ମହେନ୍ଦ୍ରତନୟା ନଦୀ ବାଲି ପଠାରେ ଅଧା ପୋତା ଗଳିତ ଶବ ଉଦ୍ଧାର, ପୁଲିସର ତଦନ୍ତ ଜାରି

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଗୁରାଣ୍ଡି ଥାନା ଅଞ୍ଚଳର ମାଧବପୁର ଗ୍ରାମ ନିକଟରେ ଥିବା ବୁରୁଜାଙ୍ଗ ନିକଟ ମହେନ୍ଦ୍ରତନୟା ବାଲି ପଠାରେ ପଡ଼ିଛି ଶବ । ଅଧା ପୋତି ହୋଇ ରହିଛି ଗଳିତ ଶବ । ଶବ କାହାର, କିଭଳି ଭାବରେ ସେଠାକୁ ଆସିଲା ତାହା ଅସ୍ପଷ୍ଟ ରହିଥିବା ବେଳେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ଏ ନେଇ ସ୍ପଷ୍ଟ ହୋଇ ନାହିଁ । ତେବେ ପୁଲିସ ତଦନ୍ତ କଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏଠାରେ ସୁଚନାଯୋଗ୍ୟ ଯେ,ନଦୀ କୂଳରୁ ପ୍ରତିଦିନ ଶହ ଶହ ଟ୍ରକ୍ ବାଲି ଏଠାରୁ ଚାଲାଣ ହୋଇ ଆସୁଛି । ତେବେ ଏକ ଅଜଣା ଟ୍ରାକ୍ଟର ମଧ୍ୟ ଅଟକି ରହିଥିବା କୁହାଯାଉଛି । ଏ ନେଇ ପୁଲିସ ତଦନ୍ତ କରି ମୃତ୍ୟୁର ରହସ୍ୟ ଖୋଲିବା ପାଇଁ ଦାବି ହୋଇଛି । ଗୁରାଣ୍ଡି ପୁଲିସ ଏ ନେଇ ଆଜି ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଗୁରାଣ୍ଡି ଥାନା ଅଧିକାରୀଣୀ ମମତା ପଣ୍ଡା କହିଛନ୍ତି, ଗଳିତ ଶବଟି ଅଧା ପୋତି ହୋଇ ରହିଛି । ଶବର କେବଳ ଖପୁରୀ ଭାଗ ଦେଖାଯାଉଛି । ସାଇଣ୍ଟିଫିକ୍ ଟିମ୍ କୁ ଖବର ଦିଆଯାଇଛି । ସେମାନେ ଘଟଣା ସ୍ଥଳରେ ପହଞ୍ଚିଲା ପରେ ଶବକୁ ଉଦ୍ଧାର କରି ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ତଦନ୍ତ କରାଯିବା ପରେ ପ୍ରକୃତ ତଥ୍ୟ ଜଣା ପଡିବ । ଏ ନେଇ ଗୁରାଣ୍ଡି ଥାନାରେ କେସ ନଂ ୯/୨୦ରେ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଏହି ଘଟଣା ନେଇ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର

Comments are closed.