କାଠଯୋଡ଼ି ନଦୀପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପାଣିରେ ବୁଡ଼ିଯାଇଥିବାର ଆଶଙ୍କା

କଟକ: କଟକରେ ଚାଞ୍ଚଲ୍ୟ। ଆଜି ସକାଳେ କଟକ ମହାନଗରର ଖାନନଗର କାଠଯୋଡ଼ି ନଦୀପଠାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭ଟା ସମୟରେ କଟକ ଖାନ ନଗର ନିକଟ କାଠଯୋଡ଼ି ପଠାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଅବଶ୍ୟ ମିଳିଛି। ମୃତକଜଣକ ବୟାଳିଶି କଟକର ମଉଜା ଅଞ୍ଚଳର ବାବୁଲି ବେହେରା ବୋଲି ଜଣାଯାଇଛି। ସେ ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିବାର ଆଶଙ୍କା କରାଯାଉଛି।

ନଦୀ ପଠାରେ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବା ପରେ ସେମାନେ ବାଦାମବାଡ଼ି ଥାନା ପୁଲିସକୁ ଖବର ଦେଇଥିଲେ। ବାଦାମବାଡ଼ି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।
ଏହି ଘଟଣାର ଅସଲ କାରଣ ଏଯାବତ୍ ଜଣାପଡ଼ିନାହିଁ । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର