ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଥାନାର ବାଙ୍କୋଇ ଫାଣ୍ଡି ପୁଲିସ ଆଜି ସ୍ଥାନୀୟ ଅଞ୍ଚଳର ପାଟପୁରଶାସନ ଖାରଡ଼ପଲ୍ଳୀ ଗ୍ରାମ ନିକଟସ୍ଥ ଏକ କାଜୁ ପଡ଼ିଆରେ ପଡ଼ିଥିବା ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିବା ସହିତ ଜବତ କରିଛି। ଉକ୍ତ ଯୁବକଜଣଙ୍କୁ ହତ୍ୟା କରାଯାଇଥିବାର ପରିବାର ପକ୍ଷରୁ ଅଭିଯୋଗ କରାଯାଉଛି । ଏହି ଘଟଣାରେ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁଇଜଣଙ୍କୁ ଅଟକ ରଖିଛି।

Advertisment

ଘଟଣାରୁ ପ୍ରକାଶ ଯେ, ମୃତ ଯୁବକ ଜଣକ ହେଉଛନ୍ତି ଖାରଡପଲ୍ଳୀ ଗ୍ରାମର ବୀରବର ବେହେରାଙ୍କ ପୁଅ ସତ୍ୟସୁନ୍ଦର ବେହେରା (୨୨)। ସତ୍ୟସୁନ୍ଦରଙ୍କ ମାଆଙ୍କ କହିବା ଅନୁସାରେ ତାଙ୍କ ପୁଅ ସତ୍ୟ ଗତକାଲି ରାତିରୁ ଗ୍ରାମର ଦୁଇଜଣ ଯୁବକଙ୍କ ସହ ବୁଲିବାକୁ ଯାଇଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ।

ଆଜି ସକାଳୁ ସତ୍ୟଙ୍କ ମୃତଦେହ ଗ୍ରାମଠାରୁ ଅଧ କିଲୋମିଟର ଦୂରରେ ଥିବା ଏକ କାଜୁ ଜଙ୍ଗଲ ପଡ଼ିଆରେ ପଡ଼ିଥିବାର ଲୋକେ ଦେଖିଥିଲେ। ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚି ଶବ ଚିହ୍ନଟ କରିଥିଲେ। ପରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।