୫ ଦିନ ହେଲା ପୁରୀ ବେଳାଭୂମିରେ ସଢ଼ୁଛିି ଶବ

ପୁରୀ : ପୁରୀ ବେଳାଭୂମିରେ ଜଣେ ବ୍ୟକ୍ତିଙ୍କ ଉଲଗ୍ନ ଶବ ଗଡ଼ୁଛି। ଦିନେ, ଅଧେ ନୁହେଁ; ଗଲା ୫ ଦିନ ଧରି ପଡ଼ିପଡ଼ି ଶବଟି ପଚିସଢି ଗଲାଣି। ଦୁର୍ଗନ୍ଧରେ ପାଖ ମାଡ଼ି ହେଉନି। ଏ ସଂକ୍ରାନ୍ତରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆଖପାଖର ଲୋକେ ସେଠାରେ ପହଂଚି ଶବଟି ସେମାନଙ୍କର କେହି ଚିହ୍ନାଜଣା କି ନୁହେଁ ତାକୁ ନେଇ ପରଖୁଛନ୍ତି। ଶବଟି କାହାର? ହେଲେ ପୁଲିସ ନିଦ ଭାଂଗୁନି। କେବଳ ସେତିକି ନୁହେଁ, ବେଳାଭୂମିରେ ଶବ ପଡ଼ିଥିବା ଜାଣିବା ପରେ ଜଣେ ବ୍ୟକ୍ତି ସଦର ଥାନାକୁ ଯାଇ ପୁଲିସକୁ ଏହି ସୂଚନା ଦେଇଥିଲେ। ହେଲେ ପୁଲିସ ବାବୁ ତତ୍ପରତା ଦେଖେଇବେ କ’ଣ ଓଲଟା ଉକ୍ତ ବ୍ୟକ୍ତିଙ୍କୁ ‘ତମର କଣ ଯାଉଛି ହୋ..’ କହିବାରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଫେରି ଆସିଥିଲେ।

ଆଜି ସଂଧ୍ୟାରେ ଏହି ପ୍ରତିନିଧି ଏଥିନେଇ ସଦର ଏସ୍‌ଡ଼ିପିଓଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ କିଛି ନଜାଣିଲା ଭଳି ‘କେବେଠୁ ପଡ଼ିଛି, କୋଉଠି ପଡ଼ିଛି, ହଉ କାଲି ସକାଳୁ ସେଠାକୁ ପୁଲିସ ପଠାଯିବ’ ବୋଲି କହି କଥାକୁ ହାଲୁକା କରିବାକୁ ଉଦ୍ୟମ କରିଥିଲେ। ତେବେ ପାଂଚଦିନ ହେଲା ଶବଟି ନଉଠିବା ପଛରେ ରହିଥିବା ପୁଲିସ ଅବହେଳା ସଂପର୍କରେ କିଛି କହି ନଥିଲେ। ଏ ପରିସ୍ଥିତିରେ ସମାଜରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଅବସ୍ଥାପିତ ପୁଲିସର ବେପରଓ୍ଵା ମନୋଭାବ କେବଳ ସହରର ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି।

ସମ୍ବନ୍ଧିତ ଖବର