କଲ୍ୟାଣସିଂହପୁର: ରାୟଗଡା କଲ୍ୟାଣସିଂହପୁର ବନ ବିଭାଗର ଡେପୁଟି ରେଞ୍ଜରଙ୍କ ମୃତଦେହ ଠାବ ହୋଇଛି | ସରକାରୀ ବାସଭବନରେ ଡେପୁଟି ରେଞ୍ଜର ବ୍ରଜମୋହନ ଭୋଇଙ୍କ ସନ୍ଦେହଜନକ ଭାବେ ମୃତଦେହ ଠାବ ହୋଇଛି । କଲ୍ୟାଣସିଂହପୁର ଥାନା ସଦର ମହକୁମା ସ୍ଥିତ ସରକାରୀ ବାସଭବନରୁ ମୃତଦେହ ଉଦ୍ଧାର ହୋଇଥିବାବେଳେ ସ୍ଥାନୀୟ ତହସିଲଦାରଙ୍କ ସହ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି | ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Advertisment

ମିଳିଥିବା ସୂଚନା ମୁତାବକ ବ୍ରଜମୋହନ ଭୋଇ କଲ୍ୟାଣସିଂହପୁର ରେଞ୍ଜର ଡେପୁଟି ରେଞ୍ଜର ଭାବରେ କାର୍ଯ୍ୟରତ ଥିଲେ। ସବୁଦିନ ଭଳି ଆଜି ମଧ୍ୟ କର୍ମଚାରୀମାନେ ଆସିଥିଲେ। ତାଙ୍କ କୋଠରୀକୁ ଯାଇ କବାଟ ବାଡେଇବା ସହ ଡାକିଥିଲେ ବି ସେ କବାଟ ଖୋଲିନଥିଲେ ।

ଶେଷରେ ଝରକା ପଟେ କିଛି କର୍ମଚାରୀ ଦେଖିବା ପରେ ସେ ଉଲଗ୍ନ ଅବସ୍ଥାରେ ପଡ଼ି ରହିଥିବା ଦେଖିଥିଲେ ଓ ସ୍ଥାନୀୟ ରେଞ୍ଜରଙ୍କୁ ସୂଚନା ଦେଇଥିଲେ। ଏହାପରେ ରେଞ୍ଜର ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପୁଲିସ ଓ ମାଜିଷ୍ଟ୍ରେଟ ଭାବେ ସୁଧାକର ରହିତ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।