ପୋଖରୀରୁ ଉଦ୍ଧାର ହେଲା ମୃତଦେହ, ହତ୍ୟା ସନ୍ଦେହ

ଯାଜପୁର: ଯାଜପୁର ବ୍ଲକ ବିଚିତ୍ରପୁର ପଞ୍ଚାୟତ ସପ୍ତାଘର ସମ୍ମୁଖ ପୋଖରୀରୁ ଏକ ମୃତଦେହ ଉଦ୍ଧାର ହୋଇଛି। ଆଜି ଅପରାହ୍ନରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଯାଜପୁର ଥାନା ଭାରପ୍ରାପ୍ତ ଥାନାଧିକାରୀ ମାନସ ରଞ୍ଜନ ଚକ୍ର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହାୟତାରେ ମୃତଦେହକୁ ଉଦ୍ଧାର କରି ଉପରକୁ ଆଣିଥିଲେ । ମୃତ ବ୍ୟକ୍ତିର ବୟସ ୪୫ରୁ ୫୦ ମଧ୍ୟରେ ହୋଇଥିବା ବେଳେ ତା’ର ମୁହଁ, ମୁଣ୍ଡ ଓ ମୁଣ୍ଡର ପଛପଟରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି ।

ପ୍ରୀତିପୁର ଅଞ୍ଚଳର କମଳା ଆଚାର୍ଯ୍ୟଙ୍କ ବଡ଼ ପୁଅ ରୁଦ୍ର ପ୍ରତାପ ଆଚାର୍ଯ୍ୟ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କେହି ଦୁର୍ବୃତ୍ତ ଯୁବକଙ୍କୁ ମାରି ପୋଖରୀରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ହତ୍ୟା ଘଟଣାରେ ସାଇଣ୍ଟିଫିକ୍ ଟିମର ସହାୟତା ନିଆଯିବ ବୋଲିି ପୁଲିସ ସୂଚନା ଦେଇଛି । ଘଟଣାସ୍ଥଳରେ ଭାରପ୍ରାପ୍ତ ଥାନାଧିକାରୀ ଶ୍ରୀ ଚକ୍ରଙ୍କ ସମେତ ଏସଆଇ ଦିଲ୍ଲୀପ କୁମାର କାଣ୍ଡି, ପ୍ଲାଟୁନ କମାଣ୍ଡର ଉମାକାନ୍ତ ରାଉତ, ହୋମଗାର୍ଡ଼ ସୋମନାଥ ନାୟକ ପ୍ରମୁଖ ଉପସ୍ଥିତ ରହିଛନ୍ତି । ପୁଲିସ ପକ୍ଷରୁ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି । ମୃତକଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚିବା ପରେ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି ଭାରପ୍ରାପ୍ତ ଥାନାଧିକାରୀ ଶ୍ରୀ ଚକ୍ର ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର