ମାଛ ଧରିବା ପାଇଁ ଯାଇଥିବାବେଳେ ଡଙ୍ଗା ବୁଡ଼ି ଘଟଣା: ନିଖୋଜ ଧୀବରର ମୃତ ଦେହ ଉଦ୍ଧାର

ଦେବଗଡ଼: ଗୁରୁବାର ଦିନ ସନ୍ଧ୍ୟାରେ ମାଛ ଧରିବାକୁ ଯାଇଥିବା ବେଳେ ଡଙ୍ଗା ବୁଡ଼ିଯିବା ପରେ ୫ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଧୀବର ନିଖୋଜ ହୋଇ ଯାଇଥିଲେ । ତେବେ ଆଜି ସକାଳେ ନିଖୋଜ ହେମନ୍ତ ପେଣ୍ଠେଇଙ୍କ ମୃତ ଦେହ ରେଙ୍ଗାଳୀ ଜଳଭଣ୍ଡାରରୁ ଉଦ୍ଧାର କରାଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ବାରକୋଟ ବ୍ଲକର ବାଲିରଇ ଗ୍ରାମର ମଙ୍ଗଲୁ ପେଣ୍ଠେଇ, ରଜନୀ ପେଣ୍ଠେଇ, ଦୁଃଖୁନୁ ପେଣ୍ଠେଇ, ଦଣ୍ଡ ପେଣ୍ଠେଇ, ଭାଗ୍ୟ ପେଣ୍ଠେଇ ଓ ହେମନ୍ତ ପେଣ୍ଠେଇ ମାଛ ଧରିବା ପାଇଁ ରେଙ୍ଗାଳୀ ଜଳଭଣ୍ଡାରକୁ ଯାଇଥିଲୋ ତେବେ ଗୁରୁବାର ସଂଧ୍ୟା ସମୟରେ କାଳବୈଶାଖୀ ଯୋଗୁ ବର୍ଷା ଓ ପବନ ହେବା ଯୋଗୁ ଜଳଭଣ୍ଡାର ମଧ୍ୟରେ ଡଙ୍ଗା ବୁଡ଼ିଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ବାରକୋଟ ଅଗ୍ନିଶମ ବିଭାଗ ଓ ଗ୍ରାମବାସୀମାନେ ପହଞ୍ଚି ଜଳଭଣ୍ଡାର ମଧ୍ୟରୁ ମଙ୍ଗଲୁ ପେଣ୍ଠେଇ, ଦଣ୍ଡ ପେଣ୍ଠେଇ, ରଜନୀ ପେଣ୍ଠେଇ, ଦୁଃଖୁନୁ ପେଣ୍ଠେଇ, ଭାଗ୍ୟ ପେଣ୍ଠେଇଙ୍କୁ ଉଦ୍ଧାର କରିଥିଲେ । ତେବେ ହେମନ୍ତ ପେଣ୍ଠେଇ ନିଖୋଜ ହୋଇଯାଇଥଲେ।

ରାତି ହୋଇଥିବା ଯୋଗୁଁ ଜଳଭଣ୍ଡାର ଭିତରେ ସର୍ଚ୍ଚ ଅପରେସନରେ ବାଧାପ୍ରାପ୍ତ ହୋଇଥିଲା । ଆଜି ସକାଳେ ଅଗ୍ନିଶମ ବିଭାଗ ପକ୍ଷରୁ ପୁଣି ଥରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଜଳଭଣ୍ଡାରରୁ ନିଖୋଜ ଥିବା ହେମନ୍ତର ମୃତ ଦେହ ଉଦ୍ଧାର କରାଯାଇଥିଲା।ଘଟଣାସ୍ଥଳରେ ବାରକୋଟ ଥାନା ପୁଲିସ୍ ପହଞ୍ଚି ମୃତ ହେମନ୍ତ ପେଣ୍ଠେଇଙ୍କ ଶବ ଜବତ କରିଥିଲା। ଏହାପରେ ପୁଲିସ୍ ହେମନ୍ତ ପେଣ୍ଠେଇଙ୍କ ଶବର ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଥିଲା।

ସମ୍ବନ୍ଧିତ ଖବର