ଦେବଗଡ଼ : ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ଦେଓଧର ଜଳପ୍ରପାତରୁ ଶୁକ୍ରବାର ରାତିରେ ପୁଲିସ ଏକ ମୃତଦେହ ଉଦ୍ଧାର କରିଥିଲା। ମୃତକ ହେଲେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ରେଙ୍ଗାଲବେଡ଼ା ଗ୍ରାମର ପ୍ରସନ୍ନ କୁମାର ସାହୁ(୫୦)। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପ୍ରସନ୍ନଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ପରିବାର ଲୋକେ ଦେବଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ପ୍ରସନ୍ନଙ୍କ ପୁଅ ନାରାୟଣଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତମାନେ ଗିରଫ ମଧ୍ୟ ହୋଇଥିଲେ। ଦେବଗଡ଼ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ରେଙ୍ଗାଲବେଡ଼ା ଗ୍ରାମର ପ୍ରସନ୍ନ ଗତ ୧୭ ତାରିଖ ଦିନ ଦେଶୀ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ଖଳିନାଳି ଗ୍ରାମର ଅକ୍ଷୟ କଣ୍ଟିଆଲ ନାମକ ଜଣେ କବିରାଜଙ୍କ ନିକଟକୁ ଆସିଥିଲେ। ଚିକିତ୍ସା ପରେ ପ୍ରସନ୍ନ ଘରକୁ ଶେଷଥର ପାଇଁ ଫୋନ୍ କରିଥିଲେ। ପରେ ତାଙ୍କର ମୋବାଇଲ ସୁଇଚ୍ ଅଫ୍ ଥିଲା। ପ୍ରସନ୍ନ ସେଦିନ ଘରକୁ ନଫେରିବାରୁ ତାଙ୍କ ପରିବାର ଲୋକ ଜମନକିରା ଥାନାରେ ନିଖୋଜ ଏତଲା ଦେଇଥିଲେ। ପରେ ଶୁକ୍ରବାର ଦେଓଧର ଜଳପ୍ରପାତ ମଧ୍ୟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଖବରପାଇ ପରିବାର ଲୋକ ସେଠାରେ ପହଞ୍ଚି ମୃତଦେହଟି ପ୍ରସନ୍ନଙ୍କର ବୋଲି ଚିହ୍ନଟ କରିଥିଲେ।
ଦେବଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତରେ ମୃତଦେହ ଉଦ୍ଧାର କରିଥିଲା। ମୃତ୍ୟୁ ପୂର୍ବରୁ ପ୍ରସନ୍ନଙ୍କୁ ଚିକିତ୍ସା କରୁଥିବା ଜଣେ କବିରାଜ ତାଙ୍କୁ ଔଷଧ ଦେଇଥିଲେ। ପ୍ରସନ୍ନ ଚିକିତ୍ସା ପରେ ଘରକୁ ଫେରିଥିଲେ। କିନ୍ତୁ ବାଟରେ କଣ ହେଲା? ଦେଓଧର ଜଳପ୍ରପାତକୁ ତାଙ୍କର ମୃତଦେହ କିପରି ଆସିଲା ତାହା ଏବେ ରହସ୍ୟମୟ ହୋଇ ରହିଛି। ଶନିବାର ମୃତକଙ୍କ ପରିବାର ଦେବଗଡ଼ ଥାନାକୁ ଆସି ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ, ଡିସେମ୍ବର ମାସରେ ପ୍ରସନ୍ନଙ୍କ ପୁଅ ନାରାୟଣ ସାହୁଙ୍କୁ ଜମନକିରା ଥାନା ରେଙ୍ଗାଲବେଡା ଗ୍ରାମର ମୁକ୍ତେଶ୍ୱର ମନ୍ଦିର ନିକଟରେ ହତ୍ୟା କରାଯାଇଥିବା ଜମନକିରା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଜମନକିରା ପୁଲିସ ଅପରାଧୀଙ୍କୁ ଗିରଫ କରିଥିବାବେଳେ ସେହିଦିନଠାରୁ ପ୍ରସନ୍ନଙ୍କ ସହ ଉକ୍ତ ଅଭିଯୁକ୍ତଙ୍କ ଶତ୍ରୁତା ଆରମ୍ଭ ହୋଇଥିଲା। ଏପରିକି ପ୍ରସନ୍ନଙ୍କ ହତ୍ୟାକାଣ୍ଡର ପୂର୍ବରୁ ପ୍ରସନ୍ନ ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଧମକ ଆସିଥିବା ନେଇ ତାଙ୍କର ପରିବାରବର୍ଗ ଦେବଗଡ଼ ଥାନାରେ ଅଭିଯୋଗ କରିଛନ୍ତି।