ରରୁଆଁ : ଝାଡ଼ଖଣ୍ଡ ପୁଲିସ୍‌ ଆସୁନି, ଓଡ଼ିଶା ପୁଲିସ୍‌ ଜଗିବସିଛି! ଫଳରେ, କୂଅରେ ପଡ଼ିଥିବା ଏକ ଅଜଣା ମୃତଦେହକୁ କଢ଼ାହୋଇପାରୁନାହିଁ। ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନାଠାରୁ ମାତ୍ର ୬ କିମି ଦୂର ରରୁଆଁ-ଯଶିପୁର ରାସ୍ତାରେ ଏହି ଘଟଣା ଏବେ ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।

Advertisment

ସୂଚନାଯୋଗ୍ୟ; ରରୁଆଁ-ଯଶିପୁର ରାସ୍ତାର ଜାମନାଳିଆ ପୋଲ ନିକଟସ୍ଥ ଏକ କୂଅ ପାଖରୁ ପଚାଗନ୍ଧ ଆସିବାରୁ ଲୋକେ ପାଖକୁ ଯାଇ ଦେଖିବା ବେଳକୁ ଭିତରେ କୌଣସି ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏ ନେଇ ସଙ୍ଗେ ସଙ୍ଗେ ନିକଟସ୍ଥ ରରୁଆଁ ଓ ଯଶିପୁର ଥାନାକୁ ଖବର ଦିଆଯାଇଥିଲା। ରରୁଆଁ ଥାନା ଆଇଆଇସି ଦିବ୍ୟକାନ୍ତି ଲାକ୍ରା ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ଏହି ଅଞ୍ଚଳ ଆମ ସୀମାରେ ଯାଉନି କହି ଯଶିପୁର ଥାନାକୁ ଜଣାଇଥିଲେ। ଯଶିପୁର ପୁଲିସ ବି ସମାନ କଥା କହି ଆସିନଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଝାଡ଼ଖଣ୍ଡ ରାଜ୍ୟର କିଛି ସୀମା ଓଡ଼ିଶା ଭିତରକୁ ପଶିଆସିଛି ଓ ଏହି କୂଅଟି ଝାଡ଼ଖଣ୍ଡ ସୀମାରେ ଯାଉଛି। ଏହା ଜାଣିବା ପରେ ଝାଡ଼ଖଣ୍ଡର ମଝିଗାଁ ଥାନାକୁ ଖବର ଦେଇଥିଲା ରରୁଆଁ ପୁଲିସ। ତେବେ ଥାନା ଅଧିକାରୀ ଚାଇଁବସା ଯାଇଛନ୍ତି, ସେଠାରୁ ଫେରିବା ପରେ ଘଟଣାସ୍ଥାଳକୁ ଯିବେ ବୋଲି କହି ଦାୟିତ୍ବ ସାରି ଦେଇଛି ଝାଡ଼ଖଣ୍ଡ ପୁଲିସ। ଦିନଯାକ ଏମିତି ସୀମା ଚିହ୍ନଟ ଡ୍ରାମା ଭିତରେ ଉଦ୍ଧାର ହୋଇପାରିନି ମୃତଦେହ।

ଏପଟେ ମଝିଗାଁ ଥାନା ଅଧୀନ ପାଣ୍ଡୁଆବୁରୁ ଗ୍ରାମର ଜଣେ ବ୍ୟକ୍ତି କିଛିଦିନ ହେଲା ନିଖୋଜ ଥିବାର ଥାନାରେ ଅଭିଯୋଗ ହୋଇଥିଲା। ତେଣୁ କୂଅରେ ମୃତଦେହ ପଡ଼ିଥିବା ଖବର ପାଇ ଉକ୍ତ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକେ ଆସି ରାତିଯାଏ କୂଅ ପାଖରେ ଜଗିବସିଛନ୍ତି। ରାତିସୁଦ୍ଧା ମୃତଦେହ ଉଦ୍ଧାର ହୋଇ ନଥିବା ବେଳେ ରରୁଆଁ ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛି।