ବିଭିନ୍ନ ପ୍ରକଳ୍ପ ପାଇଁ ସମୟସୀମା ଧାର୍ଯ୍ୟ କରାଗଲା

ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ସାମାଜିକ ଓ ଆର୍ଥିକ ଗୁରୁତ୍ବ ବହନ କରୁଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଗୁରୁବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି। ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ମେଡିକାଲ କଲେଜ, ଜିଲ୍ଲା ଚିକିତ୍ସାଳୟର ନୂଆ ୱାର୍ଡ ଓ କୋଲ୍‌ ମାଇନ୍ ପ୍ରକଳ୍ପ। ପ୍ରକଳ୍ପ ୱାରି ସ୍ଥିତିର ସମୀକ୍ଷା କରି ପ୍ରତି ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟ କାର୍ଯ୍ୟ ସମ୍ପାଦନ ନିମନ୍ତେ ଶ୍ରୀ ମହାପାତ୍ର ସମୟସୀମା ନିର୍ଦ୍ଧାରଣ କରିଥିଲେ।

ବୈଠକରେ ବାଲେଶ୍ବରରେ ନିର୍ମାଣାଧୀନ ୬୫୦ ବେଡ୍‌ ସଂଖ୍ୟା ବିଶିଷ୍ଟ ହସ୍ପିଟାଲ୍‌ ଓ ମେଡିକାଲ କଲେଜ, ବାରିପଦାରେ ନିର୍ମାଣାଧୀନ ନୂଆ ମେଡିକାଲ କଲେଜ, ଯାଜପୁରରେ ୧୦୦ ସିଟ୍‌ ବିଶିଷ୍ଟ ମେଡିକାଲ କଲେଜ ଏବଂ ୫୦୦ ବେଡ୍‌ ବିଶିଷ୍ଟ ହସ୍ପିଟାଲ୍‌, କୋରାପୁଟରେ ୬୫୦ ବେଡ୍‌ ବିଶିଷ୍ଟ ହସ୍ପିଟାଲ୍‌ ଏବଂ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜ, କଳାହାଣ୍ଡି ଜିଲ୍ଲା ଚିକିତ୍ସାଳୟରେ ନୂଆ ୧୦୦ ଶଯ୍ୟା ବିଶିଷ୍ଟ କୋଠା, ବୌଦ୍ଧ ଜିଲ୍ଲା ଚିକିତ୍ସାଳୟରେ ୩୦ ଶଯ୍ୟା ବିଶିଷ୍ଟ ନୂଆ କୋଠା, ପୁରୀ‌ରେ ୬୫୦ ଶଯ୍ୟା ବିଶିଷ୍ଟ କଲେଜ ହସ୍ପିଟାଲ୍‌ ଆଦି ପ୍ରକଳ୍ପର କାର୍ଯ୍ୟାନ୍ବୟନ ସମୀକ୍ଷା କରାଯାଇଥିଲା। ଏହା ବାଦ୍ ସୁନ୍ଦରଗଡ଼ ଜିଲ୍ଲାର ମନୋହରପୁର ଏବଂ ଦୀପ୍ ସାଇଡ୍‌କୋଲ୍‌ ମାଇନିଂ ପ୍ରକଳ୍ପଗୁଡ଼ିକର ମଧ୍ୟ ସମୀକ୍ଷା ହୋଇଥିଲା।

ଲୋକସେବା ଭବନରୁ ଭର୍ଚୁଆଲ୍‌ ମୋଡ୍‌‌‌ରେ ଆୟୋଜିତ ଏହି ବୈଠକରେ ଉନ୍ନୟନ କମିସନର୍‌ ପ୍ରଦୀପ କୁମାର ଜେନା ଅଗ୍ରାଧିକାର ଭିତ୍ତିରେ ଆରମ୍ଭ କରାଯାଇଥିବା ଏହି ପ୍ରକଳ୍ପଗୁଡ଼ିକର ପ୍ରଶାସନିକ ଓ କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନା କରିଥିଲେ। ବୈଠକରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଆଇଟି ବିଭାଗର ଶାସନ ସଚିବ ମନୋଜ ମିଶ୍ର, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ରାଧାକୃଷ୍ଣ ପଟ୍ଟନାୟକଙ୍କ ସମେତ ସଂପୃକ୍ତ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର