ରାଉରକେଲା : ଗତକାଲି ବିଳମ୍ବିତ ରାତିରେ ରାଉରକେଲା ଇସ୍ପାତ କାରଖାନା (ଆରଏସପି )ର କୋଲ୍ଡ ରୋଲିଙ୍ଗ ମିଲ (ସିଆରଏମ ) ବିଭାଗରେ ଦୁର୍ଘଟଣା ଘଟିଛି l ଘଟଣାସ୍ଥଳରୁ ଠିକା ସଂସ୍ଥା ମାଲିକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି l ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ମୃତକ ଜଣକ ହେଲେ ଅନିନେଶ ଇଂଜିନିୟିରିଂର ମାଲିକ ଅଜୟ କୁମାର ନାରାୟଣ (୫୯) l ତାଙ୍କ ନିଜ ଘର କେରଳରେ l ସେ ପରିବାର ସହ ରାଉରକେଲା କୋଲନଗରରେ ରହୁଥିଲେ l
ମିଳିଥିବା ସୂଚନା ମୁତାବକ, ଅଜୟ ପ୍ରତିଦିନ ପରି ଗତକାଲି ସି ସିଫ୍ଟରେ ସିଆରଏମରେ ଚାଲିଥିବା କାମ ଦେଖିବାକୁ ଯାଇଥିଲେ l ରାତି ପ୍ରାୟ ୧୨.୩୦ରେ ସିଆରଏମରେ ତାଙ୍କ ରକ୍ତ ଜୁଡୁବୁଡୁ ଶବ ପଡି ଥିବା ଦେଖି କର୍ମଚାରୀମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ l ଅଜୟଙ୍କ ଶବକୁ ଆଇଜିଏଚ ଶବଗୃହରେ ରଖା ଯାଇଛି l କେଉଁ ପରିସ୍ଥିତିରେ ଏମିତି ଅଭାବନୀୟ ଘଟଣା ଘଟିଲା, ସେ ନେଇ ଆରଏସପି ସୁରକ୍ଷା ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି l ସେପଟେ ଠିକା ସଂସ୍ଥା ମାଲିକଙ୍କ ମୃତ୍ୟୁକୁ ନେଇ ଶ୍ରମିକ ସଙ୍ଗଠନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଘଟଣାର ସତ୍ୟା ସତ୍ୟ ଉନ୍ମୋଚନ କରିବାକୁ ଦାବି କରିଛନ୍ତି ଶ୍ରମିକ ସଙ୍ଗଠନ।