କଟକ : ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍ଟିଏ) ପକ୍ଷରୁ ଏପ୍ରିଲ୍ ପହିଲାରୁ ଆରମ୍ଭ ହୋଇଥିବା ମୃତ୍ୟୁଶୂନ୍ୟ ସପ୍ତାହ ଅବସରରେ ରାଜ୍ୟର ବିଭିନ୍ନ ଆର୍ଟିଓ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ଉ ଆରମ୍ଭ ହୋଇଛି। ତେବେ ମୃତ୍ୟୁଶୂନ୍ୟ ସପ୍ତାହର ପ୍ରଥମ ଦିନରେ ୪ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରଥମ ଦିନରେ ଢେଙ୍କାନାଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବ୍ରହ୍ମପୁରରେ ଜଣେ, ଭୁବନେଶ୍ବର-୧ରେ ଜଣେ ଓ ଚଣ୍ଡିଖୋଲରେ ଜଣଙ୍କର ମୃତ୍ୟୁ ହୋଇଛି। ସମଗ୍ର ରାଜ୍ୟରେ ଚଢ଼ଉ ଜାରି ରହିଛି।
ସୂଚନା ମୁତାବକ, ରାଜ୍ୟରେ ପ୍ରଥମ ଦିନରେ ମୋଟ ୪୦୪୯ଟି ଚାଲାଣ କଟାଯାଇଛି। ସେଥିରୁ ୫୯୭ଟି ଡିଏଲ୍(ଡ୍ରାଇଭିଂ ଲାଇସେନସ୍) ବାତିଲ ପାଇଁ ସୁପାରିସ୍ କରାଯାଇଛି। ରାଜ୍ୟରେ ଦ୍ରୁତଗତିରେ ଗାଡ଼ି ଚାଳନା ପାଇଁ ୮୫୧ଟି ଚାଲାଣ କଟାଯାଇଥିବା ବେଳେ ବିନା ହେଲମେଟ୍ ଗାଡ଼ିଚାଳନା ପାଇଁ ୨୦୯୬, ବିନା ସିଟ୍ବେଲ୍ଟରେ ୩୨୧, ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍ ବ୍ୟବହାର ପାଇଁ ୧୧୩, ମଦ୍ୟପାନ କରି ଗାଡ଼ି ଚାଳନା ପାଇଁ ୧୨୯, ମାଲବୁହା ଗାଡ଼ିରେ ଯାତ୍ରୀ ପରିବହନ ପାଇଁ ୨୩, ଓଭର୍ଲୋଡ୍ ପାଇଁ ୧୩, ୩ଜଣିଆ ବାଇକ୍ ଚାଳନା ପାଇଁ ୧୧୧, ଭୁଲ ମାର୍ଗରେ ଗାଡି ଚାଳନା ପାଇଁ ୧୬, ଜୁଭେନାଇଲ୍ ଗାଡ଼ି ଚାଳନା ପାଇଁ ୪, ସ୍କୁଲ୍ ବସ୍ ନିୟମ ଉଲ୍ଲଂଘନ ପାଇଁ ୪୩ଟି ଚାଲାଣ କଟାଯାଇଛି।