କିଏ ସେ ନୃଶଂସ ହତ୍ୟାକାରୀ?

ପୁରୀ ରେଳ ଷ୍ଟେସନ୍‌ରେ ଆଜି ଜଣେ ମହିଳାଙ୍କର ମୁଣ୍ଡଗଣ୍ଡି ବିହୀନ ମୃତଦେହ ଦେଖି ସ୍ତବ୍ଧ ହୋଇ ଯାଇଥିଲେ ଟ୍ରେନ୍‌ ଯାତ୍ରୀ। ଖବରଟି ବିଦ୍ୟୁତ ବେଗରେ ପ୍ରଚାରିତ ହୋଇଯିବା ପରେ ରେଳ ଷ୍ଟେସନ୍‌କୁ ଲୋକଙ୍କ ସୁଅ ଛୁଟିଥିଲା। ଏଭଳି ଭୟାନକ ଦୃଶ୍ୟ ଦେଖି ଲୋକେ ପରସ୍ପର ମଧ୍ୟରେ ଆଲୋଚନା କରୁଥିଲେ କିଏ ସେ ନୃଶଂସ ହତ୍ୟାକାରୀ।

ହତ୍ୟା ପ୍ରଚ୍ଛଦପଟରେ ପରିଚିତ ବ୍ୟକ୍ତି!

ଆଜି ପୂର୍ବାହ୍ନରେ ବେରବୋଇ ଟ୍ରେନ୍‌ ଲାଇନରେ ମହିଳାଙ୍କ ମୁଣ୍ଡ ମିଳିବା ଏବଂ ପୁରୀ ଷ୍ଟେସନରେ ଲାଗିଥିବା ଏକ ବଗିରେ ମୁଣ୍ଡବିହୀନ ଗଣ୍ଡି ମିଳିବା ଘଟଣାକୁ ନେଇ ଜିଆରପି ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ହତ୍ୟା ଘଟଣାର ପ୍ରଚ୍ଛଦପଟରେ ମହିଳାଙ୍କର ପରିଚିତ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ କରାଯାଉଛି। ବିଳମ୍ବିତ ରାତିରେ ଟ୍ରେନ୍‌ରେ ଚଢ଼ିଥିବା ଏହି ମହିଳାଙ୍କୁ ବିନା କାରଣରେ କୌଣସି ଅପରିଚିତ ବ୍ୟକ୍ତି ମାରିବାର କୌଣସି କାରଣ ଥାଇନପାରେ ବୋଲି ଚର୍ଚ୍ଚା ହେଉଛି। ମହିଳାଙ୍କ କାନ, ବେକ, ହାତ ଏବଂ ଗୋଡ଼ରେ ଥିବା ଅଳଙ୍କାରକୁ ହତ୍ୟାକାରୀ ନେଇନାହିଁ। ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ତାଙ୍କର କୌଣସି ପରିଚିତ ବ୍ୟକ୍ତି ହିଁ ହତ୍ୟା କରିଥାଇପାରେ ବୋଲି ଅନୁମାନ କରାଯାଉଛି।

ହତ୍ୟାକାଣ୍ଡ ସ୍ଥାନ ଖୋର୍ଦ୍ଧା ନା ପୁରୀ?

ଟ୍ରେନ୍‌ର ଏକ ଖାଲି ବଗିରୁ ମିଳିଥିବା ମସ୍ତକବିହୀନ ଏହି ମହିଳାଙ୍କୁ କେଉଁଠାରେ ହତ୍ୟା କରାଯାଇଛି ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି ପୁଲିସ। ଏହି ବଗିଟି ଖୋର୍ଦ୍ଧା ରୋଡ୍‌ ଷ୍ଟେସନରେ ଅଟକି ରହିଥିବା ବେଳେ ସେଠାରେ ମହିଳାଙ୍କୁ ହତ୍ୟା କରାଯାଇଛି ନା ଚଳନ୍ତା ଟ୍ରେନ୍‌ରେ ହତ୍ୟା କରାଯାଇଛି ସେ ସମ୍ପର୍କରେ ପୁଲିସ କୌଣସି ନିର୍ଦ୍ଧିଷ୍ଟ ସିଦ୍ଧାନ୍ତରେ ପହଞ୍ଚି ପାରିନାହିଁ। କଟା ମୁଣ୍ଡ ଗୋଟିଏ ଜାଗାରୁ ଓ ଗଣ୍ଡିଟି ଅନ୍ୟ ଏକ ଜାଗାରୁ ମିଳିଥିବାରୁ ପୁଲିସ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛି। ତେବେ ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଯାହା ଠଉରାଇଛି ସେଥିରେ ମହିଳା ଜଣକ ଖୋର୍ଦ୍ଧା ରୋଡ୍‌ ଷ୍ଟେସନରୁ ଉଠିଥିବା ଏବଂ ତାଙ୍କ ସାଥୀରେ କିଛି ଚିହ୍ନାପରିଚିତ ପୁରୁଷ ଟ୍ରେନ୍‌ରେ ଚଢ଼ିଛନ୍ତି। ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନଥିବାରୁ ଖୋର୍ଦ୍ଧା, ବେରବୋଇ ନା ପୁରୀରେ ମହିଳାଙ୍କୁ ହତ୍ୟା କରାଯାଇଛି ତାକୁ ନେଇ ପୁଲିସ ସନ୍ଦିହାନରେ ପଡ଼ିଛି।

କ୍ଲୋଜ୍‌ ସର୍କିଟ୍‌ କ୍ୟାମେରାରୁ ମିଳୁନି ତଥ୍ୟ

ରାଜ୍ୟର କେବଳ ପୁରୀ, ଭୁବନେଶ୍ୱର ଏବଂ କଟକ ରେଳ ଷ୍ଟେସନରେ କ୍ଲୋଜ ସର୍କିଟ୍‌ କ୍ୟାମେରା ରହିଛି। ତେବେ ପୁରୀରେ ଉକ୍ତ ଟ୍ରେନ୍‌ଟି ପହଞ୍ଚିବା ପରେ ଏହି ବଗିରୁ କେହି ବାହାରିବାର କ୍ଲୋଜ ସର୍କିଟ୍‌ କ୍ୟାମେରା ଭିଡ଼ିଓ ଫୁଟେଜ୍‌ରେ ଦୃଶ୍ୟମାନ ହେଉନାହିଁ। ବଗିଟି ଯେଉଁ ତିନୋଟି ସ୍ଥାନରେ ରହିଥିଲା କେବଳ ପୁରୀ ଷ୍ଟେସନକୁ ଛାଡ଼ିଦେଲେ ଅନ୍ୟ ଦୁଇଟି ଷ୍ଟେସନରେ କ୍ଲୋଜ୍‌ ସର୍କିଟ୍‌ କ୍ୟାମେରା ଖଞ୍ଜା ଯାଇନାହିଁ। ତେବେ ସବୁଠାରୁ ଅଧିକ ସମୟ ରହିଥିବା ଖୋର୍ଦ୍ଧା ରୋଡ୍‌ ଷ୍ଟେସନରେ କ୍ଲୋଜ୍‌ ସର୍କିଟ୍‌ କ୍ୟାମେରା ନଥିବାରୁ ସେଠାରୁ ପୁଲିସକୁ କିଛି ତଥ୍ୟ ମିଳିନାହିଁ। ସେହିପରି ଏହି ବଗିଟି ମାଳତୀପାଟପୁର ଷ୍ଟେସନରେ ଅଧଘଣ୍ଟା ପାଇଁ ଅଟକିଥିବା ବେଳେ ଏଠାରେ ମଧ୍ୟ କ୍ଲୋଜସର୍କିଟ୍‌ କ୍ୟାମେରା ନାହିଁ। ତେଣୁ ତଦନ୍ତ ଆଗେଇବା ଭଳି ପୁଲିସ ହାତରେ ସେଭଳି କିଛି ଠୋସ୍‌ ପ୍ରମାଣ ଏ ଯାଏ ମିଳିପାରିନାହିଁ।

ସମ୍ବନ୍ଧିତ ଖବର