାରିବାରେ କୋଭିଡ୍‌ ଶବ ପୋଡ଼ିବା ପାଇଁ ଯେଉଁ ଟଙ୍କା ମିଳିବା କଥା ତାହା ବକେୟା ରହିଥିବାରୁ କାଠ କିଣିବା ପାଇଁ ପରିଚାଳନାକାରୀ ସଂସ୍ଥା ପାଖରେ ଅର୍ଥାଭାବ ଦେଖାଦେଉଛି ବୋଲି କହିଥିଲେ।

ମିଳିଥିବା ସୂଚନା ଅନୁସାରେ, ପ୍ରତିଟି କୋଭିଡ୍‌ ମୃତକଙ୍କ ଶବ ସତ୍କାର ପାଇଁ ସରକାରଙ୍କ ପକ୍ଷରୁ ୭୫୦୦ଟଙ୍କା ଦିଆଯାଉଛି। ଗତ ନଭେମ୍ବର ମାସରେ ଭିମ୍‌ସାର କୋଭିଡ୍‌ ହସ୍ପିଟାଲରେ ମୃତ ୨୪ ଜଣଙ୍କର ରାଜଘାଟରେ ସତ୍କାର କରାଯାଇଥିଲା। ସେବାବଦକୁ ପ୍ରଶାସନ ପକ୍ଷରୁ ଯେତିକି ଟଙ୍କା ଦିଆଯିବା କଥା ସେଥିରୁ ଅଧା ଟଙ୍କା ଦିଆଯାଇଥିଲା। ଫଳରେ ଭିମ୍‌ସାର କର୍ତ୍ତୃପକ୍ଷ ପ୍ୟାକିଂ ଓ ଡ୍ରାଇଭରଙ୍କ ଖର୍ଚ୍ଚରୁ ଅଳ୍ପ ଅଳ୍ପ ଦେଇ ରାଜଘାଟକୁ ୧୭ଟି ଶବ ବାବଦକୁ ଟଙ୍କା ପଇଠ କରିଥିଲେ। ଏବେ ରାଜଘାଟରେ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ଉପରେ ୪୩ ଟି ଶବ ଦାହର ଟଙ୍କା ବାକି ରହିଛି। ପ୍ରତିଟି ଶବ ଦାହ ପାଇଁ ଭିମ୍‌ସାର କର୍ତ୍ତୃପକ୍ଷ ରାଜଘାଟକୁ ୩ ହଜାର ଟଙ୍କା ଦେବା କଥା। ଏହି ହିସାବରେ ୧,୨୯,୦୦୦ ଟଙ୍କା ବକେୟା ରହିଥିବା ଜଣାପଡ଼ିଛି।

ସେପଟେ, ରାଜଘାଟରେ ସାଧାରଣ ମୃତକଙ୍କ ଶବ ଦାହ ପାଇଁ ରେମେଡ୍‌ସ୍ଥିତ କାଠଗୋଲାରୁ କାଠ କିଣିବାକୁ ହେଲେ ୨ ଟ୍ରିପ୍‌କୁ ୫୩ ହଜାର ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ସମ୍ବଲପୁର ମହାନଗର ନିଗମ ପକ୍ଷରୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଉଛି। ଏହି କାଠରେ କୋଭିଡ୍ ମୃତକଙ୍କ ଶବ ପୋଡ଼ାଗଲେ ସାଧାରଣ ମୃତକଙ୍କ ଶବ ଦାହ ପାଇଁ ପୁଣି ସମସ୍ୟା ଦେଖାଦେବ। ତେଣୁ କୋଭିଡ୍‌ ମୃତକଙ୍କ ଟଙ୍କା ନମିଳିବା ଯାଏ ଉକ୍ତ ମୃତଦେହଗୁଡ଼ିକର ଦାହ କରାଯିବନି ବୋଲି ରାଜଘାଟ କର୍ମଚାରୀମାନେ ରବିବାର ରୋକ୍‌ଠୋକ୍‌ ମନା କରିଦେଇଥିଲେ। ଫଳରେ ୫ ଘଣ୍ଟା ଯାଏ ଦେବଗଡ଼ର ଗୋଟିଏ ଓ ବଲାଙ୍ଗୀରର ଜଣେ ମୃତକଙ୍କ ଶବ ପଡ଼ି ରହିଥିଲା।

ସମ୍ବନ୍ଧିତ ଖବର