ସମ୍ବଲପୁର/ବଲାଙ୍ଗୀର/କଣ୍ଟାବାଞ୍ଜି/ ଡୁଡୁକା/କର୍ଲାମୁଣ୍ଡା/ଝାରସୁଗୁଡ଼ା/ଭେଡ଼େନ/ ନୂଆପଡ଼ା/ ବିନିକା/ସିଂଘିଯୁବା/ରାଉର‌କେଲା/ସୁନ୍ଦରଗଡ଼: ଭୟଙ୍କର ଗ୍ରୀଷ୍ମପ୍ରବାହ ଯୋଗୁଁ ସମଗ୍ର ପଶ୍ଚିମ ଓଡ଼ିଶା ଜଳୁଛି। ଗତକାଲି ଭଳି ଆଜି ମଧ୍ୟ ଅଂଶୁଘାତରେ ବହୁ ଲୋକଙ୍କ ଜୀବନ ଯାଇଛି। ହସ୍ତଗତ ଖବର ଅନୁସାରେ, ଆଜି ୩୮ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ସମ୍ବଲପୁରରେ ୭ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ବଲାଙ୍ଗୀରରେ ୧୨, ଝାରସୁଗୁଡ଼ାରେ ୭, ନୂଆପଡ଼ାରେ ୨ ଏବଂ ବରଗଡ଼, କଳହାଣ୍ଡି, ଓ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଲେଖାଏଁ ଅଂଶୁଘାତରେ ପ୍ରାଣ ହରାଇଛନ୍ତି। ସେହିପରି, ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପୁଣିଥରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଘଣ୍ଟ‌ାରେ ୨୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହସ୍ତଗତ ସୂଚନା ଅନୁସ‌ାରେ, ସମ୍ବଲପୁର ବରେଇପାଲିର ରମେଶ ମହାକୁଡ଼(୫୫), ସାହାସପୁରର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କ ସହିତ ବତେପୁର ପଂଚାୟତ ଜୟଘଁଟ ଗାଁର ଶ୍ରୀଚରଣ ଖଣ୍ଡାୟତ (୫୫) ଏବଂ ବୁଢ଼ାରଜାର ଜଣେ ପାଇପ ମିସ୍ତ୍ରିଙ୍କ ସମେତ ୬ ଜଣ ମୃତ୍ୟୁ ହୋଇଥିବା ଜଣାଯାଇଛି।

Advertisment

ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରେ ରେଲୱେ ଅଣ୍ଡରବ୍ରିଜ୍‌ କାମରେ ନିୟୋଜିତ ଥିବା ବଂଗୋମୁଣ୍ଡା ବ୍ଲକ୍‌ ଗନ୍ଧର୍ଲା ଗ୍ରାମର ରାଏଧର ପୁଞ୍ଜି (୫୦)ରେ ମୃତ୍ୟୁ ହୋଇଛି। ସେହିପରି, ବଲାଙ୍ଗୀର ଗାନ୍ଧୀନଗରପଡ଼ା ନିବାସୀ ସୁଦୀପ ସାଗର (୪୦), ଶାନ୍ତିପଡ଼ାର ସିନ୍ଧୁସୂତା ବେଜ୍‌ (୬୦), ଲୋଇସିଂହା ବ୍ଲକ୍‌ ଡୁଡୁକା ଗାଁର ଶିବ ସାହୁ (୩୫) ଏବଂ ବଘଲା ଗାଁର ଆର୍ତ୍ତ କରନ୍‌ (୪୦), ପୁଇଁତଲା ବ୍ଲକ୍‌ ବିଲେଇସର୍ଡ଼ା ଗାଁର ଭୂମିସୂତା ରାଉତ(୫୭), ପୁଇନ୍ତଲା ବ୍ଲକ ପଥର୍ଲା ପଞ୍ଚାୟତର ଚିନ୍ତାମଣି ନାଗ ଓ ବଲାଙ୍ଗୀର ଗେଟସରୋବର ପଡ଼ାର ବିଭୂତି ବେହେରା, ଆଗଲପୁର ବ୍ଲକ ଡୁଡୁକା ପଞ୍ଚାୟତ କେଶେଇପାଲି ଗ୍ରାମର ଝାରୁ ସାହୁ (୮୦ବର୍ଷ) ଏବଂ ଲୁହୁରାମୁଣ୍ଡା ଗ୍ରାମର କହ୍ନେଇ ବାରିକ (୭୨ବର୍ଷ) ଓ ବସୁଦେବ ପୁଟେଲ (୭୫ବର୍ଷ)ଙ୍କ ମୃତ୍ୟୁ ହୋଇଛି। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ବାଞ୍ଜିପଦର ଗାଁର ମୁରଲୀ ରଣାଙ୍କ ବଲାଙ୍ଗୀରଠାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ଝାରସୁଗୁଡ଼ା

କୋଲାବିରାର ସୁଲୋଚନା କୁମୁରା (୬୧), ପତ୍ରାପାଲିରୁ ଉଦ୍ଧାର ହୋଇ ଆସିଥିବା ଟ୍ରକ ଚାଳକ ଛତିଶଗଡ଼ର ରାକେଶ ସାଣ୍ଡିଲ୍ୟ (୩୧), ରେଙ୍ଗାଲି ଥାନାଞ୍ଚଳରୁ ଜଣେ, ଝାରସୁଗୁଡ଼ା-ସମ୍ବଲପୁର ଜିଲ୍ଲା ସୀମା ଠେଲକୋ‌ଲୋଇରୁ ସୁନୀଲ ସିଂହ ଓ ଗୁଡ୍ଡୁ ରାୟ, ବାଲିଜୁରିରୁ ଉଦ୍ଧାର ହୋଇଥିବା ମଧ୍ୟପ୍ରଦେଶର ରବୀନ୍ଦ୍ର ସିଂ ତୋମାର, ବ୍ରଜରାଜନଗରରର ରଘୁନାଥ ଭଇଁସାଲ (୫୮)ଙ୍କ ମୃତ୍ୟୁ ହୋଇଛି। ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଅନ୍ତର୍ଗତ ଅରେଇଗୁଡ଼ି ଗ୍ରାମର ବୃଦ୍ଧ ମୁନି ପାତ୍ର (୭୦)ଙ୍କ ମୃତ୍ୟୁ ହୋଇଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଠାକୁରପାଲି ଗ୍ରାମର ରାଜମିସ୍ତ୍ରି ମଧୁସୂଦନ ମାଝୀ(୫୫)ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଖଡ଼ିଆଳ ଧୋବାପଡ଼ା ନନ୍ଦଳାଲ କଟା (୨୬)ଙ୍କ ମଧ୍ୟ ଅଂଶୁଘାତରେ ମୃ୍ତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେହିପରି, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବା ଗ୍ରାମର ଜନୈକ ଗାଡ଼ି ଚାଳକ ସମାରୁ ବାଘ (୪୫ବର୍ଷ)ଙ୍କ ମଧ୍ୟ ଅଂଶୁଘାତରେ ମୃତ୍ୟୁ ହୋଇଛି।

ବଲାଙ୍ଗୀରରେ ୧୨ଜଣ, ସମ୍ବଲପୁରରେ ୭, ସୁନ୍ଦରଗଡ଼ରେ ୭
ସମ୍ବଲପୁରରେ ଆଉ ୧୫୭ ଆକ୍ରାନ୍ତ, ଝାରସୁଗୁଡ଼ାରେ ୧୦୨
ଆର୍‌ଜିଏଚ୍‌‌େର ୪ ଜଣିଆ ଟିମ୍‌ ଗଠିତ
ସୁନ୍ଦରଗଡ଼ରେ ୩୦ ଘଣ୍ଟାରେ ୨୪ ମୃତ

ଏହି ମୃତକଙ୍କ ବ୍ୟତୀତ ବିଭିନ୍ନ ଜିଲ୍ଲାରେ ଶତାଧିକ ଅଂଶୁଘାତ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ବର୍ତ୍ତମାନ ଯାଏ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ୧୫୭ ଜଣ ଅଂଶୁଘାତ ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇଥିବା ସୂଚନା ରହିଛି। ସେହିପରି ଝାରସୁଗୁଡ଼ାରେ ଏଯାଏ କେବଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ୧୦୨ ଜଣ ଚିକିତ୍ସିତ ହେଉଛନ୍ତି। ତେବେ, ପ୍ରାୟ ସମସ୍ତ ଜିଲ୍ଲା ମୁଖ୍ୟାଳୟ ତଥା ଅନ୍ୟ ଗ୍ରାମାଞ୍ଚଳ ଡାକ୍ତରଖାନାରେ ମଧ୍ୟ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ବିଶେଷ ସୁବିଧା ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଅନ୍ୟପକ୍ଷ‌ରେ, ସୁନ୍ଦରଗଡ଼ ଜିଲ୍ଲାରେ ଆଜି ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ୩୦ ଘଣ୍ଟା ମଧ୍ୟରେ ୨୪ଟି ମୁଣ୍ଡ ଗଡ଼ିଛି। ହସ୍ତଗତ ହୋଇଥିବା ହିସାବ ଅନୁସାରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୨୪ ହୋଇଥିବାବେଳେ ପ୍ରକୃତ ମୃତ୍ୟୁସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ ହେବ ବୋଲି କୁହାଯାଉଛି।
ମିଳିଥିବା ସୂଚନା ଅନୁସାରେ, ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଗୁରୁବାର ଦିନ ୧ଟା ୩୦ରୁ ଶୁକ୍ରବାର ସଂଧ୍ୟା ୫ଟା ୩୦ ମଧ୍ୟରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଅବଶ୍ୟ ଏଥିରୁ ଅଧିକାଂଶ ରୋଗୀ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ମୃତ୍ୟୁ ହୋଇସାରିଥିଲା। ଆର୍‌ଜିଏଚ୍‌ରେ ମୃତକମାନେ ହେଲେ, ମଧୁସୂଦନପାଲିର ରଣଜିତ ସାହୁ (୨୩), ଛେଣ୍ଡକଲୋନିର ମଞ୍ଜୁ ବାର୍ଲା (୩୮), ହାତୀବାରିର ମୁନି କୁମ୍ଭାର (୫୪), ଜଲଦା ଏ ବ୍ଲକର ଫୁଲମଣି ବଡାଇକ (୩୦), ଜଲଦା ସି ବ୍ଲକର ମଙ୍ଗଳା ସମାସୀ (୬୯), ଝିରପାଣିର ବିଚା ମାହାଲି (୪୦), ଲାଠିକଟା ଗର୍ଜନର ସାବିତ୍ରୀ ଗୌଡ଼ (୪୦), ଝାଡ଼ତରଙ୍ଗର ଗଣେଶ ତନ୍ତୀ (୩୭), କୁତ୍ରାର ପ୍ରେମଲତା ଏକ୍କା (୬୦), ରାଉରକେଲା ପ୍ଲାଣ୍ଟସାଇଟ୍‌ର ଇନ୍ଦ୍ର ଚୁରା (୬୦), ଶକ୍ତିନଗରର ଇନ୍ଦ୍ରଜିତ ସିଂହ (୬୨), ରାଉକେଲାର ନେଗି ମିଞ୍ଜ (୬୦)। ସେହିପରି ଗୁରୁବାର ସଂଧ୍ୟାରେ ଆର୍‌ଜିଏଚ୍‌ରୁ ଗୁରୁତର ଅବସ୍ଥାରେ ହାଇଟେକ୍ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର ହୋଇଥିବା ୩ ଜଣ ଅଂଶୁଘାତ ରୋଗୀଙ୍କର ଶୁକ୍ରବାର ସଂଧ୍ୟାରେ ମୃତ୍ୟୁ ହୋଇଯାଇଛି। ଡାକ୍ତରଖାନା ପକ୍ଷରୁ ସେମାନଙ୍କ ପରିଚୟ ପ୍ରଘଟ କରାଯାଇ ନାହିଁ। ଏମାନଙ୍କ ବ୍ୟତିରେକ ଆଜାଦ ବସ୍ତି ସେକ୍ଟର-୨ର ଜଣେ ୫୦ ବର୍ଷୀୟ ପୁରୁଷ ଓ ରେଳ କଲୋନୀର ୭୦ ବର୍ଷୀୟା ମହିଳା ମୃତକଙ୍କ ପରିଚୟ ମିଳିପାରି ନାହିଁ। ଆର୍‌ଜିଏଚ୍‌ରେ ଶୁକ୍ରବାର ସଂଧ୍ୟା ସୁଦ୍ଧା ୨୫ରୁ ଅଧିକ ଅଂଶୁଘାତ ରୋଗୀ ୪ଟି ୱାର୍ଡରେ ଚିକିତ୍ସିତ ହେଉଛନ୍ତି।

ସେହିପରି, ସୁନ୍ଦରଗଡ଼ରେ ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶୁକ୍ରବାର ଜଣେ ମହିଳା ଖରାରେ ବୁଲିବୁଲି ଜରି ଗୋଟାଉଥିବାବେଳେ ଟଳିପଡ଼ି ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ସୁନ୍ଦରଗଡ଼ରେ ମେଡିକାଲ୍‌ କଲେଜ୍‌ର ୨ ଜଣ ମହିଳା ଡାକ୍ତରଙ୍କ ସମେତ ବହୁ ଲୋକ ଅଂଶୁଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହାଛଡ଼ା ଶୁକ୍ରବାର ରାଜଗାଙ୍ଗପୁର ପୌରପାଳିକାରେ କାର୍ଯ୍ୟରତ ଆମ୍ବେଦକର କଲୋନିର ଲକ୍ଷ୍ମଣ ମହାନନ୍ଦିଆ (୩୫) ରୌଦ୍ରତାପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତ ଘୋଷିତ କରାଯାଇଥିଲା। ଆଉ ଦୁଇଜଣଙ୍କୁ ଗୁରୁତର ଅଂଶୁଘାତ ରୋଗୀଙ୍କୁ ରାଜଗାଙ୍ଗପୁର ଡାକ୍ତରଖାନାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ସେହିପରି ବନ୍ଧମୁଣ୍ଡା ରେଳବାଇ ହସ୍‌ପିଟାଲ୍‌ରେ କେ ୟେଟି ରାଜୁ (୫୨) ନାମକ ରେଳ କର୍ମଚାରୀଙ୍କର ଗୁରୁବାର ମୃତ୍ୟୁ ହୋଇଛି। ଏସବୁ ଅସ୍ବାଭାବିକ ମୃତ୍ୟୁର କାରଣ ଜଣାପଡ଼ି ନଥିଲେ ହେଁ ଅଂଶୁଘାତ କାରଣରୁ ଜୀବନ ଯାଇଥିବା କୁହାଯାଉଛି। ତେବେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି କହିଛନ୍ତି। ଜିଲ୍ଲାପାଳ ଶ୍ରୀ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଶୁକ୍ରବାର ଆର୍‌ଜିଏଚ୍‌ରେ ସ୍ଥିତିର ସମୀକ୍ଷା କରିଥିଲେ। ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କ ସ୍ବାସ୍ଥ୍ୟଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଆର୍‌ଜିଏଚ୍‌ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସ୍ଥିତିର ସମୀକ୍ଷା କରାଯାଇଥିଲା। ରାଉରକେଲା ଏଡିଏମ୍ ଆଶୁତୋଷ କୁଲକର୍ଣ୍ଣି, ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ, ଆର୍‌ଜିଏଚ୍‌ ନିର୍ଦ୍ଦେଶକ, ଅଧୀକ୍ଷକକଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତର ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ, ଘଟଣାର ତଦନ୍ତ ପାଇଁ ଆର୍‌ଜିଏଚ୍‌ ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନଙ୍କ ନେତୃତ୍ବରେ ୪ ଜଣିଆ ଟିମ୍‌ ଗଠନ କରାଯାଇଛି।

ବୁଥ୍‌ ଯିବା ପୂର୍ବରୁ ପ୍ରାଣ ହରାଇଲେ ୨୩ କର୍ମଚାରୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଓ ବିହାରରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପୋଲିଂ କର୍ମଚାରୀଙ୍କ ପାଇଁ ଘାତକ ସାବ୍ୟସ୍ତ ହେଉଛି। ଉଭୟ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକସଭା ନିର୍ବାଚନ ପାଇଁ ନିୟୋଜିତ ଅନେକ ନିର୍ବାଚନ କର୍ମଚାରୀଙ୍କ ଗତ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ବୃଦ୍ଧି ଯୋଗୁଁ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶର ମିର୍ଜାପୁରରେ ଗରମଜନିତ ଜ୍ୱର ଓ ଉଚ୍ଚ ରକ୍ତଚାପ ଯୋଗୁଁ ଡାକ୍ତରଖାନାରେ ୧୩ ଜଣ ନିର୍ବାଚନ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିହାରରେ ମଧ୍ୟ ଅଂଶୁଘାତର ଶିକାର ହୋଇ ୧୦ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ତେବେ ସରକାରୀ ଭାବେ ସବୁ ମୃତ୍ୟୁର କାରଣ ସଂପର୍କରେ ସ୍ପଷ୍ଟ କରାଯାଇନାହିଁ। ଗତକାଲି ଅପରାହ୍ନରୁ ଆଜି ସନ୍ଧ୍ୟା ସୁଦ୍ଧା ମିର୍ଜାପୁରରେ ୧୩ ପୋଲିଂ କର୍ମଚାରୀଙ୍କ ଅସ୍ବାଭାବିକ ମୃତ୍ୟୁ ଆତଙ୍କ ସୃଷ୍ଟି କରିଛି। ମୃତ୍ୟୁ ପୂର୍ବରୁ ସମସ୍ତ କର୍ମଚାରୀଙ୍କ ଶରୀରର ଉତ୍ତାପ ଓ ରକ୍ତ ଚାପ ଅସ୍ବାଭାବିକ ଭାବେ ବୃଦ୍ଧି ପାଇଥିଲା। ମା’ ବିନ୍ଧ୍ୟବାସିନୀ ରାଜ୍ୟ ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ର ଅଧ୍ୟକ୍ଷ ଡ ରାଜ ବାହାଦୁର କମଲ କହିଛନ୍ତି ଯେ ମୃତ କର୍ମଚାରୀଙ୍କ ମଧ୍ୟରେ ୭ଜଣ ଗୃହରକ୍ଷୀ ବାହିନୀ ଯବାନ, ୩ ଜଣ ପରିମଳ କର୍ମଚାରୀ, ଜିଲ୍ଲା ମୁଖ୍ୟସ୍ବାସ୍ଥ୍ୟାଧିକାରୀଙ୍କ କାର୍ଯ୍ୟାଳୟର ଜଣେ କିରାଣୀ, ଜଣେ ଚକବନ୍ଦୀ ଅଧିକାରୀ ଏବଂ ଜଣେ ସହାୟକ ଅଛନ୍ତି।

ସେହିଭଳି ଗ୍ରୀଷ୍ମ ପ୍ରବାହଜନିତ କାରଣରୁ ବିହାରରେ ୧୦ ଜଣ ପୋଲିଂ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଆସନ୍ତାକାଲି ଶେଷ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଇତିମଧ୍ୟ‌ରେ ବିହାର ସରକାର କହିଛନ୍ତି, ଅଂଶୁଘାତ ଯୋଗୁଁ ୧୦ ପୋଲିଂ କର୍ମଚାରୀଙ୍କ ସମେତ ମୋଟ୍‌ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଉଛନ୍ତି ଭୋଜପୁର, ରୋହତସ, କଇମୁର ଏବଂ ଔରଙ୍ଗାବାଦ ଜିଲ୍ଲାର। ଅଂଶୁଘାତରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ସରକାର କ୍ଷତିପୂରଣ ଘୋଷଣା‌ କରିଛନ୍ତି। ବିହାରର ସାସାରାମ ଭୋଟିଂ ବୁଥ୍‌ରେ ମୁତୟନ ହୋଇଥିବା ଅନେକ ସୁରକ୍ଷା କର୍ମୀ ପ୍ରବଳ ତାତି ପାଇଁ ଅସୁସ୍ଥ ହୋଇ ପଡ଼ିଥିବାରୁ ସେମାନଙ୍କ ଚିକିତ୍ସା ପାଇଁ ତତ୍କାଳ ପଦକ୍ଷେପ ଗ୍ରହଣ କରାଯାଇଛି।

ଉଲ୍ଲେଖଯୋଗ୍ୟ, ବିହାରରେ ସାଂଘାତିକ ଗ୍ରୀଷ୍ମଲହରୀ ଜାରି ରହିଛି। ବିଭିନ୍ନ ସ୍ଥାନରେ ତାପମାତ୍ରା ୪୪ ଡିଗ୍ରି ସେଲ୍‌ସିୟସ ଟପିଛି। ଗତକାଲି ବକ୍ସାର ତାପମାତ୍ରା ୪୭.୧ ଡିଗ୍ରି ସେଲସିୟସ ଥିଲା। ଔରଙ୍ଗାବାଦ, ଦେହରି, ଗୟା, ଅରୱଲ, ଭୋଜପୁରରେ ଆଜି ତାପମାତ୍ରା ୪୪ ଡିଗ୍ରି ଉପରେ ରହିଛି। ଅନ୍ୟପକ୍ଷେ ଆଇଏମ୍‌ଡି (ଭାରତୀୟ ପାଣିପାଗ ବିଭାଗ) ବିହାରରେ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ଭୀଷଣ ଗ୍ରୀଷ୍ମଲହରୀ ସ୍ଥିତି ଉପୁଜିବ ବୋଲି ଆକଳନ କରିଛି।