ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ରାଜପୁର ପଞ୍ଚାୟତର ବଘରାଚକା ଗ୍ରାମର ବାସନ୍ତୀ ସିଂହ(୭୦)ଙ୍କ ଗଳିତ ଶବ ଆଜି ରାଜପୁର କଟାପାଲି ଗ୍ରାମର ଏକ ଧାନ ବିଲରୁ ଉଦ୍ଧାର ହୋଇଛି। ମୃତ ବୃଦ୍ଧାଙ୍କ ଗଳିତ ଶବର ଅଙ୍ଗ ପ୍ରତ୍ୟଙ୍ଗ କୌଣସି ଜନ୍ତୁ ଖାଇ ଦେଇଥିବାରୁ ଏଣେ ତେଣେ ପଡ଼ିଥିବା ଦେଖିବାକୁ ମିଳିଛି। ଧାନ କଟା ସାରିଥିବାରୁ କ୍ଷେତକୁ କେହି ଯାଉ ନଥିବାରୁ ଘଟଣାଟି ଜଣାପଡ଼ିନଥିଲା।
ଖବର ପାଇବା ପରେ ବ୍ରଜରାଜନଗର ଆଇଆଇସି ନଳିତା ମୋଦୀ, ଗାନ୍ଧି ଛକ ଫାଣ୍ଡି ଅଧିକାରୀ ଶଶିଭୂଷଣ ପୋଢ଼, ଏଏସଆଇ ଦୁବରାଜ କାଲୋ, କ୍ଷୀରୋଦ ବିହାରୀ ବାଗ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିବା ସହିତ ପାରିପାର୍ଶ୍ବିକ ସ୍ଥିତିର ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛି।ତଦନ୍ତରେ ସହାୟତା ପାଇଁ ଝାରସୁଗୁଡ଼ାରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧନ କରି ଫେରିଯାଇଛନ୍ତି। ଏନେଇ ଆଇ ଆଇ ସି ନଳିତା ମୋଦୀଙ୍କୁ ପଚାରିବାରୁ ସାଇଣ୍ଟିଫିକ ଟିମର ତଦନ୍ତ ପାଇଁ ସହଯୋଗ ନିଆଯାଇଥିବା କହିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ନେବା ସମ୍ଭାବ ହେଉନଥିବାରୁ ଘଟଣାସ୍ଥଳକୁ ଡାକ୍ତର ଆସିଥିଲେ।
ସୂଚନାଯୋଗ୍ୟ, ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ ବଘରାଚକା ଗ୍ରାମର ବାସନ୍ତୀ ସିଂହ ( ୭୦ ) ଗତ ୨୦ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କଲେ ସୁଦ୍ଧା ତାଙ୍କ କୌଣସି ପତା ନ ମିଳିବାରୁ ଶେଷରେ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ ବାସନ୍ତୀ ଗତ ୨୦ ତାରିଖ ସଂନ୍ଧ୍ୟାରେ ଟର୍ଚ୍ଚ ଧରି ଘରୁ ବାହାରକୁ ପରିଶ୍ରା ପାଇଁ ବାହାରିବା ପରେ ଆଉ ଘରକୁ ଫେରିନଥିଲେ । ଅନେକ ସମୟ ବିତିବା ପରେ ପରିବାର ଓ ସାହି ପଡ଼ିଶା ଲୋକେ ତାଙ୍କୁ ଚାରିଆଡ଼େ ଖୋଜାଖୋଜି କରିଥିଲେ ମାତ୍ର ପାଇନଥିଲେ । ନିରାଶ ହେବା ପରେ ପରିବାର ଲୋକେ ଗାନ୍ଧିଛକ ଫାଣ୍ଡିରେ ଏ ନେଇ ଏତଲା ଦେଇଥିଲେ। ପୁଲିସ ମଧ୍ୟ ନିଖୋଜ ମହିଳାଙ୍କ ଅନୁସନ୍ଧାନ ସହିତ ତଦନ୍ତ ଜାରି ରଖିଥିବା ବେଳେ ଆଜି ନିଖୋଜ ବୃଦ୍ଧାଙ୍କ ଗଳିତ ଶବ ଏକ ବିଲରେ ପଡ଼ି ରହିଥିବା ସୂଚନା ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/old-1.jpg)