କଣ୍ଟ ପୂରିଲା, ସରିଲାନି ଦ୍ୱିତୀୟ ବ୍ରାହ୍ମଣୀ ସେତୁ

ଡିସେମ୍ବର ଶେଷ ସୁଦ୍ଧା ସରିବ : ସୌରଭ ଚୌରାସିଆ, ବୟ ଅଟକଳ ପ୍ରାୟ ୩୮୨ କୋଟି

ରାଉରକେଲା : ବହୁ ପ୍ରତୀକ୍ଷିତ ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କାମର ଅବଧିକୁ କଣ୍ଟ ପୂରିଛି। ଜୁନ୍‌ ମାସରେ ଶେଷ ହେବା ତ ଦୂରର କଥା ଯେତିକି କାମ ଶେଷ ହେବା କଥା, ତାହା ମଧ୍ୟ ହୋଇ ନାହିଁ। ବିଭାଗୀୟ ଅଧିକାରୀ କହୁଛନ୍ତି ଆଉ ୬ ମାସ ଅର୍ଥାତ୍‌ ଡିସେମ୍ବର ସୁଦ୍ଧା ଉଭୟ ସେତୁ ଓ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଶେଷ ହେବ। ମାତ୍ର ନିର୍ମାଣ ଚାଲିଥିବା ସେତୁର ବାସ୍ତବ ଚିତ୍ର କିନ୍ତୁ ଓଲଟା। ବାକି ଥିବା କାମ ପୁରା କରିବାକୁ ଆହୁରି ୮ରୁ ୧୦ ମାସ ଲାଗିପାରେ। ବାଲୁଘାଟ ରୁପଟୋଲା ଓ ଦଣ୍ଡିଆପାଲି ପାର୍ଶ୍ବରୁ ୪୭୩ ମିଟର ୬ ଲେନ୍‌ ସେତୁ ପାଇଁ ୨୨ଟି ଖମ୍ବ (ପିଲାର) ନିର୍ମାଣ କାମ ଶେଷ ହୋଇସାରିଛି। ଗୋଟିଏ ଖମ୍ବର ଅନ୍ୟ ଖମ୍ବକୁ ଯୋଡିବାକୁ ପ୍ରଥମ ଗାର୍ଡର କାମ ଗତ ଏପ୍ରିଲ ୮ରେ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ୫୫ ରୁ ଅଧିକ ଗାର୍ଡର ଲଗାଇବା କାମ ଶେଷ ହୋଇଛି। ପ୍ରତ୍ୟେକ ଖମ୍ବର ମଧ୍ୟରେ ବ୍ୟବଧାନ ରହିଛି ୪୩ ମିଟର। ୬ ଲେନ୍‌ ସେତୁ ନିର୍ମାଣ ପାଇଁ ମୋଟ ୧୧୦ ଗାର୍ଡର ଆବଶ୍ୟକତା ରହିଛି। ଦୁଇଟି ସେତୁ ନିର୍ମାଣ ହୋଇଛି। ଗୋଟିଏ ସେତୁର ଗାର୍ଡ କାମ ସରିବା ପରେ ଏବେ କଂକ୍ରିଟ ସ୍ଲାବ କାମ ଜାରି ରହିଛି। ପରେ ଦ୍ବିତୀୟ ସେତୁର ଗାର୍ଡ ଓ କଂକ୍ରିଟ ସ୍ଲାବ ପଡିବା କାମ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

ସେପଟେ ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କାମ ଶେଷ ହେବାକୁ ବିଳମ୍ବ ‌ହେଉଥିବାର ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନ୍‌ଏଚ୍‌ଏଆଇର ପ୍ରକଳ୍ପ ନିର୍ଦ୍ଦେଶକ ସୌରଭ ସୌରାସିଆ କହିଛନ୍ତି, କରୋନା ପାଇଁ ନିର୍ମାଣ କାମ ବିଳମ୍ବ ହୋଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ଉଭୟ ସେତୁ ଓ ୧୪୩ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ସରିବ। ତେବେ ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କଥା ଅନୁଯାୟୀ ଡିସେମ୍ବର ସୁଦ୍ଧା କାମ ଶେଷ ‌ହେଉଛି କି ନାହିଁ ତା‘ ଉପରେ ସମସ୍ତଙ୍କ ନଜର ରହିଛି। ଦ୍ବିତୀୟ ବ୍ରାହ୍ମଣୀ ସେତୁ ସହ ୧୭୨ କି.ମି. ରାସ୍ତା ସମ୍ପ୍ରସାରଣ, ମରାମତିରେ ଖର୍ଚ୍ଚ ମୋଟ ୧୧୨୪ କୋଟି ହେବ। ବୀରମିତ୍ରପୁରରୁ ପାନପୋଷ ୨୯ କି.ମି. ସହ ଦ୍ବିତୀୟ ବ୍ରାହ୍ମଣୀ ପୋଲ ବାବଦରେ ପ୍ରାୟ ୩୮୨ କୋଟି ଟଙ୍କା, ପାନପୋଷ ଛକରୁ ରାଜାମୁଣ୍ଡା ୪୫ କି.ମି. ଏବଂ ରାଜାମୁଣ୍ଡାରୁ ବାରକୋଟ୍ ୫୦ କି.ମି. ରାସ୍ତା ବାବଦରେ ମୋଟ ୪୬୨ କୋଟି, ରାଜାମୁଣ୍ଡାରୁ କୋଇଡା ପ୍ରାୟ ୪୮ କି.ମି. ରାସ୍ତା ମରାମତିରେ ୩୦୦ କୋଟି ଏମିତି ମୋଟ ୧୧୨୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ବୀରମିତ୍ରପୁରରୁ ପାନପୋଷ ଏବଂ ପାନପୋଷରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ଗୋଟିଏ ସଂସ୍ଥାକୁ ସମ୍ପ୍ରସାରଣ ଓ ମରାମତି କାମ ଦିଆଯାଇଛି। ସେପଟେ ସୁନ୍ଦରଗଡ ଜିଲ୍ଲାବାସୀଙ୍କ ଜୀବନରେଖା କୁହାଯାଉଥିବା ୫୦ ଦଶକର ବ୍ରାହ୍ମଣୀ ସେତୁ ଶେଷ ନିଶ୍ବାସ ଗଣୁଛି। ବାରମ୍ବାର ମରାମତି ଯୋଗୁଁ ଅନେକ ସମୟରେ ଘଣ୍ଟା ଘଣ୍ଟା ଟ୍ରାଫିକ ଜାମ୍‌ ରହୁଛି।

ଉଲ୍ଲେଖଯୋଗ୍ୟ, ଗତ ୨୦୧୫ ଏପ୍ରିଲ ୧ରେ ସେକ୍ଟର-୧୩ ଏୟାରପୋର୍ଟ ପଡିଆରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଯୋଗଦେଇଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜିଲ୍ଲାବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଦ୍ବିତୀୟ ବ୍ରାହ୍ମଣୀ ପୋଲ ସହ ଜାତୀୟ ରାଜପଥ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଜିଲ୍ଳାବାସୀ କରତାଳି ଦେଇ ସ୍ବାଗତ କରିଥିଲେ। କିନ୍ତୁ ଘୋଷଣାକୁ କାର୍ଯ୍ୟକାରୀ ହେବାକୁ ଲାଗିଲା ଦୁଇ ବର୍ଷ। ଗତ ୨୦୧୭ ଜୁଲାଇ ୨୧ରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ବାଲୁଘାଟସ୍ଥିତ ପଡିଆରେ ଆୟୋଜିତ ଶିଳାନ୍ୟାସ ସଭାରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ। ୧୫ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ ଘୋଷଣା କରିଥିଲେ। ନିର୍ମାଣ କାମ ହାଇଦ୍ରାବାଦର ନିର୍ମାଣକାରୀ ସଂସ୍ଥା ଜିକେସିକୁ ଦିଆଯାଇଥିଲା। ବୀରମିତ୍ରପୁର ପଟୁ କାମ ଆରମ୍ଭ କରାଯିବ ବୋଲି କୁହାଯାଇଥିଲ। ବିଡମ୍ବନା, ୧୫ ଦିନ ମଧ୍ୟରେ ମାଟି ମୁଠାଏ ପଡି ନଥିଲା। ଗତ ୨୦୧୮ ଡିସେମ୍ବରରେ ବିଧିବଦ୍ଧ ଭାବେ ରାସ୍ତା ସମ୍ପ୍ରସାରଣ ଓ ମରାମତି କାମ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର