କାଶୀପୁର: ପୋଲ ତଳୁ ମିଳିଲା ମୃତଦେହ

କାଶୀପୁର: କାଶୀପୁର ସଦର ମହକୁମା ଅନ୍ତର୍ଗତ ହରିଜନ ସାହି ନିକଟସ୍ଥ ମୁଖ୍ୟ ରାସ୍ତାକଡ଼ରେ ଥିବା ଏକ ପୋଲ ତଳେ ଜଣ ବ୍ୟକ୍ତିଙ୍କ ମୃତ ଦେହକୁ ଆଜି କାଶୀପୁର ଥାନା ପକ୍ଷରୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ମୃତବ୍ୟକ୍ତି ଜଣକ ହେଲେ କାଶୀପୁର ଜାମୁଗୁଡ଼ା ସାହିର ସୀତା ମାଝି (୫୮)। ନିଜ ସ୍ତ୍ରୀଙ୍କର ହତ୍ୟା ଅଭିଯୋଗରେ ସେ ୧୬ ବର୍ଷ କାଳ କାରାଗାରରେ ବନ୍ଦୀ ଭାବେ ଦିନ କାଟିଥିଲେ। ୨୦୧୩ ମସିହାରେ ସେ ଘରକୁ ଫେରିଥିଲେ। ହେଲେ ପରିବାର ମଧ୍ୟରେ ସେଭଳି କେହି ନ ଥିବା ବେଳେ ସାହିରେ କିଛି ସମ୍ପର୍କୀୟଙ୍କର ଘରେ ରହି କାଶୀପୁରର ଜଣେ ବ୍ୟବସାୟୀଙ୍କ ପାଖରେ ପ୍ରାୟ ସମୟ ସେ ଖଲାସୀ ଭାବେ କାର୍ଯ୍ୟରତ କରୁଥିବା ଜଣାପଡ଼ିଛି।

ପୁଣି ଯାହା ଆୟ ହେଉଥିଲା, ସେଥିରେ ତାଙ୍କର ଗୁଜୁରାଣ ମେଣ୍ଟାଉଥିଲେ। ହେଲେ ଗତକାଲି ସେ ନିଶାସକ୍ତ ଭାବେ ଦିନତମାମ ବୁଲୁଥିବା ଜଣାପଡ଼ିଛି। କିନ୍ତୁ ଆଜି ସକାଳେ ତାଙ୍କର ମୃତ ଶରୀର କାଶୀପୁର ହରିଜନ ସାହି ନିକଟସ୍ଥ ଏକ ପୋଲ ତଳେ ମିଳିଥିଲା। କିନ୍ତୁ ପାରିପାର୍ଶ୍ବିକ ଘଟଣାରୁ ବିଳମ୍ବିତ ରାତ୍ରିରେ ନିଶାସକ୍ତ ଭାବେ ଆସୁଥିବା ସମୟରେ କୌଣସି କାରଣରୁ ଗୋଡ଼ ଖସି ପୋଲ ଉପରୁ ତଳକୁ ପଡ଼ିଯିବା ପରେ ମୃତ୍ୟୁ ହେଇଯାଇଥିବା ଜଣାପଡ଼ୁଛି ।

ଉକ୍ତ ଖବର ଜଣାପଡ଼ିବା ପରେ ପରିବାର ପକ୍ଷରୁ ବାଲସିଙ୍ଘ ମାଝି କାଶୀପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ଘଟଣାସ୍ଥଳରେ ଏକ ଟିମ୍ ପହଞ୍ଚି ପ୍ରାଥମିକ ତଦନ୍ତ ପରେ କାଶୀପୁର ଅଗ୍ନିଶମ ବିଭାଗ ସହାୟତାରେ ଶବ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର