ରେଳଧାରଣାରୁ ମିଳିଲା ଯୁବତୀଙ୍କ ମୃତଦେହ, ପ୍ରେମଜନିତ କାରଣରୁ ଆତ୍ମହତ୍ୟା ସନ୍ଦେହ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଦାଣ୍ଡିମାଳ ପି ଏଚ୍ ରେଳ ଷ୍ଟେସନ ନିକଟସ୍ଥ ରେଳଧାରଣାରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ କିଛି ଲୋକ ଏହି ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଦାଣ୍ଡିମାଳ ରେଳ ଷ୍ଟେସନ ନିକଟରେ ଝାରଗାଡ଼ିଆ ଫାଣ୍ଡି ଅଧିକାରୀ ମାଧବ ଚନ୍ଦ୍ର ନାୟକ ପହଞ୍ଚିଥିଲେ। ସେଠାରୁ ସେ ଯୁବତୀଙ୍କ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ।
ମୃତ ଯୁବତୀଙ୍କ ପରିଚୟ ମିଳିଛି। ସେ ହେଲେ ଢେଙ୍କାନାଳ ଜିଲ୍ଲାର ବଳରାମପୁର ଗ୍ରାମର ହରି ପରିଡ଼ାଙ୍କ ଝିଅ ସୁନୀତା ପରିଡ଼ା। ତାଙ୍କର ବୟସ ୨୦ ବର୍ଷ ବୋଲି ଜଣାଯାଇଛି। ସୁନୀତା କୌଣସି କାରଣରୁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି ବୋଲି ଝାରଗାଡ଼ିଆ ଫାଣ୍ଡି ଅଧିକାରୀ ମାଧବ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ଆତ୍ମହତ୍ୟାର ଅସଲ କାରଣ ଜଣାପଡ଼ି ନ ଥିଲେ ବି ଏହା ପ୍ରେମଜନିତ ବୋଲି ଚର୍ଚ୍ଚା ହେଉଛି। ତେବେ ଏସଂପର୍କରେ ସୁନୀତାଙ୍କ ପରିବାର ମୁହଁ ଖୋଲୁନାହାନ୍ତି।

ସମ୍ବନ୍ଧିତ ଖବର