କରୋନା କୋହ, କୋଭିଡ୍ ହସ୍ପିଟାଲରେ ୧୨ ଘଣ୍ଟା ପଡ଼ି ରହିଲା ଶବ

ବାହାରେ ପରିଜନଙ୍କ ଆକୁଳ ଅପେକ୍ଷା

ସୁନ୍ଦରଗଡ଼: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅର୍ଥ ଅଛି, ଆବଶ୍ୟକ ବ୍ୟବସ୍ଥା ମଧ୍ୟ କରାଯାଇଥିବା କୁହାଯାଉଛି। କିନ୍ତୁ କରୋନାର ଯନ୍ତ୍ରଣା ସରୁନି। ଆକ୍ରାନ୍ତ ରୋଗୀଙ୍କ ଠାରୁ ଆତ୍ମୀୟ ପରିଜନ ଯାଏ ସମସ୍ତେ କଲବଲ ହେଉଛନ୍ତି। କେଉଁଠି ଗୁରୁତର ରୋଗୀଙ୍କୁ ଶଯ୍ୟା ମିଳୁନି ତ କେଉଁଠି ମିଳୁନି ଅମ୍ଲଜାନ। ପୁଣି କେଉଁଠି ଗୁରୁତରଙ୍କୁ ଅନ୍ୟ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ପାଇଁ ପରିଜନଙ୍କୁ ଦରାଣ୍ଡି ହେବାକୁ ପଡ଼ୁଛି। କରୋନା ମୁକବିଲା ଓ ପରିଚାଳନାରେ ଓଡ଼ିଶା ଆଗୁଆ ବୋଲି ସରକାର ଡିଣ୍ଡିମ ବେଳେ ବିଭିନ୍ନ କୋଭିଡ୍ କେନ୍ଦ୍ରରୁ ଏପରି ଗୋଟିଏ ପରେ ଗୋଟିଏ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି । ଏପରି କିଛି କରୁଣ ନମୁନା ସୁନ୍ଦରଗଡ଼ ଏନଟିପିସି କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଦେଖିବାକୁ ମିଳିଛି। ଦୁଇ ଦିନ ତଳେ ଗୁରୁତର ପୁଅକୁ ରାଉରକେଲା ନେବା ପାଇଁ କୋଭିଡ କେନ୍ଦ୍ର ସମ୍ମୁଖରେ ଆମ୍ବୁଲାନ୍ସ ଖୋଜି ଖୋଜି ଜଣେ ଅସହାୟ ବାପା କଇଁକଇଁ ହୋଇ କାନ୍ଦୁଥିବାର ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଥିଲା।

ଆଜି ପୁଣି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଏହି ସ୍ବାସ୍ଥ୍ୟକେନ୍ଦ୍ରରେ। କରୋନାରେ ଗୁରୁତର ଜଣେ ରୋଗୀଙ୍କ ମୃତ୍ୟୁର ୧୨ ଘଣ୍ଟା ପରେ ବି ଶବକୁ କର୍ତ୍ତୃପକ୍ଷ କାଗଜପତ୍ର ପ୍ରସ୍ତୁତି ଆଳରେ ସେମିତି ସ୍ବାସ୍ଥ୍ୟକେନ୍ଦ୍ର ଭିତରେ ପକାଇ ରଖିଥିଲେ। ଆଉ ଆତ୍ମୀୟଙ୍କୁ ହରାଇବାର ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିବା ପରିଜନ ୧୨ ଘଣ୍ଟା ଧରି ବାହାରେ ଅପେକ୍ଷା କରି ରହିଥିଲେ। ଅଭିଯୋଗ ଅନୁସାରେ, ସଦର ବ୍ଲକ୍ ରୁପିଡିହିର ଜଣେ ୫୬ ବର୍ଷର ବ୍ୟକ୍ତି ଜଣକ ଗତ ୨୪ ତାରିଖରେ କରୋନା ସଂକ୍ରମଣରେ ଗୁରୁତର ହୋଇ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ରବିବାର ରାତିରେ ସେ ହଠାତ ଅଣନିଃଶ୍ବାସୀ ହୋଇପଡ଼ିବାରୁ ଅମ୍ଲଜାନ ଦିଆଯାଇଥିଲା। କିନ୍ତୁ ରାତି ୯ଟାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ସୂଚନା ପାଇ ଭାଙ୍ଗି ପଡ଼ିଥିବା ପରିଜନ ମଶାଣିକୁ ମୃତଦେହ କେତେବେଳେ ନେବେ ବୋଲି ବାହାରେ ଅପେକ୍ଷା କରିଥିଲେ।

ରାତି ପାହି ପୂର୍ବାହ୍ନ ୧୦ଟା ପରେ ବି ପରିଜନଙ୍କ କୋହଭରା ପ୍ରତୀକ୍ଷାର ଅନ୍ତ ଘଟୁ ନଥିଲା। ପରିଜନ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଗୁହାରି କରି କରି ନୟାନ୍ତ ହୋଇଥିଲେ ମଧ୍ୟ କେହି ଶୁଣୁ ନଥିଲେ। କାଗଜପତ୍ର କାମ ଚାଲିଛି କହି ସମୟ ଗଡ଼ାଇ ଚାଲିଥିଲେ। ଏହି ସମୟରେ ସେଠାକୁ ଆସିଥିବା ଜଣେ ସାମାଜିକକର୍ମୀ ଏ ଖବର ପାଇ କର୍ତ୍ତୃପକ୍ଷଙ୍କ ଏ ପ୍ରକାର ମନମାନୀକୁ ବିରୋଧ କରିଥିଲେ। ପରେ ଦିନ ୧୧ଟାରେ ଶବ ମଶାଣିକୁ ଯାଇଥିଲା। ସେହିପରି ଲେଫ୍ରିପଡ଼ାର ଜଣେ ଗୁରୁତରଙ୍କୁ ମାତ୍ର ୪ ଦିନର ଚିକିତ୍ସା ପରେ ସୁସ୍ଥ ହୋଇଗଲେ କହି ରବିବାର ଦିନ ଯିବାକୁ କହିଥିଲେ। ସମ୍ପୃକ୍ତ ବ୍ୟକ୍ତି ଘରକୁ ଯିବା ପରେ ଆଜି ପୁଣି ଗୁରୁତର ହୋଇ ପଡ଼ିଥିବା ଖବର ମିଳିଛି। କୋଭିଡ୍ କେନ୍ଦ୍ରର ପରିଚାଳନାରେ ତ୍ରୁଟି ଓ ମନମାନୀ ଯୋଗୁଁ ଏପରି ଅଭାବନୀୟ ଘଟଣା ସବୁ ଘଟୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର