୫ ଦିନ ପରେ ମିଳିଲା ନିଖୋଜ ୩ ବର୍ଷୀୟା ସ୍ବାତୀର ମୃତଦେହ

ନୟାଗଡ଼: ଗତ ଶୁକ୍ରବାର ଠାରୁ ନିଖୋଜ ଥିବା ୩ ବର୍ଷୀୟା ଝିଅ ସ୍ବାତୀର ମୃତଦେହ ବଧିପାଟଣା ଗାଁ ପୋଖରୀରୁ ମିଳିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ରଣପୁର ବ୍ଲକ୍ ବଧିପାଟଣା ଗାଁ’ର ସଞ୍ଜୟ କୁମାର ସାହୁଙ୍କ ଝିଅ ହରପ୍ରିୟା ସାହୁ (ସ୍ବାତୀ, ୩ ବର୍ଷ) ଗତ ଶୁକ୍ରବାର ଦିନ ବାରିପଟେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା। କିଛି ସମୟ ପରେ ସ୍ବାତୀର ମା’ ବାରିପଟେ ଯାଇ ଖୋଜାଖୋଜି କରିଥିଲେ ହେଁ ଝିଅର କୌଣସି ପତ୍ତା ମିଳି ନ ଥିଲା। ଏ ନେଇ ପରିବାର ଲୋକେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରଣପୁର ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ତା ପୁଲିସ ଟିମ୍ ସହ ଗାଁ’ରେ ପହଞ୍ଚି ଖୋଜାଖୋଜି କରିଥିଲେ। ମାତ୍ର ସ୍ବାତୀକୁ ପାଇ ନ ଥିଲେ।

ଶନିବାର ପୂର୍ବାହ୍ଣ ସାଢ଼େ ୮ଟାରେ ଓଡ୍ରାଫ୍ ଟିମ୍ ପହଞ୍ଚି ଗାଁ’ରେ ଥିବା ସମସ୍ତ କୂଅ ଓ ୩ଟି ପୋଖରୀ ତନ୍ନତନ୍ନ କରି ଖୋଜିଥିଲେ ହେଁ ସ୍ବାତୀର କୌଣସି ପତ୍ତା ନ ମିଳିବାରୁ ନିରାଶ ହୋଇ ଫେରିଥିଲେ। ତେବେ ପୋଲିସ୍ ସେଠାରେ ଡେରା ପକାଇ ଘରଘର ବୁଲି ଖୋଜିବା ସାଙ୍ଗକୁ ଆଖପାଖ ଗାଁ’ ଓ ଜଙ୍ଗଲ ଅଞ୍ଚଳରେ ମଧ୍ୟ ଛାନଭିନ୍ କରିଥିଲେ।
ସଞ୍ଜୟ ଜଣେ ଦିନମଜୁରିଆ ତଥା ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ସ୍ବାତୀଙ୍କୁ କାହିଁକି ଓ କିଏ ଅପହରଣ କଲା ନା ସ୍ବାତୀ କୁଆଡ଼େ ଚାଲିଗଲା, ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସଞ୍ଜୟଙ୍କର ଗୋଟିଏ ପୁଅ ଓ ୨ଟି ଜାଆଁଳା ଝିଅରୁ ସ୍ବାତୀ ନିଖୋଜ ହୋଇଥିଲେ।

ସମ୍ବନ୍ଧିତ ଖବର