ଗାଡ଼ିଆରୁ ବସ୍ତାରେ ବନ୍ଧା ମୁଣ୍ତବିହୀନ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ଖଡ୍‌ଗନଦୀ ସେତୁ ନିକଟରେ ଏକ ଗାଡ଼ିଆରୁ ପୁଲିସ ଏକ ଅଖାରେ ବନ୍ଧା ମୁଣ୍ଡବିହୀନ ଶବ ଉଦ୍ଧାର କରିଛି। ଶବଟି କ.ନୂଆଗାଁ ଥାନା କିଲୁପଡା ଗ୍ରାମର ଯୁଧିଷ୍ଠିର ମଳିକଙ୍କ ବୋଲି ଜଣାପଡ଼ିଛି। ଯୁଧିଷ୍ଠିର ମଳିକ ପୂଜାବିଧି ସହ ଚାଙ୍ଗୁ ମଧୢ ବଜାଉଥିଲେ। ଗତ ଫେବ୍ରୁଆରି ୨୮ ତାରିଖରୁ ସେ ନିଖୋଜ ଥିବା ବେଳେ ଗତ ୩ ତାରିଖରେ ପରିବାର ଲୋକେ କ.ନୂଆଁଗା ଥାନାରେ ଏତଲା ଦେଇଥିଲେ। ଖବର ପାଇ ମୃତକ ଯୁଧିଷ୍ଠିରଙ୍କ ପରିବାର ଲୋକେ ଆସି ଶବ ଚିହ୍ନିଟ କରିଥିଲେ। ବାଲିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଉପଖଣ୍ତ ଚିକିତ୍ସାଳୟକୁ ପଠାଇଛି। ଏନେଇ କେସ ନମ୍ବର ୪୦/୨୦ରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସିନ୍ଦ୍ରିଗାଁର କିଛି ଲୋକ ସକାଳୁ ଗାଧୋଇବା ପାଇଁ ନଦୀ କୂଳକୁ ଯାଇଥିଲେ। ଗାଡ଼ିଆ ପାଖରେ ଅଖାରେ ବନ୍ଧା ଶବଟି ଭାସୁଥିବା ଦେଖି ଭୟଭୀତ ହୋଇ ସେଠାରୁ ପଳାଇଥିଲେ। ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ବାଲିଗୁଡ଼ା ଏସ୍‌ଡିପିଓ ମାନସ ର˚ଜନ ବାରିକ ଓ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଶବ ଗାଡ଼ିଆରୁ ବାହାର କରିବା ପରେ ମୁଣ୍ଡ ନଥିବା ଜଣା ପଡ଼ିଥିଲା। ପୂର୍ବରୁ ମୁଣ୍ତରୁ ଗଣ୍ତିକୁ ଅଲଗା କରି ହାତକୁ ବାନ୍ଧିବା ସହ ଏକ ପଥର ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ଜାଣିବା ପରେ ଘଟଣାସ୍ଥଳକୁ ଆସି ଶବ ଚିହ୍ନଟ କରିଥିଲେ। ତେବେ ପ୍ରାଥମିକ ସ୍ଥିତିରୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ପୁଲିସ ମାମଲାର ତଦନ୍ତ କରୁଥିବା ବେଳେ ଏନେଇ ସବିଶେଷ ତଥ୍ୟ ପ୍ରଦାନ କରି ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର